ଯାଜପୁର ଜିଲ୍ଲା ଖରସ୍ରୋତା ନଦୀରେ ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଏବେବି ୩ ନିଖୋଜ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ସୁଆର ନିକଟସ୍ଥ ଖରସ୍ରୋତା ନଦୀର ମଙ୍ଗଳାଘାଟରେ ୭ଜଣ ଯୁବକ ବୁଡିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ନଦୀରୁ ଆଜି ସକାଳେ ଆଉ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି କ୍ରିଷ୍ଣା ଜେନା। ଏବେ ବି ରଶ୍ମିରଂଜନ ଜେନା, କରଣ ଜେନା ଓ ବିଶ୍ୱଜିତ ଜେନା ନିଖୋଜ ଅଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ବନ୍ଧମୁଣ୍ଡ ଗାଁର ରଶ୍ମିରଂଜନ ଜେନା, କରଣ ଜେନା, କ୍ରିଷ୍ଣଆ ଜେନା, ଶୁଭମ୍ ଜେନା, ଅମିତ ଜେନା, ଜାଲପୁରର ବିଶ୍ୱଜିତ ଜେନା ଓ ଯାଜପୁର ଟାଉନ୍‌ର ସମ୍ୱିତ ଜେନା ଗାଧୋଇବା ପାଇଁ ଖରସ୍ରୋତା ନଦୀକୁ ଯାଇଥିଲେ।

ମଙ୍ଗଳାଘାଟରେ ଗାଧଉଥିବା ବେଳେ ଗଣ୍ଡ ଭିତରକୁ ଚାଲି ଯାଇଥିଲେ। ହେଲେ ଆଉ ବାହାରି ପାରିନଥିଲେ। ସେପଟେ ପରିବାର ଲୋକ ଖୋଜି ଖୋଜି ଆସି ନଦୀ କୂଳରେ ପହଞ୍ଚିଥିଲେ। ହେଲେ କାହାରିକୁ ପାଇନଥିଲେ। କିନ୍ତୁ ନଦୀ ପଠାରେ ସେମାନଙ୍କ ଲୁଗା ଓ ଚପଲ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ସାହି ଭାଇଙ୍କୁ କହିଥିଲେ।

ଅଗ୍ନିଶମ ବିଭାଗ ଆସିବା ପୂର୍ବରୁ ଗାଁ ଲୋକେ ୧୭ ବର୍ଷୀୟ ଯୁବକ ଅମିତ ଜେନାକୁ ଉଦ୍ଧାର କରିଥିଲେ। ହେଲେ ଅନ୍ୟମାନଙ୍କୁ ପାଇନଥିଲେ। ପରେ ଯାଜପୁର ଓ ବିଞ୍ଝାରପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ନଦୀ ଗର୍ଭରୁ ଟାଉନର ୨୧ ବର୍ଷିୟ ସମ୍ବିତ ଜେନା ଓ ବନ୍ଧମୁଣ୍ଡାର ୧୬ ବର୍ଷିୟ ଶୁଭମ୍‌ ଜେନାଙ୍କ ମୃତଦେହ ଉଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *