ଆଜିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବେ

ପୁରୀ; ସାଧାରଣ ହିନ୍ଦୁମାନେ ଯେପରି କାର୍ତ୍ତିକ ଅମାବାସ୍ୟା ତିଥି, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି, ଠିକ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି । ଏହି ତିନି ଦିନ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଭୂଷିତ ହୋଇ ବାମନ ରୂପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥ ଓ ଶ୍ରୀକୃଷ୍ଣ ରୂପରେ ଦେବକୀ ଓ ବସୁଦେବ ତଥା ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ।

ଜଗନ୍ନାଥ ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କ ମତରେ, ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି । ଆଜି ପ୍ରଥମ ଦିନ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାପ୍ରଭୁ, ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେବେ । ଆସନ୍ତାକାଲି ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ପରେ ତୃତୀୟ ଦିନ ଅର୍ଥାତ ଗୁରୁବାର ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି । ଏହି ତିନି ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶ ଧାରଣ କରି ପିତୃପୁରୁଷ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରିବେ । ଏହା ସହ ଏହି ତିନିଦିନ ମଧ୍ୟ ମହାଦୀପ ମଧ୍ୟ ପ୍ରଜ୍ବଳିତ ହେବ । ତେଣୁ ଏହାକୁ ଦେବ ଦୀପାବଳି କୁହାଯାଏ”।

“ପ୍ରତିଦିନ ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ବେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇବେ । ଏହି ବେଶରେ ଶ୍ରୀ ବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ ହାତ , ଶ୍ରୀବଳଭଦ୍ର ୧୪ ହାତ ଓ ଦେବୀ ସୁଭଦ୍ରା ୧୨ ହାତ ଲମ୍ବ ବିଶିଷ୍ଟ ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି”।
“ଶ୍ରାଦ୍ଧ ବେଶରେ ତଡଗୀ, ନଳୀଭୂଜ, ଚନ୍ଦ୍ର, ସୂର୍ଯ୍ୟ, କୁଣ୍ଡଳୀ, ଆଡକାନି, ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରରେ ଠାକୁରମାନେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି “। ଶ୍ରାଦ୍ଧ ସମୟରେ ଶ୍ରୀଜଗନ୍ନାଥ ପିନ୍ଧୁଥିବା ବସ୍ତ୍ରକୁ କାଶୀଧଡ଼ିଆ ବସ୍ତ୍ର କୁହାଯାଏ । ଏହାର ରଙ୍ଗ ଶ୍ୱେତବର୍ଣ୍ଣ ଓ ଧଡ଼ିରେ ବଡ଼ ବଡ଼ କୁମ୍ଭମାନ ପଡ଼ିଥାଏ । ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତ୍ତାକର୍ଷକ ଶ୍ରାଦ୍ଧବେଶରେ ସଜ୍ଜିତ କରିଥାନ୍ତି । ଏହି ଅବସରରେ ଠାକୁରମାନେ ନଳିଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ତଡ଼ଗି, ହରିଡ଼ାଶାଳି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି । ପିତୃଶ୍ରାଦ୍ଧର ଦ୍ୱିତୀୟ ଦିବସରେ ଭକ୍ତମାନେ ପ୍ରଭୁଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଗଣଦୀପଦାନ କରିଥାନ୍ତି । ପିତୃଶ୍ରାଦ୍ଧର ତୃତୀୟ ଦିବସରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରନ୍ତି । ସେଠାରେ ବନ୍ଦାପନା ଭଳି କେତେକ ନୀତି ସମ୍ପାଦନ ହେବାପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି ।

Leave a Reply

Your email address will not be published. Required fields are marked *