ଅତି ଆବଶ୍ୟକ ନ ହେଲେ ଚିକିତ୍ସା ପାଇଁ SCB ହସପିଟାଲକୁ ନ ଆସି ଟେଲିମେଡିସିନ୍‌ର ସୁବିଧା ନିଅନ୍ତୁ ବୋଲି ହସପିଟାଲ୍ ପକ୍ଷରୁ ଅନୁରୋଧ

କଟକ: ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାର ପାର୍‌ କରି ସାରିଥିବା ବେଳେ ଆଗକୁ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଏପରି ସ୍ଥିତିରେ ଚିକିତ୍ସା ଭିତ୍ତିଭୂମିକୁ ସଜାଡ଼ି ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଏସ୍‌.ସି.ବି. ହସପିଟାଲ୍‌ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି ।

ଚଳିତ ମାସ ଶେଷ ସୁଦ୍ଧା କୋଭିଡ ସ୍ଥିତି ପିକ୍ ପହଞ୍ଚିବା ଆଶଙ୍କା କରାଯାଉଥିବା ବେଳେ ସେହି ସମୟରେ ବହୁ ସଂଖ୍ୟକ କୋଭିଡ ରୋଗୀଙ୍କୁ ମେଡିକାଲ୍‌ ଚକିତ୍ସାର ଆବଶ୍ୟକତା ରହିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସର୍ବବୃହତ ରେଫରାଲ୍‌ ହସ୍ପିଟାଲ୍‌ ଏସ୍‌.ସି.ବି.ରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ମୋ’ଟ ୬୦୦ଟି ବେଡ୍‌ ରଖାଯାଇଛି । ଏହା ସହିତ ୧୪୦ଟି ଆଇ.ସି.ୟୁ. ବେଡ୍‌ କେବଳ କୋଭିଡ୍‌ ରୋଗୀଙ୍କ ପାଇଁ ପ୍ରସ୍ତୁତ କରି ରଖାଯାଇଛି । କେବଳ ସେତିକି ନୁହେଁ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏସ୍‌.ସି.ବି. ହସପିଟାଲରେ ଆବଶ୍ୟକୀୟ ଭିତ୍ତିଭୂମି ସହ ଆବଶ୍ୟକୀୟ ସଂଖ୍ୟାରେ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫଙ୍କୁ ମଧ୍ୟ ନିୟୋଜିତ କରାଯାଛି ।

‘‘ଯେତେବେଳେ ରାଜ୍ୟକୁ କୌଣସି ସ୍ବାସ୍ଥ୍ୟ ସମସ୍ୟା ଜନିତ ବଡ଼ ବିପଦ ଆସିଛି ଏସ୍‌.ସି.ବି. ହସପିଟାଲ୍‌ ତା’ର ଫଳପ୍ରଦ ମୁକାବିଲା କରିଛି । ପୂର୍ବର ଦୁଇଟି ଲହରି ଭଳି ଏହି ତୃତିୟ ଲହରୀର ମୁକାବିଲା ପାଇଁ ମଧ୍ୟ ଏସ୍‌.ସି.ବି. ହସପିଟାଲ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବିଶେଷ କରି ରେଫରାଲ୍‌ ରୋଗୀମାନଙ୍କ ପାଇଁ ଏଠାରେ ସୁବନ୍ଦୋବସ୍ତ କରାଯାଇଛି,’’ କହିଛନ୍ତି ଏସ୍‌.ସି.ବି. ହସପିଟାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

Leave a Reply

Your email address will not be published. Required fields are marked *