ଦିନେଶ ଘର ଆଗରେ ପୁଣି ଧାରଣାରେ ଦୀପିକା ; ହାତାହାତି ହେଲେ ଶାଶୁବୋହୂ!

ବ୍ରହ୍ମପୁର : ଦୀର୍ଘ ଦିନ ପରେ ପୁଣି ଥରେ ନ୍ୟାୟ ପାଇବା ପାଇଁ ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ବ୍ରହ୍ମପୁରର କେ.ଦୀପିକା । ହାଇକୋର୍ଟରେ ମାମଲା ବିଚାରଧୀନ ଥିବାବେଳେ ନ୍ୟାୟ ମିଳିବାରେ ବିଳମ୍ବ ହେବାରୁ ପୁଣିଥରେ ଦେଶୀ ବେହେରା ସାହିରେ ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଦୀପିକା ।

ଆଜି ସକାଳେ ଦୀପିକା ଦିନେଶଙ୍କ ବାରଣ୍ଡାରେ ଧାରଣାରେ ବସିଥିବା ସମୟରେ ହଠାତ ଦିନେଶଙ୍କ ପରିବାର ଲୋକେ ଯୁକ୍ତିତର୍କ କରିବା ସହ ତାଙ୍କ ଉପରକୁ ଲଙ୍କାଗୁଣ୍ଡ ଓ ପାଣି ଫିଙ୍ଗିଥିଲେ ବୋଲି ଅଭିଯୋଗ କରିଛନ୍ତି ଦୀପିକା । ଏହା ସହ ଓଦା ଅବସ୍ଥାରେ ହିଁ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ପୁରା ଘଟଣା କ୍ରମ ଏସ୍‌ପିଙ୍କୁ ଜଣାଇଥିଲେ । ପୋଲିସ ତଦନ୍ତ କରି ପ୍ରେମିକ ଦିନେଶଙ୍କ ପରିବାର ବିରୋଧରେ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଦୀପିକା ।

ସେପଟେ ଦୀପିକାଙ୍କ ଅଭିଯୋଗକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି । ଦୀପିକାଙ୍କ ଧାରଣାସ୍ଥଳରେ କିଛି ପୋଲିସ କର୍ମଚାରୀ ସୁରକ୍ଷା ଦେବା ନିମନ୍ତେ ଉପସ୍ଥିତ ରହିଛନ୍ତି । ତେଣୁ ପୋଲିସ ଉପସ୍ଥିତିରେ ଦିନେଶଙ୍କ ପରିବାର ଲୋକେ କାହିଁକି ଦୀପିକାଙ୍କ ଉପରେ ଲଙ୍କା ଗୁଣ୍ଡ ଫିଙ୍ଗିଲେ ସେ ନେଇ ତଦନ୍ତ କରାଯିବ । ଏହା ଛଡ଼ା ଦୀପିକାଙ୍କ ଡିଏନ୍‌ଏ ରିପୋର୍ଟ କୋର୍ଟରେ ଦାଖଲ ହୋଇଥିବାବେଳେ ତାଙ୍କୁ ମଧ୍ୟ ସାର୍ଟିଫାଏ କପି ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।

ସ୍ତ୍ରୀର ଅଧିକାର ଓ ପୁଅକୁ ତାର ବାପାର ପରିଚୟ ପ୍ରଦାନ ଦାବିରେ ଗତ ବର୍ଷ ଅଗଷ୍ଟ ମାସ ୨ ତାରିଖରେ ଦୀପିକା ନିଜର ପ୍ରେମିକା ଦିନେଶଙ୍କ ବ୍ରହ୍ମପୁର ଦେଶୀବେହେରା ସାହିରେ ରହିଥିବା ଘର ବାରଣ୍ଡାରେ ଧାରଣାରେ ବସିବା ଆରମ୍ଭ କରିଥିଲେ । ଦୀର୍ଘ ମାସ ଧରି ଧାରଣାରେ ବସି ସେ ନ୍ୟାୟ ପାଇଁ ଲଢ଼େଇ କରିଥିଲେ । ପରବର୍ତ୍ତୀ ସମୟରେ ଏନେଇ ହାଇକୋର୍ଟକୁ ଯିବା ପରେ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖି ଧାରଣାରୁ ଓହରି ଯାଇଥିଲେ ।

Leave a Reply

Your email address will not be published. Required fields are marked *