ରାଜ୍ୟରେ ବଢିଚାଲିଛି ଜାଲ୍‌ ନୋଟ୍‌ କାରବାର

ଭୁବନେଶ୍ବର : ଗତ ୪ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଧ କୋଟିଏରୁ ଉର୍ଦ୍ଧ ଟଙ୍କାର ଜାଲ୍‌ ନୋଟ୍‌ ଜବତ ହୋଇସାରିଲାଣି। ଯାହାକି ରାଜ୍ୟର ଜାଲ୍‌ ନୋଟ୍‌ କାରବାରର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। ବଜାର, ହାଟ, ମଲ୍‌ ଏମିତିକି ଏଟିଏମ୍‌ରୁ ବି ମିଳୁଛି ନକଲି ନୋଟ୍‌। ବେଳେବେଳେ ବ୍ୟାଙ୍କରୁ ବି ଧରାପଡ଼ୁଛି ଜାଲ ନୋଟ୍‌।

ଦେଶରୁ କଳାଟଙ୍କା ଓ ଜାଲ୍‌ ନୋଟ୍‌ କାରବାର ଉପରେ ରୋକ୍‌ ଲଗାଇବା ପାଇଁ କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ ତାରିଖରେ ରାତିଅଧିଆ ନୋଟ ବନ୍ଦୀ ଭଳି ଏକ ବଡ଼ ଘୋଷଣା କରିଥିଲେ। ସେହି ରାତିରୁ ୫ଶହ ଟଙ୍କିଆ ଓ ହଜାର ଟଙ୍କିଆକୁ ନୋଟ୍‌କୁ ଅବୈଧ ଘୋଷଣା କରାଗଲା। ନୂଆ ନୋଟ୍‌ ଆସିଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି କୁହାଯାଇଥିଲା। ଏମିତି ବି କୁହାଯାଇଥିଲା କି ନୂଆ ନୋଟ୍‌ ଆସିବା ପରେ ଆଉ ଏହାର ନକଲ ତିଆରି କରିହେବନାହିଁ, କି ଆଉ ବଜାରରେ ନକଲି ନୋଟ୍‌ ପଶିପାରିବ ନାହିଁ। ୨୦୧୬ ନଭେମ୍ବର ୧୦ ତାରିଖରେ ଲୋକେ ନୂଆ ୨ହଜାର ଟଙ୍କିଆ ଠାରୁ ଆରମ୍ଭ କରି ୫ଶହ, ୨ଶହ, ୫୦ ଓ ୧୦ ଟଙ୍କିଆ ନୋଟ୍‌ ଦେଖିଲେ। ୨୦୧୮ ସେପ୍ଟେମ୍ବର ପହିଲାରେ ନୂଆ ଶହେ ଟଙ୍କିଆ ନୋଟ୍‌ ବି ବଜାରକୁ ଆସିଲା।

ହେଲେ ଜାଲ୍‌ ନୋଟ୍‌ କାରବାର ବନ୍ଦ ହେଲାନାହିଁ। ବରଂ ଏବେ ସବୁଠି ପୂର୍ବଭଳି ପୁଳାପୁଳା ଜାଲ୍‌ ନୋଟ୍‌ ଦେଖିବାକୁ ମିଳୁଛି। ଏବେ ସାଧାରଣ ଦୋକାନ ବଜାରଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌, ପେଟ୍ରୋଲ୍‌ ପମ୍ପ ସବୁଠି ଜାଲ୍‌ ନୋଟ୍‌ ପଶିସାରିଛି। ଏମିତି କି ଏଟିଏମ୍‌, ବ୍ୟାଙ୍କରୁ ବି ଜାଲ୍‌‌ ନୋଟ୍‌ ବାହାରୁଛି। ଜାଲ୍‌ ନୋଟ୍‌ ତିଆରି କରୁଥିବା ଲୋକମାନେ ଏତ‌େ ଚତୁରତାର ସହ ନୋଟ୍‌ ପ୍ରସ୍ତୁତ କରୁଛନ୍ତି ଯେ ଟଙ୍କା ଗଣା ମେସିନ୍‌ ବି ଧରିପାରୁନାହିଁ। ବ୍ୟାଙ୍କ କର୍ମଚାରୀ ବି ସହଜରେ ନକଲି ନୋଟ୍‌କୁ ପରଖିପାରୁନାହାନ୍ତି। କାହିଁକି ଫେଲ୍‌ ମାରିଲା ଯୋଜନା? କିପରି ତିଆରି ହୋଇପାରୁଛି ନକଲି ନୋଟ୍‌? କିଏ ଯୋଗାଉଛି କଞ୍ଚାମାଲ୍‌? ଏହାପଛରେ କେଉଁ ରୢାକେଟ୍‌ କାମ କରୁଛି? ଏମିତି ମାଳମାଳ ପ୍ରଶ୍ନ ମୁଣ୍ଡ ଟେକିଛି।

Leave a Reply

Your email address will not be published. Required fields are marked *