ଅନୁଭବରେ ହିଁ ଥାଏ ଲେଖାର ଗୁଣାତ୍ମକ ଉପାଦାନ : ଡ଼.ବାସନ୍ତୀ ମହାନ୍ତି

କେନ୍ଦ୍ରାପଡା ଜିଲ୍ଲାର ଏକ ସଂସ୍କୃତି ସମ୍ପନ୍ନ ଓ ଗାନ୍ଧିବାଦୀ ଆଦର୍ଶରେ ବିଶ୍ୱାସ କରୁଥିବା ପରିବାରରେ ଜନ୍ମ ନେଇଥିଲେ ଏହି ବିଶିଷ୍ଟ ସାହିତ୍ୟିକା।ତତ୍କାଳୀନ ସମୟରେ ଆଦିବାସୀ ଅଧ୍ୟୁଷିତଙ୍କ ଉପରେ ହେଉଥିବା ଅତ୍ୟାଚାରରେ ପୀଡିତ ବହୁ ହରିଜନ ସଂଗ୍ରାମୀଙ୍କୁ ଆଶ୍ରୟ ଦେଇଥିଲେ ଏବଂ ୧୪ ବର୍ଷ ପାଇଁ ସାମାଜିକ ବାସନ୍ଦର ଶିକାର ମଧ୍ୟ ହୋଇଥିଲେ ତାଙ୍କ ପିତା।ତେବେ ସେହି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସର୍ବୋଦୟ ଆନ୍ଦୋଳନର ପୁରୋଧା ବାଉରୀବନ୍ଧୁ ମହାନ୍ତି ଓ ମାତା ଶୈଳବାଳା ମହାନ୍ତିଙ୍କ କନ୍ୟା ହେଉଛନ୍ତି ଡ଼.ବାସନ୍ତୀ ମହାନ୍ତି। ପିଲାଦିନେ ପିତାଙ୍କର ପ୍ରେରଣା ଓ ନିମାଇଁ ଗୁରୁଜୀଙ୍କ ଉପଦେଶରୁ ଅନୁପ୍ରାଣିତା ହୋଇ ନିଜର ଲେଖକୀୟ ଜୀବନ ଆରମ୍ଭ କରିଥିଲେ ଡ଼. ବାସନ୍ତୀ ମହାନ୍ତି।ପରବର୍ତ୍ତୀ ସମୟରେ ନବରଙ୍ଗପୁର ଓ ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ନିଜର ଶୈକ୍ଷିକ ଜୀବନ ଅତିବାହିତ କରିଥିଲେ।ପିଲାଟି ଦିନରୁ ବାସନ୍ତୀଙ୍କ ଲେଖା ଥିଲା ଖୁବ୍ ସରଳ ଓ ସୁନ୍ଦର।ଯାହା ଫଳରେ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ତାଙ୍କ ଲେଖା ମରୁଝରଣାରେ “ବଉଳା ଗାଈ”, ମନପବନ ଆଦିରେ ପ୍ରକାଶ ପାଇଥିବା ସହିତ ବିଭିନ୍ନ କବିତା ଆସରରେ ଯୋଗ ଦେଉଥିଲେ ବାସନ୍ତୀ। ଯେଉଁ ଲେଖାକୁ ବିଦ୍ୟାଳୟରେ ଶିକ୍ଷକମାନେ ପଢ଼ୁଥିବା ବେଳେ ବିଶ୍ୱାସ କରିପାରୁନଥିଲେ ଯେ ଏହା ଏକ ସପ୍ତମ ଶ୍ରେଣୀ ଛାତ୍ରୀର ହାତଲେଖା! ତେବେ ଶିକ୍ଷକଙ୍କ ଏହି ଭଳି ସନ୍ଦେହଭରା ଭାବନାରୁ ଖୁବ୍ ଅନୁପ୍ରାଣିତା ହୋଇଥିଲେ ବାସନ୍ତୀ।ସେବେଠୁ ସେ ଲେଖି ଚାଲିଲେ ଆଜିଯାଏ….।ଅନ୍ୟପକ୍ଷରେ ସାହିତ୍ୟରେ ସାଧନା ହାସଲ କରି ଶ୍ରୀମତୀ ବାସନ୍ତୀ ଆଜି ଯେଉଁ ସଫଳତା କରିଛନ୍ତି ସେଥିପାଇଁ ସେ ତାଙ୍କ ସ୍ୱାମୀ ଓ ପୁତ୍ରକୁ ଶ୍ରେୟ ଦେଇଛନ୍ତି। ଅଧ୍ୟାପିକା ବାସନ୍ତୀ ମହାନ୍ତିଙ୍କ ସାରସ୍ୱତ କୃତି ଓ ପୁରସ୍କାର ବିଷୟରେ କିଛି- ଓଡ଼ିଆ ଭାଷା ସାହିତ୍ୟରେ ଶୈଳୀ ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କୁ ନିଜର ପ୍ରେରଣା ମଣନ୍ତି ବାସନ୍ତୀ ମହାନ୍ତି।ଏଯାବତ୍ ଏହି ସାରସ୍ୱତ ସାଧିକା ୨୭ଖଣ୍ଡ ପୁସ୍ତକ ଯହିଁରେ ୧୨ଖଣ୍ଡ ଗଳ୍ପ ସଂକଳନ,୨ଗୋଟି ଅନୁବାଦ ରଚନା,୬ଖଣ୍ଡ ସ୍ତମ୍ଭ,୩ଗୋଟି ଜୀବନୀ,ଉପନ୍ୟାସ, ସମାଲୋଚନା ସାହିତ୍ୟ ଆଦି ଅନ୍ତର୍ଭୁକ୍ତ।ତନ୍ମଧ୍ୟରେ ପ୍ରଗତି ଓ ପରମ୍ପରା,ଦୃଷ୍ଟି ଓ ଦିଗନ୍ତ(ସ୍ତମ୍ଭ ସାହିତ୍ୟ) ଉତ୍ତରଣ,ମାଆ,ହାତ ପାପୁଲିରେ ଜୀବନ,ଅଭିଯୁକ୍ତା(ଗଳ୍ପ),ବିକ୍ରମ ଦେବ ବର୍ମା (ଜୀବନୀ),ସାମ୍ପ୍ରତିକ ଘଟଣା(ଓଡ଼ିଶାର ଜାଲିୱାନାଵାଲାବାଗ୍-ପାପଡାହାଣ୍ଡିର ଗୁଳିକାଣ୍ଡ) ଅନନ୍ୟ ଅଟେ। ପୁରସ୍କାର- କଳିଙ୍ଗ ସାହିତ୍ୟ ସମାଜ,ବୌଦ୍ଧ ଜିଲ୍ଲା ମହୋତ୍ସବ, ରାଜ୍ୟ ଲେଖିକା ସଂସଦ,ସୁଲେଖିକା ସାହିତ୍ୟ ସମ୍ମାନ,ମଣ୍ଡେଇ ସମ୍ମାନ,କେନ୍ଦ୍ରାପଡା ସାହିତ୍ୟ ସଂସଦ। ଡ଼.ବାସନ୍ତୀ ମହାନ୍ତିଙ୍କ ମତରେ “ସାହିତ୍ୟ ଏକ ସିଦ୍ଧି”।ମା’ ସରସ୍ଵତୀଙ୍କୁ  ପ୍ରାପ୍ତି ଅର୍ଥ କଠିନ ସାହିତ୍ୟ ସାଧନା।ତେଣୁ ବର୍ତ୍ତମାନର ଯେଉଁ ଯୁବପିଢ଼ି ସାହିତ୍ୟ ରଚନା କ୍ଷେତ୍ରକୁ ଆସୁଛନ୍ତି ସେମାନଙ୍କୁ ଏହି ଲେଖିକା ଉପଦେଶ ମାଧ୍ୟମରେ ଏହି ବାର୍ତା ଦେଇଛନ୍ତି ଯେ “ଲେଖିକା ପୂର୍ବରୁ ପଠନ ଆବଶ୍ୟକ”।ପୁରସ୍କାର ପଛରେ ନ ପଡି ଗୁଣାତ୍ମକ ଲେଖାରେ ଯୁବପିଢ଼ି ମନସ୍ଥ କରି ସାହିତ୍ୟକୁ ରୁଦ୍ଧିମନ୍ତ କରନ୍ତୁ”।ଯେହେତୁ ନିଜ ଜୀବନର ଅନେକ ସମୟ ଆଦିବାସୀ ପରିବେଶରେ କଟିଛି  ତେଣୁ ସେହି ସମସ୍ତ ଅନୁଭବକୁ ନିଜ ଲେଖାରେ ରୂପ ଦେଇ ବନବାସୀଙ୍କ ସଂସ୍କୃତିକୁ ଲୋକଲୋଚନକୁ ଆଣିବାରେ ସର୍ବଦା ଚେଷ୍ଟିତା ଏହି ଲେଖିକା ଜଣକ।

Leave a Reply

Your email address will not be published. Required fields are marked *