ବାଂଲାଦେଶରେ ତିନି ମହଲା ବିଶିଷ୍ଟ ବିରାଟ ନୌକାରେ ଅଗ୍ନିକାଣ୍ଡ , ୩୨ ଜୀବନ୍ତ ଦଗ୍ଧ |

ଢାକା: ବାଂଲାଦେଶରେ ଏକ ନୌକାରେ ଅଗ୍ନିକାଣ୍ଡ ଘଟିବା ଫଳରେ ୩୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ ବାଂଲାଦେଶର ଦକ୍ଷିଣ ଭାଗରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ଭୋର ସମୟରେ ରାଜଧାନୀ ଢାକାଠାରୁ ୨୫୦ କିଲୋମିଟର ଦକ୍ଷିଣକୁ ଝାଲୋକାଠି ଗ୍ରାମାଞ୍ଚଳ ବଜାର ନିକଟରେ ଏହି ଅଘଟଣ ଘଟିଛି । ସେହି ସମୟରେ ଏହି ବିଶାଳ ନୌକାରେ ପ୍ରାୟ ୫୦୦ ଲୋକ ଥିଲେ । ତିନି ମହଲା ବିଶିଷ୍ଟ ଏହି ନୌକା ଓଭିଜାନ ୧୦ ଯାତ୍ରା କରୁଥିବା ସମୟରେ ମଝି ନଈରେ ସେଥିରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ପରେ ତାହା ଭିତରୁ ୩୨ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ସଂଖ୍ୟା ଆହୁରି ବୃଦ୍ଧିପାଇବା ଆଶଙ୍କା କରାଯାଉଛି । ନୌକାର ଇଞ୍ଜିନ ଥିବା ପ୍ରକୋଷ୍ଠରୁ ନିଆଁ ବାହାରି ସମୁଦାୟ ନୌକାକୁ ବ୍ୟାପିଥିବା ଅନୁମାନ କରାଯାଉଛି । ଇତିମଧ୍ୟରେ ପୋଡିଯାଇ ଆହତ ହୋଇଥିବା ପ୍ରାୟ ୧୦୦ରୁ ଅଧିକ ଲୋକଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଗତ ଜୁଲାଇ ମାସରେ ଦେଶର ରୁପଗଞ୍ଜସ୍ଥିତ ଏକ ଖାଦ୍ୟ ଓ ପାନୀୟ ପ୍ରସ୍ତୁତକାରୀ କାରଖାନାରେ ଅଗ୍ନିକାଣ୍ଡ ଘଟି ୫୨ ଜଣଙ୍କର ମୃତ୍ୟୁ ଘଟିଥିଲା । ତାହା ପୂର୍ବରୁ ୨୦୧୯ ଫେବ୍ରୁଆରୀରେ ଢାକାସ୍ଥିତ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୭୦ ଜଣଙ୍କର ପ୍ରାଣହାନି ଘଟିଥିଲା ।

Leave a Reply

Your email address will not be published. Required fields are marked *