ଆସାମରେ ବର୍ଷା ଯୋଗୁଁ ବନ୍ୟା ବିଭୀଷିକା ; ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଦିସପୁର: ଆସାମରେ ମୁସଳଧାରା ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଦିନକୁ ଦିନ ବିକଟାଳ ରୂପ ନେଉଛି। ଗମ୍ଭୀର ହେବାକୁ ଲାଗିଲାଣି ସ୍ଥିତି। ଯୁଆଡେ ଚାହିଁବ କେବଳ ପାଣି ଆଉ ପାଣି। ଅନେକ ଘର ବନ୍ୟା ପାଣିରେ ବୁଡି ଗଲାଣି। ବାସହରା ହେଲେଣି ଲକ୍ଷ ଲକ୍ଷ ଲୋକ। ସେପଟେ ବନ୍ୟା ଯୋଗୁ ଏଠାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ସେହିପରି ଆସାମର ଆଉ କିଛି ନୂଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଥିବାରୁ ରାଜ୍ୟରେ ୩୧ଟି ଜିଲ୍ଲା ପ୍ରଭାବିତ ହୋଇଛି।

ପିଟିଆଇ ମୁତାବକ, ରାଜ୍ୟରେ ନାଗାଓଁ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାରେ ୩.୩୯ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ଚାଚର ଜିଲ୍ଲାରେ ୧.୭୭ ଲକ୍ଷ, ହୋଜାଇରେ ୭୦ହଜାର ୨୩୩ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୭୪,୯୦୭ ପ୍ରଭାବିତ ଲୋକଙ୍କୁ ୨୮୨ ରିଲିଫ କ୍ୟାମ୍ପରେ ରଖାଯାଇଛି। ସେହିପରି ୨୧୪ ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ଯ୍ୟ କରୁଛି ବୋଲି ASDMA ସୂଚନା ଦେଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସେନା, ପାରାମିଲିଟାରୀ ଫୋର୍ସ, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ରିଲିଫ ପରିଚାଳନା କାର୍ଯ୍ୟ ଜାରି ରଖିଛନ୍ତି। ବନ୍ୟା ଯୋଗୁ କିଛି ଟ୍ରେନ୍ ଚଳାଚଳ ମଧ୍ୟ ବାତିଲ କରାଯାଇଛି। ଲମଦିନ ଓ ବଦରପୁର ହିଲ୍ ସେକ୍‌ସନରେ ଅନେକ ସ୍ଥାନରେ ପାଣି ଜମିବା ଓ ମାଟି ଅତଡ଼ା ଖସିବା କାରଣରୁ ୧୧ ଯୋଡ଼ା ଟ୍ରେନ୍ ବାତିଲ କରାଯାଇଛି। ବନ୍ୟାରେ ପ୍ରଭାବିତ ଅଞ୍ଚଳମାନଙ୍କରେ ନଦୀବନ୍ଧ, ରାସ୍ତା, ପୋଲ, ଘର ଏବଂ ଅନ୍ୟସବୁ ନିର୍ମାଣ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *