ଉତ୍ତରପ୍ରଦେଶର ନଏଡାରେ ନିର୍ମାଣଧୀନ ପାଚେରୀ ଭୁଶୁଡି ୪ ଜଣ ଶ୍ରମିକଙ୍କ ମୃତ୍ୟୁ

ଲକ୍ଷ୍ନୌ: ଭୁଶୁଡିଲା ନିର୍ମାଣାଧୀନ ପାଚେରୀ। ଘଟଣାସ୍ଥଳରେ ହିଁ ପାଚେରୀ ତଳେ ଚାପି ହୋଇ ପ୍ରାଣ ହରାଇଲେ ୪ ଜଣ ଶ୍ରମିକ। ଉତ୍ତରପ୍ରଦେଶର ନଏଡାରେ ଏଭଳି ଏକ ଅଘଟଣ ଘଟିଛି। ନଏଡ଼ାର ସେକ୍ଟର-୨୧ରେ ଥିବା ଏକ ପାଚେରୀ ଭାଙ୍ଗିଯିବା ଫଳରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୫ରୁ ୬ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ସେକ୍ଟର-୨୧ରେ ଥିବା ଏକ ପାଚେରୀ କଡ଼ରେ ଥିବା ନାଳ ସାଫା କାମ ଚାଲିଥିଲା। ଶ୍ରମିକମାନେ ତଳେ କାମ କରୁଥିବା ବେଳେ ଅଚାନକ ପାଚେରୀଟି ଭୁଶୁଡି ପଡିଥିଲା। ଫଳରେ କିଛି ଶ୍ରମିକ ପାଚେରୀ ତଳେ ଚାପି ହୋଇରହିଥିଲା। ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ୩ଟି ଜେସିବିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। କିନ୍ତୁ ସେତେବେଳକୁ ୪ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ବାକି ଗୁରୁତର ଥିବା ୫ରୁ ୬ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେପଟେ ସୂଚନା ପାଇ ସ୍ଥାନୀୟ ପ୍ରଶାସନ ଓ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଏହାସହିତ ସ୍ଥାନୀୟ ପ୍ରଶାସନ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କିପରି ଓ କେଉଁଭଳି ପରିସ୍ଥିତିରେ ପାଚେରୀ ଭୁଶୁଡିଲା, ଏହାର ସଠିକ୍‌ କାରଣ ଖୋଜି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଯୋଗୀ।

Leave a Reply

Your email address will not be published. Required fields are marked *