ମୟୂରଭଞ୍ଜ ସବାଇ ଘାସ ଓ କାଇ ପିମ୍ପୁଡି ଚଟଣିକୁ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ

ଭୁବନେଶ୍ୱର : ମୟୂରଭଞ୍ଜ ସବାଇ ଘାସ ଓ କାଇ ଚଟଣିକୁ ଜିଆଇ ଟ୍ୟାଗ୍‌ ପାଇଁ ରାଜ୍ୟ ସରକାର ଆବେଦନ କରିଛନ୍ତି। ଏନେଇ ଟେକ୍ନିକାଲ ମ୍ୟାନେଜମେଣ୍ଟ ସେଲ୍‌ର କନଭେନର ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ସମସ୍ତ ତଥ୍ୟ ଏଫସିଆର୍‌କୁ ଦିଆଯାଇଛି, ଶୀଘ୍ର କମିଟି ବସି ନିଷ୍ପତ୍ତି ନେବ ବୋଲି କନ୍‌ଭେନର କହିଛନ୍ତି।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଶହଶହ ହେକ୍ଟର ଜମିରେ ସବାଇ ଘାସ ଚାଷ ହୋଇଥାଏ। ଢ଼ିପ ଜମିରେ ଏହି ଘାସ ହୋଇଥାଏ। ଖରାଦିନରେ ଏହି ଘାସକୁ କାଟି ଶୁଖାଇ ଲୋକମାନେ ସୁରକ୍ଷିତ ରଖିଥାଆନ୍ତି। ଚାଷ ବାସରୁ ସମୟ ମିଳିଲେ ଲୋକମାନେ ଦୌଡ଼ି ବଳି ବିକ୍ରି କରିଥାଆନ୍ତି। ଗାଁ ଗାଁରେ ଘରେ ଘରେ ଲୋକେ ଏହି ବୃତ୍ତିକୁ ଅପଣାଇଛନ୍ତି। ଏଥିରୁ ଉପାର୍ଜିତ ଅର୍ଥରେ ଲୋକମାନେ ପରିବାର ଭରଣପୋଷଣ କରିଥାଆନ୍ତି।

ବର୍ତ୍ତମାନ ପରିସ୍ଥିତିରେ ସମୟ ବଦଳିଛି। ସବାଇ ଘାସ କେବଳ ଦୌଡି ତିଆରିରେ ସୀମିତ ହୋଇ ରହିନାହିଁ। ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ସବାଇ ଘାସରେ ତିଆରି ହେଉଛି ଟେବୁଲ୍‌, ଚେୟାର, ଫୁଲଦାନି ଓ ଭଳିକି ଭଳି ଘର ସାଜସଜା ସମଗ୍ରୀ। ଏହାର ଚାହିଦା ଭଲ ରହିଛି। କାରିଗରମାନେ ଏହି ସବୁ ସାମଗ୍ରୀ ତିଆରି କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରି ଭଲ ଦୁଇ ପଇସା ଉପାର୍ଜ କରୁଛନ୍ତି।

ଠିକ୍‌ ସେମିତି କାଇ ଚଟଣି ମୟୂରଭଞ୍ଜ ଜିଲ୍ଲାର ଲୋକମାନଙ୍କର ଅତି ପ୍ରିୟ ଖାଦ୍ୟ। ଖରାଦିନେ ଲୋକମାନେ ଜଙ୍ଗଲକୁ ଯାଇ ବଡ଼ ବଡ଼ ଶାଳ, ପିଆଶାଳ, ଜମୁକୁଳି, ଆମ୍ୱ ଆଦି ଗଛରେ ବସା ବାନ୍ଧି ଅଣ୍ଡା ଦେଇ ରହୁଥିବା କାଇ(ଗେରୁଆ ରଙ୍ଗର ଜନ୍ଦା)କୁ ସଂଗ୍ରହ କରି ଘରକୁ ଆଣିଥାଆନ୍ତି। ତାକୁ ଚଟଣି କରି ଖାଇଥାଆନ୍ତି। କାଇ ଚଟଣିକୁ ମୟୂରଭଞ୍ଜ ଜିଲ୍ଲାର ଲୋକମାନେ ଖାଦ୍ୟ ଭାବେ ଗ୍ରହଣ କରିଥାଆନ୍ତି। ହେଲେ ଏଥିରେ ବହୁ ଔଷଧୀୟ ଗୁଣ ରହିଥିବା ଆଲୋଚନା ହେଉଛି। କୁହାଏ କାଇ ଚଟଣି ଖାଇଲେ ଥଣ୍ଡା ହୋଇନଥାଏ।

ସୂଚନାରୁ ପ୍ରକାଶ, ୨୦୨୧ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୌଣସି ସାମଗ୍ରୀର ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୩୦ ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରକୁ ଚିଠି କରିଥିଲା। ସେହି ସମୟରେ ମୟୂରଭଞ୍ଜ ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର କାଇର ଔଷଧୀୟ ଗୁଣ ସମ୍ପର୍କରେ ଓୟୁଏଟିକୁ ତଥ୍ୟ ଦେଇଥିଲା। ଉକ୍ତ ତଥ୍ୟ ଉପରେ ଅଧିକ ଗବେଷଣା ପାଇଁ ଓୟୁଏଟି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ।

Leave a Reply

Your email address will not be published. Required fields are marked *