ଗଛରେ ପିଟିହେଲା ସରକାରୀ ବସ୍‌ ; ହେଲ୍‌ପର ମୃତ, ୧୦ରୁ ଅଧିକ ଗୁରୁତର

କୋରାପୁଟ : ବ୍ରେକ୍‌ଫେଲ୍‌ ହୋଇ ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା ସରକାରୀ ବସ୍‌। ଦୁର୍ଘଟଣାରେ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକଙ୍କ ସମେତ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ୍‌ ଜିଲ୍ଲାରେ ଘଟିଛି। ବସ୍‌ଟି ଦାମନଯୋଡ଼ିରୁ ବିଶାଖାପାଟଣା ଯାଉଥିଲା।

ଆନ୍ଧ୍ରପ୍ରଦେଶର ସରକାରୀ ବସ୍‌ ଦାମନଯୋଡ଼ିରୁ ଅପରାହ୍ନ ସାଢ଼େ ୩ଟାରେ ଛାଡ଼ିଥିଲା। ସେତେବେଳେ ବସ୍‌ରେ ୩୨ରୁ ଅଧିକ ଯାତ୍ରୀ ଥିଲେ। ଦାମନଯୋଡ଼ି ଛାଡ଼ିର ପ୍ରାୟ ଅଧ ଘଣ୍ଟାଏ ପରେ ୨୬ ନମ୍ୱର ଜାତୀୟ ରାଜପଥର ମାଳିପୁଟ୍‌ ନିକଟରେ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଥିଲା। ଡ୍ରାଇଭର ଗାଡି ସମ୍ଭାଳି ପାରିନଥିଲେ। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଛି। ଘଟଣା ସ୍ଥଳରେ କଣ୍ଡକ୍ଟର ପ୍ରସାଦଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର୍‌ ସମେତ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ପଟାଙ୍ଗୀ ଥାନା ପୁଲିସ ଘଟଣା ସ୍ଥଳରେ ପହିଁଛି ଆହତଙ୍କୁ ଉଦ୍ଧାର କରି କୁନ୍ଦୁଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ତେବେ ବସ୍‌ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କୋରାପୁଟ୍‌ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *