ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ : ଆଣ୍ଟିବାୟୋଟିକ ଲେଖିବା ବେଳେ କାରଣ କହିବେ ଡାକ୍ତରବିନା ପ୍ରେସ୍‌କ୍ରିପ୍‌ସନରେ ଆଣ୍ଟିବାୟୋଟିକ୍‌ ବିକ୍ରି ବନ୍ଦ ହେବ

ନୂଆଦିଲ୍ଲୀ : ଡାକ୍ତରମାନେ ଏଣିକି ଆଣ୍ଟିବାୟୋଟିକ ଲେଖିବା ବେଳେ ସେମାନଙ୍କୁ କାରଣ ସ୍ପଷ୍ଟ କରିବାକୁ ପଡ଼ିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ମେଡିକାଲ କଲେଜ ଏବଂ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ଡାକ୍ତରମାନେ ଆଣ୍ଟିବାୟୋଟିକ ଲେଖିବା ସମୟରେ ଏହାର କାରଣ ଓ ଯଥାର୍ଥତା ମଧ୍ୟ ଲେଖିବାକୁ ପଡ଼ିବ। ଡାକ୍ତରମାନେ ଏହା ପାଳନ କରିବାକୁ ଯଥୋଚିତ ଗୁରୁତ୍ବ ଦେବାସହ ଏବଂ ଏହାକୁ ବାଧ୍ୟତାମୂଳକ ଅଭ୍ୟାସ କରିବାକୁ ମନ୍ତ୍ରାଳୟ କହିଛି। ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡାକ୍ତର ଅତୁଲ ଗୋୟଲ ସମସ୍ତ ଫାର୍ମାସିଷ୍ଟମାନଙ୍କୁ ଔଷଧ ଏବଂ କସମେଟିକ୍ସ ନିୟମର ଅନୁସୂଚୀ ଏଚ୍’ ଏବଂ ‘ଏଚ୍ ୧’କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଏବଂ ବିନା ପ୍ରେସ୍‌କ୍ରିପ୍‌ସନରେ ଆଣ୍ଟିବାୟୋଟିକ୍‌ ବିକ୍ରି ବନ୍ଦ କରିବାକୁ ନିବେଦନ କରିଛନ୍ତି। କେବଳ ଜଣେ ଯୋଗ୍ୟ ଡାକ୍ତରଙ୍କ ପ୍ରେସ୍‌କ୍ରିପସନରେ ଆଣ୍ଟିବାୟୋଟିକ ବିକ୍ରି କରିବାକୁ କୁହାଯାଇଛି।

ଔଷଧ ପ୍ରତିରୋଧୀ ଜୀବାଣୁର ବିକାଶରେ ମୁଖ୍ୟ ପ୍ରୋତ୍ସାହକ ଆଣ୍ଟିମାଇକ୍ରୋବିୟଲ (ସୂକ୍ଷ୍ମଜୀବାଣୁରୋଧୀ)ର ଅପବ୍ୟବହାର ଏବଂ ଅତ୍ୟଧିକ ବ୍ୟବହାରକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଡାକ୍ତର ଗୋୟଲ କହିଛନ୍ତି। ଆଣ୍ଟିବାୟୋଟିକର ସଠିକ୍‌ ପ୍ରୟୋଗ ଉପରେ ସରକାର ଏବେ ଗୁରୁତ୍ବ ଦେଇ ବେପରୁଆ ବିକ୍ରିବଟା ବନ୍ଦ କରିବାକୁ କହିଥିବାରୁ ଆଗାମୀ ଦିନରେ ଏ ନେଇ କେତେକ କଡ଼ା ନିର୍ଦ୍ଦେଶାବଳି ମଧ୍ୟ ଜାରି ହେବ ବୋଲି ଜଣାପଡ଼ିଛି। ଭାରତର ସମସ୍ତ ଫାର୍ମାସିଷ୍ଟ ସଂଘକୁ ଲେଖିଥିବା ଚିଠିରେ ଡାକ୍ତର ଗୋୟଲ କହିଛନ୍ତି ଯେ ‘ଡ୍ରଗ୍ସ ଆଣ୍ଡ କସମେଟିକ୍ସ ନିୟମ ୧୯୪୫’ ଅନୁଯାୟୀ, ଅନୁସୂଚୀ ‘ଏଚ୍‌’ ଅଧୀନରେ ନିର୍ଦ୍ଦିଷ୍ଟ ଔଷଧ ତାଲିକାରେ ଆଣ୍ଟିବାୟୋଟିକ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହା କେବଳ ପଞ୍ଜୀକୃତ ମେଡିକାଲ ପ୍ରାକ୍ଟିସନର (ଆରଏମ୍‌ପି)ଙ୍କ ପ୍ରେସକ୍ରିପସନରେ ଖୁଚୁରା ବିକ୍ରି ହେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *