ଭୁବନେଶ୍ୱର ମଧ୍ଯ ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ : ବିଜେପିରେ ମିଶିଲେ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ

ଭୁବନେଶ୍ୱର: ରାଜଧାନୀରେ ଦେଖିବାକୁ ମିଳିଲାଣି ନିର୍ବାଚନୀ ତାତି | ଭାରତୀୟ ଜନତା ପାର୍ଟିର ଭୁବନେଶ୍ୱର ଲୋକସଭା ପାଇଁ ଅପରାଜିତାଙ୍କୁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ | ହେଲେ ବି ପ୍ରଚାର ମୈଦାନକୁ ଓହ୍ଲେଇଲେଣି ବିଜେପିର ହେଭିୱେଟ ନେତା | ଆଜି ଭୁବନେଶ୍ୱର ମଧ୍ଯ ନିର୍ବାଚନ ମଣ୍ଡଳୀର ଦେବରାୟ କଲେଜ ନିକଟରେ ଆୟୋଜିତ ବିଜେପିର ସାଧାରଣ ସଭାରେ ହୋଇଛି ବଡ ଧରଣର ମିଶ୍ରଣ | ରାଜଧାନୀର ବିଜେପିର ପ୍ରମୁଖ ଚେହେରା ଜଗନ୍ନାଥ ପ୍ରଧାନ ଏବଂ ବାବୁ ସିଂହଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ | ‘ ପରିବର୍ତ୍ତନର ଶୋଭାଯାତ୍ରା ‘ କାର୍ଯ୍ୟକ୍ରମରେ ୱାର୍ଡ ନମ୍ୱର୍ ୩୮ ଏବଂ ୩୯ ସମେତ ନୟାପଲ୍ଲୀ ଅଞ୍ଚଳର ବହୁ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି | ସ୍ଥାନୀୟ ଅଞ୍ଚଳର ଜଣାଶୁଣା ଯୁବନେତା ଦେବବ୍ରତ ମହାନ୍ତି (ବିକି)ଙ୍କ ତତ୍ୱାବଧାନରେ ପ୍ରାୟ ୩୦୦ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ | ଏହି ଅବସରରେ ଭୁବନେଶ୍ୱର ମଧ୍ଯ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ତଥା ବଳିଷ୍ଠ ନେତୃତ୍ୱରେ ବିକାଶର ଧାରା ଦେଶ ତଥା ରାଜ୍ୟର ଯୁବ ବର୍ଗଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଛି | ‘ଅବକି ବାର ୪୦୦ ପାର’ ନାରାକୁ ସାକାର କରିବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ପାଇଁ ରାଜ୍ୟ ବିଜେପି ସଂକଳ୍ପବଦ୍ଧ | ଏଥର ଲୋକ ଚାହୁଁଛନ୍ତି ପରିବର୍ତ୍ତନ | ତେଣୁ ଆମ କର୍ମୀ ମାନଙ୍କୁ ବିଜେପିର ବାର୍ତ୍ତା ସଠିକ ଢଙ୍ଗରେ ଭୋଟରଙ୍କ ପାଖରେ ପହଞ୍ଚାଇବାକୁ ହେବ | ଭୁବନେଶ୍ୱର ମଧ୍ଯ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏହି ଧାରା ବଜାୟ ରଖିବାକୁ ସେ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟ ରେ ବିଜେପି ନେତା ବାବୁ ସିଂ ଚଳିତ ନିର୍ବାଚନରେ ଭୁବନେଶ୍ୱର କ୍ଷେତ୍ରରେ କର୍ମୀଙ୍କୁ ଭୋଟରଙ୍କ ସହ ଯୋଡିହେବା ପାଇଁ ପରାମର୍ଶ ଦେଇଥିଲେ | ରାଜ୍ୟ ସରକାରଙ୍କ ଅପାରଗତା ଏବଂ ରାଜଧାନୀବାସୀଙ୍କ ପ୍ରତି ଚରମ ଅବହେଳାକୁ ଜବାବ ଦେବାକୁ ସମୟ ଆସିଯାଇଛି ବୋଲି କହିଥିଲେ | ଭୁବନେଶ୍ୱର ମଧ୍ଯ ନିର୍ବାଚନ ମଣ୍ଡଳୀରେ ବିଜେପିର ବଢୁଥିବା ଜନସମର୍ଥନ ଯୋଗୁ ଆଗାମୀ ଦିନରେ ଏହି ଅଞ୍ଚଳର ବହୁ କଂଗ୍ରେସ ଓ ବିଜେଡି କର୍ମୀଙ୍କ ସମେତ ସାଧାରଣ ଲୋକମାନେ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *