୧୯ତମ ଏସିଆନ କ୍ରୀଡ଼ାରେ ଇତିହାସ ରଚିଲା ଭାରତ ; ୪୧ ବର୍ଷ ପରେ ପ୍ରଥମଥର ପାଇଁ ଭାରତକୁ ଅଶ୍ୱ ଚାଳନାରେ ମିଳିଛି ସ୍ୱର୍ଣ୍ଣ ପଦକ

ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଇତିହାସ ରଚିଛି ଭାରତ। ୪୧ ବର୍ଷ ପରେ ପ୍ରଥମଥର ପାଇଁ ଭାରତକୁ ଅଶ୍ୱ ଚାଳନାରେ ମିଳିଛି ସ୍ୱର୍ଣ୍ଣ। ୧୯୮୨ ଠାରୁ ଏଯାଏ ଭାରତ କେବେ ହେଲେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା। ହେଲେ ଆଜି ଚାଇନାରେ ଅଶ୍ୱ ଚାଳନାର ଟିମ ଇଭେଣ୍ଟରେ ଭାରତକୁ ଗୋଲ୍ଡ ମେଡାଲ ମିଳିଛି।

ଭାରତ ୨୦୯.୨୦୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚାଇନା ୨୦୪.୮୮୨ ପଏଣ୍ଟ ସହ ରୌପ ପଦକ ଓ ହଂକଂ ଚାଇନା ୨୦୪.୮୨ ପଏଣ୍ଟ ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି।

ଭାରତ ପକ୍ଷରୁ ସୁଦୀପ୍ତି ହାଜେଲା, ହ୍ରିଦୟ ବିପୁଲ ଛେଡା, ଅନୁଶ ଗାରୱାଲ୍ଲା ଓ ଦିବ୍ୟାକରିତି ସିଂହଙ୍କୁ ନେଇ ଗଠିତ ଟିମ ଅଶ୍ୱ ଚାଳନାର ଡ୍ରେସଏଜ ଇଭେଣ୍ଟରେ ଐତିହାସିକ ସ୍ୱର୍ଣ୍ଣ ଜିତିଛନ୍ତି। ଏହା ଡ୍ରେସଏଜ ଇଭେଣ୍ଟରେ ଭାରତର ପ୍ରଥମ ସ୍ୱର୍ଣ୍ଣ।

ସେହିପରି ଭାରତ ଅଶ୍ୱ ଚାଳନା କ୍ରୀଡ଼ାରେ ୪ର୍ଥ ଥର ପାଇଁ ସ୍ୱର୍ଣ୍ଣ ଜିତିଛି। ଏହାପୂର୍ବରୁ ୧୯୮୨ ଏସିଆନ ଗେମ୍ସରେ ଭାରତ ଅଶ୍ୱ ଚାଳନାରେ ୩ଟି ସ୍ୱର୍ଣ୍ଣ ଜିତିଥିଲା।

ଅଶ୍ୱ ଚାଳନାରେ ଭାରତ ଆଜି ସ୍ୱର୍ଣ୍ଣ ଜିତିବା ପରେ ଦେଶର ପଦକ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏଥିରେ ୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ରହିଛି।

ଆଜି ଗୋଟିଏ ଦିନରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି। ଆଜି ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ମିଳିଥିବା ବେଳେ ପୋତଚାଳନାରେ ନେହା ଠାକୁର ରୌପ୍ୟ ପଦକ ଜିତିଥିଲେ। ସେହିପରି ପୁରୁଷ ୱିଣ୍ଡ ସଫର ଇଭେଣ୍ଟରେ ଭାରତର ଇବାଦତ ଅଲୀ ବ୍ରୋଞ୍ଜ ପଦକ ଜିତିଛନ୍ତି।

Leave a Reply

Your email address will not be published. Required fields are marked *