ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ର ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର। ଆଇପିଏଲର ୧୫ତମ ସଂସ୍କରଣ ପରେ ମଧ୍ୟ ଭାରତରେ ଜାରି ରହିବ ଟି-୨୦ କ୍ରିକେଟର ମଜା। କାରଣ ଭାରତ ସହ ୫ ଟିକିଆ ଟି-୨୦ ସିରିଜ୍‌ ଖେଳିବାକୁ ଆସିବ ଦକ୍ଷିଣ ଆଫ୍ରିକା। ଆଇପିଏଲ ଶେଷ ହେବାର ପ୍ରାୟ ୧୦ ଦିନ ପରେ ରୋହିତ ଶର୍ମା ଆଣ୍ଡ କୋ ଦକ୍ଷିଣ ଆଫ୍ରିକାକୁ ଭେଟିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏହି ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ ଓଡ଼ିଶାର ବାରବାଟୀରେ ଖେଳାଯିବ। ଏନେଇ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ମାର୍ଚ୍ଚ ୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌କୁ ଚୂଡ଼ାନ୍ତ କରିବାକୁ ବିସିସିଆଇର ବୈଠକ ବସିଥିଲା।

ଏହି ସମୟରେ ଜୁନ ୯ରୁ ୧୯ ତାରିଖ ଯାଏ ଦୁଇ ଦେଶ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ମ୍ୟାଚ୍‌ ଗୁଡ଼ିକ ଯଥାକ୍ରମେ କଟକ, ବିଶାଖାପଟନମ, ଦିଲ୍ଲୀ,ରାଜକୋଟ ଓ ଚେନ୍ନାଇରେ ଅନୁଷ୍ଠିତ ହେବ। ଏହି ସିରିଜ୍‌ ପରେ ଭାରତୀୟ ଟିମ ଅଧା ରହିଥିବା ଟେଷ୍ଟ ସିରିଜ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବ।

ବିସିସିଆଇର ଅଧିକାରୀ ଜଣଙ୍କ କହିଛନ୍ତି ଯେ ଜୁନ ମାସରେ କଟକ ଓ ବିଶାଖାପଟନମରେ ବର୍ଷାର ଆଶଙ୍କା ରହିଛି। ହେଲେ ଦିଲ୍ଲୀ, ରାଜକୋଟ ଓ ଚେନ୍ନାଇରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବାରବାଟୀରେ ମ୍ୟାଚ ଖେଳିବାକୁ ଆସୁଥିବା ଖବର ମିଳିବା ପରେ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି। ପୂର୍ବରୁ ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ ହେବାର ଥିଲା। କିନ୍ତୁ କରୋନା ପାଇଁ ଏହା ସମ୍ଭବ ହୋଇ ପାରି ନଥିଲା। ତେଣୁ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ଟିମ ବାରବାଟୀରେ ମ୍ୟାଚ୍‌ ଖେଳିବାକୁ ଆସୁଥିବାରୁ ସମସ୍ତେ ଜୁନ ୯ ତାରିଖକୁ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *