ଦେଶ ବିରୋଧ କାର୍ଯ୍ୟ ପାଇଁ ଆସିଫ ମକବୁଲ ଦରକୁ ଆତଙ୍କବାଦୀ ଘୋଷଣା କଲେ ଭାରତ ସରକାର
ଶ୍ରୀନଗର: ସାଉଦି ଆରବରେ ରହୁଥିବା କଶ୍ମୀରର ମୂଳବାସିନ୍ଦା ଡା. ଆସିଫ ମକବୁଲ ଦରକୁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆତଙ୍କବାଦୀ ଭାବେ ଘୋଷଣା କରିଛି। ୟୁଏପିଏ ଆଇନ ୧୯୬୭ ବଳରେ ଭାରତ ସରକାର ଆସିଫ ବିରୋଧରେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଡା. ଆସିଫର ଘର ବାରମୁଲ୍ଲା। ସେ ଏବେ ସାଉଦି ଆରବରେ ରହୁଛି। ତା’ର ଲିଙ୍କ ହିଜବୁଲ ମୁଜାହିଦ୍ଦିନ ସହ ରହିଛି। ହିଜବୁଲ ସହ ମିଶି ସେ ଭାରତ ବିରୋଧରେ କାର୍ଯ୍ୟ କରୁଛି। ସୋଶାଲ ମିଡିଆ ପ୍ଲାଟଫର୍ମର ବ୍ୟବହାର କରି ସେ କଶ୍ମୀରର ଯୁବକମାନଙ୍କୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଉସକାଉଛି।
ସେ ମୌଳବାଦୀ ଚିନ୍ତାଧାରାରେ ଅନ୍ୟକୁ ପ୍ରଭାବିତ କରିଥାଏ। ଭାରତ ସରକାର ଓ ଭାରତୀୟ ସୁରକ୍ଷାକର୍ମୀଙ୍କ ବିରୋଧରେ ଅସ୍ତ୍ର ଉଠାଇବାକୁ ସେ କଶ୍ମୀରର ଯୁବକମାନଙ୍କୁ ବାରମ୍ବାର କହି ଆସୁଛି। ଜମ୍ମୁ-କଶ୍ମୀର ଓ ଭାରତର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ହମଲା କରିବାକୁ ହୋଇଥିବା ଷଡ଼ଯନ୍ତ୍ରର ଅଭିଯୁକ୍ତ ହେଉଛି ଆସିଫ। ତା’ ବିରୋଧରେ ଏନଆଇଏ ତଦନ୍ତ କରୁଛି। ତେଣୁ ତାକୁ ଆତଙ୍କବାଦୀ ଘୋଷଣା କରାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ଏହାପୂର୍ବରୁ ଶୁକ୍ରବାର ଭାରତ ସରକାର ସମାନ ୟୁଏପିଏ ବଳରେ ଲସ୍କର-ଇ-ତାଏବା ସହ ସମ୍ପର୍କ ରଖିଥିବା ଅରବାଜ ଅହମଦ ମୀରକୁ ଆତଙ୍କବାଦୀ ଘୋଷଣା କରିଥିଲେ। କଶ୍ମୀରରେ ସରକାରୀ ଶିକ୍ଷକ ଭାବେ କାମ କରୁଥିବା ଜଣେ ହିନ୍ଦୁ ମହିଳା ରଜନୀ ବାଲାଙ୍କୁ ହତ୍ୟା କରିବା ପଛରେ ମୀରର ହାତ ରହିଥିଲା। ତେଣୁ ଭାରତ ସରକାର ତାକୁ ଆତଙ୍କବାଦୀ ଘୋଷଣା କରିଥିଲେ। ଏହାବାଦ ଜୈଶ ଦ୍ୱାରା ପରିଚାଳିତ ପିଏଏଫଏଫ ସଂଗଠନକୁ ମଧ୍ୟ ଭାରତ ସରକାର ବ୍ୟାନ କରିଥିଲେ।