ଭାରତ ବିକାଶ ସମ୍ମାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର: ଇନଷ୍ଟିଚ୍ୟୁଟ ଅଫ୍ ସେଲ୍ ରିଲାଏନ୍ସ ଦ୍ବାରା ଜାନୁୟାରୀ ୬ ତାରିଖ ଦିନ ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶା ଠାରେ ‘‘ନବ ସୃଜନ ପରିବେଶର ଆବଶ୍ୟକତା ଶୀର୍ଷକ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଏବଂ ସମ୍ମାନଜନକ ‘‘ଭାରତ ବିକାଶ ସମ୍ମାନ” ବିତରଣ ଉତ୍ସବର ଆୟୋଜନ କରାଯାଇଥିଲା । ସାରା ଦେଶର ବୁଦ୍ଧିଜୀବିମାନଙ୍କୁ ସେମାନଙ୍କର ବିଚାରଧାରା ବ୍ୟକ୍ତ କରିବା ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ସହିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ଏହି ଆଲୋଚନା ଚକ୍ରର ମୂଳ ଉଦ୍ଦେଶ୍ୟ ଥିଲା। ଭାରତ ଓ ଅନ୍ୟ ପଡ଼ୋଶୀ ଦେଶ ଯଥା ନେପାଳ, ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା, ଦକ୍ଷିଣ କୋରିଆ ଏବଂ ଭିଏତନାମ ଆଦି ଦେଶର ବିଭିନ୍ନ ବର୍ଗ (ଯଥା ଶିକ୍ଷକ, ଅଧ୍ୟାପକ, ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିଅର, ସମାଜସେବୀ, ଉଦ୍ୟୋଗପତି) ମାନଙ୍କ ଠାରୁ ନାମାଙ୍କନ ପତ୍ର ଆହ୍ଵାନ କରାଯାଇ, ଏକ ଦକ୍ଷ ବିଚାରକ ମଣ୍ଡଳୀ ଦ୍ବାରା ସେସବୁର ତର୍ଜମା କରାଯାଇଥିଲା। ଶେଷରେ ୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଚଳିତ ବର୍ଷ ଭାରତ ବିକାଶ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତିନୋଟି ପର୍ଯ୍ୟାୟ ବିଶିଷ୍ଟ ଏହି କାର୍ଯ୍ୟକ୍ରମ ଦିନ ତମାମ ଚାଲିଥିଲା। ପ୍ରତି ପର୍ଯ୍ୟାୟରେ ମୁଖ୍ୟ ଅତିଥ୍‌ ଓ ସମ୍ମାନିତ ବକ୍ତାମାନେ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଭୁବନେଶ୍ବର ମହାନଗର ନିଗମର ଅଧ୍ୟକ୍ଷା ଶ୍ରୀମତି ସୁଲୋଚନା ଦାସ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି ଆର୍ ଶର୍ମା ଏବଂ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ଉତ୍ସବରେ ପୌରୋହିତ୍ୟ କରିଥିଲେ। ଏତଦ୍ ବ୍ୟତୀତ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ମାନ୍ୟବର ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ, ଭାରତ ସରକାରଙ୍କର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ପୂର୍ବତନ ମୁଖ୍ୟ ସଚିବ ଶ୍ରୀ କଲ୍ୟାଣ ରାୟ (ଭା.ପ୍ର.ସେ.), ଓଡ଼ିଶା ସରକାରଙ୍କର ପୂର୍ବତନ ମୁଖ୍ୟ ସଚିବ ଶ୍ରୀ ବିଜୟ ପଟ୍ଟନାୟକ (ଭା.ପ୍ର.ସେ.) ଏବଂ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ପ୍ରଫେସର ଧନୁଷ ଧାରୀ ମିଶ୍ର ପ୍ରମୁଖ ମୁଖ୍ୟ ଅତିଥ୍‌ ଭାବରେ ଯୋଗଦାନ କରିଥିଲେ। କୋଲକାତା ସ୍ଥିତ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ମହାବିଦ୍ୟାଳୟର ଡଃ ମଧୁମିତା ଦଣ୍ଡପାଟ ପାତ୍ର, କର୍ଣ୍ଣାଟକର ଟୁମକୁରୁ ସ୍ଥିତ ସିଦ୍ଧଗଙ୍ଗା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ପ୍ରଫେସର ଡଃ ପ୍ରୀତି ଦେଶାଇ, ତାମିଲନାଡୁର ତିରୁନେଲଭେଲି ସ୍ଥିତ ମନୋନମନିୟମ ସୁନ୍ଦରନାର ବିଶ୍ବବିଦ୍ୟାଳୟର ପ୍ରଫେସର ଡଃ ସି କନ୍ନନ୍, କର୍ଣ୍ଣାଟକର ମହୀଶୁର ସ୍ଥିତ ହାର୍ଟଫୁଲନେସ୍ ରିସର୍ଜ୍ ସେଣ୍ଟରର ପ୍ରଫେସର ଡଃ ଶିବାନୀ, ତେଲଙ୍ଗାନାର ହାଇଦ୍ରାବାଦ ସ୍ଥିତ ଓସମାନିଆ ବିଶ୍ୱବିଦ୍ୟାଳୟର ଡଃ ଭାସ୍କର ବେଲାଙ୍କି, ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ଭାରତୀୟ ଜଙ୍ଗଲ ପରିଚାଳନା ପ୍ରତିଷ୍ଠାନର ପ୍ରଫେସର ଶିବ ପ୍ରତାପ ସିଂହ, ଉତ୍ତରାଖଣ୍ଡର ଡେହରାଡୁନ ସ୍ଥିତ ଭାରତୀୟ ବାନିକୀ ଅନୁସନ୍ଧାନ ଏବଂ ଶିକ୍ଷା ପରିଷଦର ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର ଜେନେରାଲ ଡଃ ସୁମିତ୍‌ ଚକ୍ରବର୍ତୀ, ଉତ୍ତରାଖଣ୍ଡର ଋଷିକେଶ ସ୍ଥିତ ଅଖ୍ୟ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ପ୍ରଫେସର ଡାଃ ଅଂଶୁମାନ ଦରବାରୀ, ଉତ୍ତରାଖଣ୍ଡର ନୈନିତାଲ ସ୍ଥିତ ଆର୍ଯ୍ୟଭଟ୍ଟ ପ୍ରେକ୍ଷଣ ବିଜ୍ଞାନ ଶୋଧ ସଂସ୍ଥାନର ଇଂ ପ୍ରଦୀପ ଚକ୍ରବର୍ତୀ, ତାମିଲନାଡୁର ଚେନ୍ନାଇ ସ୍ଥିତ ଏମିଡ୍‌ର ଡଃ କାର୍ଭିକ ରମେଶ ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଇନଷ୍ଟିଚ୍ୟୁଟ ଅଫ୍ ସେଲ୍ ରିଲାଏନ୍ସ ଏକ ସାର୍ବଜନୀନ ଟ୍ରଷ୍ଟ ଯାହା ବୁଦ୍ଧିଜୀବି ଯଥା ଡାକ୍ତର, ଇଞ୍ଜିନିୟର, ଅଧ୍ୟାପକ, ଆଇନଜୀବୀ, ସମାଜସେବୀ ଉଦ୍ୟୋଗପତି, ବ୍ୟବସାୟୀ, କୃଷି ବିତ୍ ଇତ୍ୟାଦି ମାନଙ୍କୁ ନେଇ ଗଠିତ। ଏହା ୨୦୦୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ପ୍ରଶିକ୍ଷଣ, ପ୍ରତିଭା ବିକାଶ, ପ୍ରକାଶନ, ପରାମର୍ଶ ପ୍ରଦାନ ଏହାର ମୂଳ ଉଦ୍ଦେଶ୍ୟ। ଏହା ବିଭିନ୍ନ ସ୍ତରରେ ପ୍ରତିଭାବାନ ବ୍ୟକ୍ତିଙ୍କୁ ଉତ୍ସାହିତ କରିଥାଏ ।

Leave a Reply

Your email address will not be published. Required fields are marked *