ଅନୁଭୂତିରୁ ଆସିଥିବା ଶବ୍ଦ ଯେତେବେଳେ କଳ୍ପନାରେ ମିଶେ ସାହିତ୍ୟରେ ସୃଜନ ଫୁଟିଉଠେ : ଧର୍ମରାଜ

ପିଲାଟି ଦିନରୁ ସାହିତ୍ୟ ପ୍ରତି ଥିଲା ପ୍ରବଳ ରୁଚି । ନିଜର ଛାତିରେ ପୁସ୍ତକ ଲଗାଇ ପଢ଼ିବାର ମଜା ଓ ସେଥିରେ ହଜିଯିବାର ନିଶା ତାଙ୍କୁ ଏକ ଅପୂର୍ବ ଆନନ୍ଦ ପ୍ରଦାନ କରିଥିଲା । ବିଜ୍ଞାନର ଛାତ୍ର ହୋଇଥିବା ସତ୍ୱେ ନିଜକୁ ଟିକେ ଫାଙ୍କା ମିଳିଲେ ସେ ଉପନ୍ୟାସ ପଢିବାରେ ମଜିଯାଆନ୍ତି ତ ଆଉ କେତେବେଳେ କିଛି କବିତା ଲେଖିଦିଅନ୍ତି । ସେମିତି ଏକ ଯୁବ ପ୍ରତିଭା ହେଉଛନ୍ତି ବରଗଡ଼ ଜିଲ୍ଲାର ଧର୍ମରାଜ ମହାମଲିକ୍ । ବାପା,ମାଆ ଓ ଭଉଣୀଙ୍କୁ ନେଇ ତାଙ୍କର ଛୋଟ ପରିବାର । ପଂଚାୟତ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ବର୍ତ୍ତମାନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଧର୍ମରାଜ । ତେବେ ବିଧିବଦ୍ଧ ଭାବେ ତାଙ୍କର ଲେଖନୀ ଆରମ୍ଭ ହୋଇଥିଲା କଲେଜ ସମୟରୁ । ପ୍ରଥମ ଲେଖା ତାଙ୍କର ଥିଲା “ସଭ୍ୟତା”। ଏହି କବିତାଟି ସମ୍ବଲପୁରରୁ ପ୍ରକାଶିତ “ସମ୍ବାଦ ଯୁଗାର”ରେ ପ୍ରକାଶିତ ହୋଇଥିଲା । ନିଜ ପୁଅର ପ୍ରଥମ ଲେଖାକୁ ଖବରକାଗଜରେ ଦେଖି  ଧର୍ମରାଜଙ୍କ ପିତାମାତା ଖୁବ୍ ଖୁସି ହୋଇଥିଲେ । ଧର୍ମରାଜଙ୍କ ମତରେ ଲେଖାରେ ମୌଳିକତା ଆବଶ୍ୟକ । ସୃଜନ ସେତେବେଳେ ସଫଳ ଯେତେବେଳେ ସେଥିରେ ତତ୍ୱ ସହ ମୌଳିକତା ଆସିଥାଏ | ଓଡିଆ ସାହିତ୍ୟରେ ଅନେକ ଶବ୍ଦ ଭଣ୍ଡାର ଅଛି ଯାହାକୁ ଲେଖା,ସଙ୍ଗୀତ ମାଧ୍ୟମରେ ପ୍ରୟୋଗ କରିଲେ ଆମ ସାହିତ୍ୟର ମାନ ଆହୁରି ବୃଦ୍ଧିପାଇବ ବୋଲି କହିଛନ୍ତି ଏହି ଯୁବ କବି।
ଓଡ଼ିଆ ସାହିତ୍ୟର ବିଶିଷ୍ଟ ମହାମନିଷୀଙ୍କ ଲେଖା ତାଙ୍କୁ ପ୍ରଭାବିତ କରିଥାଏ । ସେମାନଙ୍କ ମଧ୍ୟରେ ଫକୀରମୋହନ ସେନାପତି,ସଚି ରାଉତରାୟ,ପ୍ରତିଭା ରାୟ ପ୍ରମୁଖ।ସେମାନଙ୍କ ସାମାଜିକ ଜୀବନ ଉପରେ ଆଧାରିତ ଲେଖା ଗୁଡ଼ିକ ସମାଜ ପାଇଁ ବେଶ ଶିକ୍ଷଣୀୟ ବୋଲି କହିଛନ୍ତି ଧର୍ମରାଜ।ତାଙ୍କର ଲେଖା ନିର୍ଭୟ,ପ୍ରଗତିବାଦୀ,ଧ୍ୱନି ପ୍ରତିଧ୍ବନି ଆଦିରେ ପ୍ରକାଶିତ ହୋଇ ସାରିଥିବା ବେଳେ “ସ୍ମୃତି ମୋ ଡାଏରୀ” କବିତା ଆସରରେ କବିତା ପାଠ କରିଥାନ୍ତି ଧର୍ମରାଜ । ବର୍ତ୍ତମାନ ହେଉଥିବା ନକଲ ସାହିତ୍ୟକୁ ବିରୋଧ କରନ୍ତି ଏହି ଯୁବକବି । ତାଙ୍କ ମତରେ ପ୍ରତ୍ୟେକଙ୍କ ଲେଖା ଅନୁଭୂତି ଓ ଅଭ୍ୟାସ ସମ୍ପର୍ଣ୍ଣ ହେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *