ନାଟ୍ୟ ସାହିତ୍ୟ କେବଳ ଅନୁଷ୍ଠାନରେ ସୀମିତ ନହୋଇ ଉଭୟ ମଞ୍ଚ ଓ ପ୍ରୋତ୍ସାହନର ଆବଶ୍ୟକ କରେ : ଡ଼.କିଶୋର ମହାନ୍ତି

ଦିନେ ବିଦ୍ୟାଳୟର ମୁଖପାତ୍ର ଲେଖା ପାଇଁ ଶ୍ରେଣୀ ଶିକ୍ଷକଙ୍କ ଆଦେଶ ଓ ଛାତ୍ରବତ୍ସଳ ଅଧ୍ୟାପକ ବିଜୟ କୁମାର ଶତପଥୀଙ୍କ ଉତ୍ସାହ ତାଙ୍କୁ ଲେଖନୀ ଧରିବା ପାଇଁ ପ୍ରେରଣା ଯୋଗାଇଥିଲା।କେତେବେଳେ ଯେ ସେ ଜଣେ ନାଟ୍ୟକାରରୁ ସୁସାହିତ୍ୟିକ ପାଲଟିଯିବେ ତାହା କିଏ ବି ଜାଣି ନଥିଲେ।ତେବେ ସେହି ବରିଷ୍ଠ ନାଟ୍ୟକାର ତଥା ସୁସାହିତ୍ୟିକ ହେଉଛନ୍ତି ଡ଼.କିଶୋର ମହାନ୍ତି ।
କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମିତ ଡ଼.ମହାନ୍ତି କୋରାପୁଟ ଜିଲ୍ଲାର ଆଦିବାସୀ ତଥା ପରଜା ସମ୍ପ୍ରଦାୟର ଲୋକକଳା ଉପରେ ପିଏଚ୍ଡି ଡିଗ୍ରୀ ହାସଲ କରିଥିବା ବେଳେ ଅଧୁନା କଟକ,ସମ୍ବଲପୁର,ଜୟପୁର ଆକାଶବାଣୀରେ ନିଜର କାର୍ଯ୍ୟ ସମ୍ପାଦିତ କରିଛନ୍ତି ଏହି ସୁସାହିତ୍ୟିକ।ନାଟକ ପ୍ରତି ତାଙ୍କ ମନରେ ରହିଛି ଖୁବ୍ ଆନ୍ତରିକତା ଓ ଅନୁରାଗ।ଡ଼.ମହାନ୍ତିଙ୍କ ନେତୃତ୍ୱରେ ଓ ନିର୍ଦେଶରେ ନାଟକ ମଞ୍ଚସ୍ଥ ଏବଂ ପୁସ୍ତକ ପ୍ରକାଶିତ ମଧ୍ୟ ହୋଇଅଛି।
ଓଡ଼ିଆ ଭାଷା ସାହିତ୍ୟ ଏବଂ ନାଟ୍ୟ ସାହିତ୍ୟରେ ଗୋପୀନାଥ ମହାନ୍ତି,ପ୍ରତିଭା ରାୟ,କାନ୍ହୁ ଚରଣ ମହାନ୍ତି,ଅସୀମ ବସୁ,ହରିହର ମିଶ୍ର ପ୍ରମୁଖଙ୍କୁ ନିଜର ଆଦର୍ଶ ମଣୁଥିବା ଲେଖକ କିଶୋର ଗୀତିକବିତା ଜରିଆରେ ନିଜର ସାହିତ୍ୟ ଚିନ୍ତନକୁ ଖୁବ୍ ସୁନ୍ଦର ଭାବରେ ପ୍ରକାଶ କରିଥାନ୍ତି।ତେବେ ଆକାଶବାଣୀର ସଂଗୀତମୟ ପରିବେଶ ତାଙ୍କୁ ଆକର୍ଷିତ କରିଥିଲା ଗୀତିକବିତା କ୍ଷେତ୍ରକୁ।

ଡ଼.କିଶୋର ମହାନ୍ତିଙ୍କ କୃତି ଓ ପୁରସ୍କାର ବିଷୟରେ କିଛି

ନାଟ୍ୟ ପୁସ୍ତକ-
ବିଭକ୍ତ ସମୟର ସ୍ଵର,ପ୍ରେମ ଉପତ୍ୟକାରେ ଝଡ଼,ହଜି ଯାଇଥିବା ଈଶ୍ୱର।
ଗୀତି କବିତା-ଜହ୍ନ ରାତିର ଗୀତି,ଅନୁବାଦ-ଜଣେ ଲୋକ ଥିଲା।
ଗଳ୍ପ-ବଜରଙ୍ଗୀ ପ୍ରସାଦ ଓ ଅନ୍ୟାନ୍ୟ ଗଳ୍ପ,ମାୟାବତୀର ତୃଷ୍ଣା ଇତ୍ୟାଦି।

ପୁରସ୍କାର-
ଗୋକର୍ଣ୍ଣିକା ପୁରସ୍କାର,ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ପୁରସ୍କାର-କଳିଙ୍ଗ ପୁସ୍ତକ ମେଳା-୨୦୨୧ ଇତ୍ୟାଦି।

ନିଜର ମତ ମାଧ୍ୟମରେ ଉଭୟ ନାଟ୍ୟ ସାହିତ୍ୟ ଏବଂ ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତକୁ ଦୃଷ୍ଟିରେ ରଖି ଲେଖକ କିଶୋର ମହାନ୍ତି ଏହା କହିଛନ୍ତି ଯେ “ବର୍ତ୍ତମାନ କଟକ ଓ ଭୁବନେଶ୍ୱର ଭଳି ବିକଶିତ ସହରରେ ନାଟ୍ୟ ସାହିତ୍ୟ କେବଳ ଅନୁଷ୍ଠାନରେ ସୀମିତ ହୋଇ ରହିଯାଇଛି।ନାଟକ ପାଇଁ ଉଭୟ ମଞ୍ଚ ଓ ପ୍ରୋତ୍ସାହନ ଆବଶ୍ୟକ।ସମୟ ସହିତ ମୌଳିକ ସୁବିଧାର ମଧ୍ୟ ଆବଶ୍ୟକତା ବଢୁଛି।ନାଟ୍ୟ ସାହିତ୍ୟର ପ୍ରସାର ପାଇଁ ସାମାଜିକ ସଚେତନତା ଏବଂ ସାହିତ୍ୟରେ ଉତ୍ତମ ଶବ୍ଦ ସଂଯୋଜନାର ପ୍ରୟୋଗ ଜରୁରୀ ଅଟେ।ଯାହାଦ୍ୱାରା ପାଠକଙ୍କ ମନରେ ଏହି ସାହିତ୍ୟ ପ୍ରତି ଆବେଗ ସୃଷ୍ଟି ହେବ ଏବଂ ଦର୍ଶକୀୟ ଶ୍ରଦ୍ଧା ମଧ୍ୟ ମିଳିବ।”

Leave a Reply

Your email address will not be published.