ଶିଶୁର ମନସ୍ତତ୍ତ୍ୱକୁ ବୁଝି ତାକୁ ସାହିତ୍ୟର ରୂପ ଦେବା କାଠିକର ପାଠ – ସୁଧା ପଟ୍ଟନାୟକ

ତାଙ୍କ ସାହିତ୍ୟରେ ପ୍ରତିଫଳିତ ହୁଏ ସମାଜର ବାସ୍ତବିକତା । କେବଳ ସେତିକି ନୁହେଁ ନିଜ ସାହିତ୍ୟ ମାଧ୍ୟମରେ ସମାଜରେ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା କରିବାର ଇଚ୍ଛାପୋଷଣ କରୁଥିବା ସେହି ଶିଶୁ ସାହିତ୍ୟିକା ହେଉଛନ୍ତି ଶ୍ରୀମତୀ ସୁଧା ପଟ୍ଟନାୟକ । ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରଗଡ଼ରେ ଜନ୍ମିତା ସୁଧା ପଟ୍ଟନାୟକ ନିଜର ଅନ୍ତଃପ୍ରେରଣା ସହିତ ପିତା ଓ ବଡ଼ ଭଉଣୀଙ୍କ ସହଯୋଗରେ ଧରିଥିଲେ ଲେଖନୀ । ସେହି ଦିନଠାରୁ ସେ ଲେଖିଚାଲିଛନ୍ତି ଆଜି ପର୍ଯ୍ୟନ୍ତ।ଶ୍ରୀମତୀ ପଟ୍ଟନାୟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଓ ଗୃହବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ ପରବର୍ତ୍ତୀ ସମୟରେ ଶିକ୍ଷକତା ବୃତ୍ତିରେ ନିୟୋଜିତ ମଧ୍ୟ ହୋଇଥିଲେ।ଭାଷା ସାହିତ୍ୟରେ ପ୍ରତିଭା ରାୟ,ସେକ୍ସପିୟରଙ୍କ ଲେଖାରେ ଖୁବ୍ ଅନୁପ୍ରାଣିତା ଲେଖିକା ପଟ୍ଟନାୟକ ।

ପ୍ରକୃତିପ୍ରେମୀ ସୁଧା ପଟ୍ଟନାୟକଙ୍କ ସାହିତ୍ୟ ଟିକେ ନିଆରା । କାରଣ ତାଙ୍କ ସାହିତ୍ୟରେ ବାରି ହୋଇପଡେ ଗୋଟିଏ କୋମଳମତୀ ଶିଶୁର ମନସ୍ତତ୍ତ୍ୱ । ପିଲାଙ୍କ ମନର ଭାଷାକୁ ବୁଝି ତାକୁ ସରଳ ଶବ୍ଦରେ ବର୍ଣ୍ଣନା କରିବା ଭଳି  କଷ୍ଟମୟ କାର୍ଯ୍ୟକୁ ସେ ଅତି ସୁନ୍ଦର ଭାବରେ ନିର୍ବାହ କରିଥାନ୍ତି । ଏଯାବତ୍ ଲେଖିକା ସୁଧାଙ୍କର ୧୦ ଖଣ୍ଡରୁ ଉର୍ଦ୍ଧ୍ବ ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ଶିଶୁ କବିତା “ପେଟପୂରା” ତାଙ୍କୁ ପ୍ରଦାନ କରିଛି ଅନେକ ଖ୍ୟାତି । “ପେଟପୂରା”ରେ ରହିଛି ସମାଜର ନିମ୍ନ ବର୍ଗର କଷ୍ଟ । ଯେଉଁ କଷ୍ଟ କେବଳ ଦୁଇଓଳି ଖାଦ୍ୟ ପାଇଁ।ତାକୁ ଏକ “ଭିକାରୀ ଶିଶୁ” ଜରିଆରେ ନିଜର କାବ୍ୟ ମାଧ୍ୟମରେ ଚିତ୍ରଣ କରିଛନ୍ତି ଲେଖିକା ସୁଧା ପଟ୍ଟନାୟକ ।

ସୁସାହିତ୍ୟିକା ସୁଧା ପଟ୍ଟନାୟକଙ୍କ କିଛି କୃତି ଓ ପୁରସ୍କାର ବିଷୟରେ ପଦେ-

ଶିଶୁ ଓ ବ୍ୟଙ୍ଗ କବିତା-ଚାଟାରପ୍ପା,ଡୁଙ୍ଗୁରୁ,ପେଟପୂରା,ପାରୁଛ ଯଦି, ସଚେତନ,ପ୍ରକୃତି,ଟିକେ ହସ।

ପୁରସ୍କାର-
ଧର୍ମପରାୟଣା ମହିଳା ଲେଖିକା ସୁଧା ପଟ୍ଟନାୟକ ସମ୍ମାନଜନକ ରାଷ୍ଟ୍ରପତି,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଫଳକରେ ସମ୍ମାନିତା ହୋଇଛନ୍ତି । ଏତଦ୍ ବ୍ୟତୀତ ଅନ୍ୟ ସାରସ୍ୱତ ସମ୍ମାନ ଯଥା-
ସ୍ମୃତିଲିପି ସାହିତ୍ୟ ସମ୍ମାନ,ବୀର କଳିଙ୍ଗ ସାହିତ୍ୟ ସମ୍ମାନ
ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ-କଳିଙ୍ଗ ପୁସ୍ତକ ମେଳା
ଦାଦା ସାହେବ ଭୀମରାଓ ଆମ୍ବେଦକର ପୁରସ୍କାର-୨୦୧୯ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ଇତ୍ୟାଦି ।

ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟକୁ ଆସୁଥିବା ନବାଗତ ସାହିତ୍ୟିକମାନଙ୍କୁ ଏହି ସୁଲେଖିକା ଏହି ଉପଦେଶ ଦିଅନ୍ତି ଯେ
“ଲେଖିବା ସମୟରେ ଭାଷା ସରଳ ରହିବା ଆବଶ୍ୟକ । ଲେଖକ ଲେଖିବା ସମୟରେ ଭାଷାକୁ ଉଦିଷ୍ଟ ବୟସ ଅନୁଯାୟୀ ଶବ୍ଦ ସମ୍ଭାର କରିବା ଉଚିତ୍ । ନିଜର ସାହିତ୍ୟ ସାମାଜିକ ମୂଲ୍ୟବୋଧ ଉପରେ ଆଧାରିତ ହେଲେ ଆମର ଭାଷା ରୁଦ୍ଧିମନ୍ତ ହେବ । ଏହା ସହିତ ଈଶ୍ୱର ଦେଇଥିବା ଜ୍ଞାନକୁ ଆମେ ଭଲ ଦିଗରେ ସଦୁପଯୋଗ କରି ଆମର ସଂସ୍କୃତିକୁ ପରିଧାନ କରିବା । କାରଣ ସାହିତ୍ୟ ଈଶ୍ୱରଙ୍କ ସୃଷ୍ଟି।ପ୍ରକୃତି,ଈଶ୍ୱର,ସୁନ୍ଦର ଓ ସାହିତ୍ୟ ପରସ୍ପର ପରିପୂରକ ଅଟେ ।”

Leave a Reply

Your email address will not be published. Required fields are marked *