ନିଜ ଭିତରର ଅନ୍ତଃସ୍ବରକୁ ବୁଝି ଅନ୍ୟକୁ ବୁଝାଇ ପାରିବା ହିଁ ସୃଜନତାର ସ୍ୱୀକୃତି : ଡ଼.ମମତାମୟୀ ଚୌଧୁରୀ

ତାଙ୍କ ମତରେ ସାହିତ୍ୟ ସାଧନା କୌଣସି ପ୍ରସବ ବେଦନା ଠାରୁ କମ୍ ନୁହେଁ।ଗୋଟିଏ କୃତିର ଜନ୍ମ ପାଇଁ ସ୍ରଷ୍ଟା ଜଣଙ୍କ ଅନେକ ସମୟର ଅବଧି ଓ ଶବ୍ଦର କଷ୍ଟରେ ଛଟପଟ ହୁଅନ୍ତି ଏବଂ ସେହି ପୀଡ଼ାରୁ ଜାତ ହୁଏ ଏକ ସୁନ୍ଦର ରଚନା।ସେଥିରେ ସମାହିତ ଥାଏ ଗୋଟିଏ ଲେଖକର ଅକୁହା ମନର ଅନେକ କଥା।
ପ୍ରତ୍ୟେକ ରଚନାର ଚରିତ୍ରକୁ ସେ କରିଥାନ୍ତି ସାଫଲ୍ୟମଣ୍ଡିତ ଏବଂ ସେଥିରେ ଢାଳିଥାନ୍ତି ବାସ୍ତବ ଓ ସତ୍ୟତାର ରଙ୍ଗ।ତେବେ ସେହି  ସୁସାହିତ୍ୟିକା ଜଣଙ୍କ ହେଉଛନ୍ତି ଡ଼.ମମତାମୟୀ ଚୌଧୁରୀ।ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସମ୍ମାନଜନକ ପିଏଚ୍ଡି ଡିଗ୍ରୀ ହାସଲ କରିଥିବା ଡ଼.ଚୌଧୁରୀ ବର୍ତ୍ତମାନ ଜବାହାର ନବୋଦୟ ବିଦ୍ୟାଳୟର ଉପାଧ୍ୟକ୍ଷ ଭାବେ ନିଜର ଦାୟିତ୍ୱ ତୁଲାଉଛନ୍ତି।ତାଙ୍କ ଅବକାଶ ସମୟର ସାଥୀ ଥିଲା ଅଧ୍ୟୟନ।ପ୍ରାରମ୍ଭିକ ସମୟରେ ସେ ଲେଖୁଥିଲେ ସତ କିନ୍ତୁ ତାକୁ ନ ଛପେଇ ଚିରି ଦେଉଥିଲେ।ଯଦିଓ ନିଜର ଛାତ୍ର ଜୀବନରୁ ସେ କଲମ ଧରିଥିଲେ।କିନ୍ତୁ ଟିକେ ହେତୁ ପାଇବା ପରେ ସେ ସମ୍ପୂର୍ଣ୍ଣ ରୂପେ ଲେଖା ପ୍ରତି ସମର୍ପିତା ହୋଇଗଲେ।କେବଳ ସେତିକି ନୁହେଁ ସେ ସମୟରେ ପ୍ରତିଷ୍ଠିତ ଖବରକାଗଜ ଝଙ୍କାର,ସୁଚାରିତାରେ ମଧ୍ୟ ତାଙ୍କର ଲେଖା ପ୍ରକାଶ ପାଉଥିଲା।
ତେବେ ପ୍ରଥମ କରି ଲେଖୁଥିବା ପିଲାମାନଙ୍କୁ ଏହି ଲେଖିକା ଜଣଙ୍କ ଏହି ଉପଦେଶ ଦିଅନ୍ତି ଯେ “ଯୁବାବସ୍ଥାରେ ଅନେକ ଶକ୍ତି ଥାଏ।ତାର ଅପଚୟ ନ କରି ସଠିକ ସେହି ସକାରାତ୍ମକ ଶକ୍ତିକୁ ବିନିଯୋଗ କରି ପାରିଲେ ସେ ଜଣେ ସଫଳ ସ୍ରଷ୍ଟା ହୋଇପାରିବ।
ନିଜ ଭିତରର ଅନ୍ତଃସ୍ବରକୁ ପ୍ରଥମେ ନିଜେ ବୁଝି ଅନ୍ୟକୁ ନିଜର ମୌଳିକତା ରଚନା ଦ୍ୱାରା ବୁଝାଇବା ଦରକାର।ଆଗାମୀ ଦିନରେ ବିଶ୍ୱ ରାଜନୀତିର ସମସ୍ୟାକୁ ନେଇ ଏକ ଉପନ୍ୟାସ ଲେଖୁଛନ୍ତି ଲେଖିକା ମମତମୟୀ।

ଲେଖିକା ମମତମୟୀ ଚୌଧୁରୀଙ୍କ କିଛି କୃତି ଓ ପୁରସ୍କାର ବିଷୟରେ-

କ୍ଷୁଦ୍ର ଗଳ୍ପ-ବଜାର,ଦି ହାତ ମାଟିର ଭୂଗୋଳ,ଛିନ୍ନମସ୍ତା,ଶ୍ରେଷ୍ଠ ଗଳ୍ପ,ନିବିଡ଼ ନିର୍ଯ୍ୟାତନା,ଏକ୍ସ ଫ୍ୟାକ୍ଟର ଇତ୍ୟାଦି।
ଉପନ୍ୟାସ-ଦିଗବଳୟ ଏଠି ନୁହେଁ,ଅନିନ୍ଦିତାର ଡ଼ାଏରୀ,କ୍ୟାମ୍ପସ କ୍ୟାମ୍ପସ,ମରୁଦ୍ରୋହ,ସୁପର୍ଣଖା,ଦୁର୍ଗ ତଥାପି ଭାଙ୍ଗେ ନାହିଁ ଇତ୍ୟାଦି।
କବିତା-ନାରୀ ଓ ଅନ୍ୟାନ୍ୟ କବିତା,ଆଧି ଏକ ଜିନ୍ଦେଗୀ (ହିନ୍ଦୀ), ଅର୍ଦ୍ଧେକ ଜୀବନ ଇତ୍ୟାଦି।

ପୁରସ୍କାର-

ଓଡିଶା ସାହିତ୍ୟ ଏକାଡେମୀ,ସାହିତ୍ୟ ଦର୍ପଣ ସମ୍ମାନ,ଅଦ୍ୱୈତ କଥା ପୁରସ୍କାର,କଳିଙ୍ଗ ପ୍ରଭା କବିତା ସମ୍ମାନ,କଥା କଳିକା ସମ୍ମାନ, ଷ୍ଟୋରୀ ମିରର ଶ୍ରେଷ୍ଠ ଲେଖିକା ସମ୍ମାନ ଇତ୍ୟାଦି।

ଜଞ୍ଜାଳମୟ ଜୀବନର ବୋଝକୁ ଧରି ସେ ଲେଖିଚାଲନ୍ତି ଅନେକ କଥା।ଯେଉଁଥିରୁ ସେ ଆତ୍ମସନ୍ତୋଷ ମଧ୍ୟ ପାଆନ୍ତି।ଏହି ପରିପ୍ରେକ୍ଷୀରେ ପାଠକର ପରିଭାଷାରେ ସୁଲେଖିକା ଜଣଙ୍କ ଏହା ମତ ପ୍ରକାଶ କରନ୍ତି ଯେ “ଲେଖକର ଅକୁହା କଥାକୁ ସାହିତ୍ୟ ମାଧ୍ୟମରେ ବୁଝିପାରିବା ହିଁ ପାଠକର ପ୍ରକୃତ ସଂଜ୍ଞା ଅଟେ।”
ମମତମୟୀଙ୍କ ଲେଖିବାର ଶୈଳୀ ଟିକେ ନିଆରା।ସମାଜର ଚିରାଚରିତ କବିତା ଠାରୁ ଟିକେ ଉର୍ଦ୍ଧ୍ବରେ ଯାଇ ସମାଜ ତଥା ସାଧାରଣ ଜୀବନର ଅନେକ ପ୍ରସଙ୍ଗ ଓ ସମସ୍ୟା ଉପରେ ଦୃଷ୍ଟି ଦେଇ ଲେଖନୀ ଚାଳନା କରନ୍ତି ଲେଖିକା ଡ଼.ମମତାମୟୀ ଚୌଧୁରୀ।ଯହିଁରେ ଥାଏ ସାଧାରଣ ମଣିଷର ସମସ୍ତ ବ୍ୟଥା ଓ ବେଦନାର ଜ୍ୱଳନ୍ତ ଚିତ୍ରଣ।

Leave a Reply

Your email address will not be published. Required fields are marked *