ମହାବିଷୁବ ସଂକ୍ରାନ୍ତି – ଓଡିଆ ଜନଜୀବନର ପର୍ବ

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଅମୁଲ୍ୟ କୃତି “ପୂର୍ଣ୍ଣ ଚନ୍ଦ୍ର ଭାଷାକୋଷ” ଅନୁସାରେ ସୂର୍ଯ୍ୟନାରାୟଣ ବର୍ଷକୁ ଦୁଇଥର ବିଷୁବ ରେଖା ଉପରେ ଅବସ୍ଥାନ କରନ୍ତି |ଥରେ ବସନ୍ତ କାଳରେ ଓ ଆଉଥରେ ଶରତ କାଳରେ |
ବସନ୍ତ କାଳରେ ସୌର ଚୈତ୍ର ଵା ମୀନ ମାସର ନବମ ଵା ଦଶମ ଦିନ ଇଂରାଜୀ ମାର୍ଚ୍ଚ 21ଵା 22 ତାରିଖ ଓ ଶରତ କାଳରେ ସୌର ଆଶ୍ୱିନ ଵା କନ୍ୟା ମାସର ନବମ ଵା ଦଶମ ଦିନ ଇଂରାଜୀ ସେପ୍ଟେମ୍ବର 22ଵା 23 ତାରିଖ | ଏହି ଦୁଇଦିନ ଦିନ ଓ ରାତି ସମାନ ହୁଏ | ଏହି ଦୁଇ ଦିନର ପରବର୍ତ୍ତୀ ସଂକ୍ରାନ୍ତି କାର୍ତ୍ତିକ ସଂକ୍ରାନ୍ତି ଓ ବୈଶାଖ ସଂକ୍ରାନ୍ତି ଵା ବିଷୁବ ସଂକ୍ରାନ୍ତି କୁହାଯାଏ | କାର୍ତ୍ତିକ ସଂକ୍ରାନ୍ତିକୁ ବିଷୁବ ସଂକ୍ରାନ୍ତି ଓ ବୈଶାଖ ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ |
ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ ହୁଏ, ଅର୍ଥାତ ଏହି ଦିନଟି ଓଡ଼ିଆମାନଙ୍କ ବର୍ଷର ପ୍ରଥମ ଦିନ |ଏହି ଦିନରୁ ଓଡ଼ିଶାରେ ନୂଆ ପାଞ୍ଜିର ପ୍ରଚଳନ ହୁଏ |
ମହା ବିଷୁବ ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କ ଉତ୍ତାପ ବୃଦ୍ଧିହୁଏ |ଏହି କାରଣରୁ ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ଉପାସନା ସହ ମନ୍ଦିରରେ ହେଉଥିବା ପୂଜାର୍ଚ୍ଚନାରେ ବିଭିନ୍ନ ପ୍ରକାର ପଣା ଓ ଛତୁଆ ଭୋଗ ଲାଗି କରାଯାଏ | ପଣା ମଧ୍ୟରେ ବେଲ ପଣା ବେଶି ଲୋକପ୍ରିୟ |ଆଉ ମଧ୍ୟ କଞ୍ଚା ଆମ୍ବରୁ ପ୍ରସ୍ତୁତ ପଣାକୁ ଲୋକେ ଆଗ୍ରହର ସହ ପାନ କରିଥାନ୍ତି | ଆମ୍ବ ପଣା ଗ୍ରୀଷ୍ମ ପ୍ରଭାବରୁ ଲୋକଙ୍କୁ କଷ୍ଟ ଦେଉଥିବା ଘିମିରି ଓ ବଥରୁ ମୁକ୍ତି ଦେଇଥାଏ | ଜଳ ଦାନ, ମହା ପୁଣ୍ୟ ଏହି ଭାବକୁ ନେଇ ଅନେକ ସ୍ବେଛାସେବୀ ସଂସ୍ଥା ଓ ସରକାରୀ ସଂସ୍ଥା ବିଭିନ୍ନ ସ୍ଥାନରେ “ଜଳ ଛତ୍ର “ର ବ୍ୟବସ୍ଥା କରିଥାନ୍ତି |ଏହି ବ୍ୟବସ୍ଥାରେ ପଶୁପକ୍ଷୀମାନଙ୍କୁ ମଧ୍ୟ ଜଳଦେଇ ସେମାନଙ୍କ ତୃଷା ନିବାରଣ କରାଯାଏ |
ପ୍ରବଳ ଗ୍ରୀଷ୍ମରୁ ବୃକ୍ଷମାନଙ୍କୁ ଜଳ ଦେବାର ପରମ୍ପରା ଆବାହମାନ କାଳରୁ ରହି ଆସିଛି | ବର, ଓସ୍ତ, ଆମ୍ବ, ପଣସ ଆଦି ବୃକ୍ଷ ମୂଳରେ ସକାଳ ଓ ସଞ୍ଜରେ ଜଳ ଦିଆଯାଏ | ତୁଳସୀ ଗଛ ଉପରେ ନଡ଼ିଆ ବାହୁଙ୍ଗା ଵା ଜାମୁଡାଳ ଛାମୁଣ୍ଡିଆ କରାଯାଇ ଠେକିରେ ଜଳ ଦିଆଯାଏ | ଠେକି ତଳେ ଛୋଟ କଣା କରି ସେଥିରେ କୁଶ ଵା କୁଟା ଦେଇ ବୁନ୍ଦା ବୁନ୍ଦା ଜଳ ପକେଇ ତୁଳସୀ ଗଛକୁ ଗ୍ରୀଷ୍ମ ଦାଉରୁ ରକ୍ଷା କରାଯାଏ | ସେହି ଘଡି ଵା କଳସୀକୁ ବସନ୍ତରା ଘଡି କୁହାଯାଏ | ଜଳ ଦାନର ପରମ୍ପରା ଦୃଷ୍ଟିରୁ ଏହାକୁ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ |
ଏହି ତିଥିରେ ହନୁମାନଙ୍କ ଜୟନ୍ତୀ ପାଳିତ ହୁଏ |କଥିତ ଅଛି ମେଷ ରାଶିରେ ରବିଙ୍କ ଅବସ୍ଥାନ ଯୋଗୁଁ ସଂସାରରେ ଅଶୁଭ ଘଟଣା ଘଟିବାରୁ ମହାବୀର ହନୁମାନ ଅଞ୍ଜନାଙ୍କ ଗର୍ଭରୁ ବଜ୍ରକଚଟି ପିନ୍ଧି ଜନ୍ମ ହେବା ପରେ ସୂର୍ଯ୍ୟଙ୍କୁ ଗ୍ରାସକରିବାକୁ ଉଦ୍ୟତ ହୁଅନ୍ତେ ସୂର୍ଯ୍ୟ ଭୟରେ ସମସ୍ତ ଅଶୁଭକୁ ଶୁଭ କରିବାକୁ ପ୍ରତିଶୃତି ଦେଇଥିଲେ |ଏଣୁ ହିନ୍ଦୁମାନେ ଆଗ୍ରହର ସହ ମହାବୀରଙ୍କ ପୂଜା କରିଥାନ୍ତି |ପ୍ରତ୍ୟେକ ଜାଗା ଓ ଆଖଡ଼ା ଘରେ ମହାବୀରଙ୍କୁ ଫୁଲ ବେଶ, ସିନ୍ଦୁର ଲାଗି, ଓ ନାଗାବେଶ ଆଦି କରି ଭାଙ୍ଗପଣା ପ୍ରସ୍ତୁତ କରି ବାଣ୍ଟନ୍ତି |ଏହି ଦିନ ହନୁମାନଙ୍କ ନାଗାବେଶ ଦେଖିବା ପାଇଁ ସନ୍ଧ୍ୟାରେ ଭକ୍ତଙ୍କ ଗହଳି ଲାଗେ |ବିଶେଷକରି ଶ୍ରୀକ୍ଷେତ୍ରର ଦକ୍ଷିଣଦ୍ୱାର ବାହାରେ ଥିବା ଖର୍ପରୀ ହନୁମାନ, ପଶ୍ଚିମ ଦ୍ୱାର ଭିତରେ ଥିବା କାନପାତା ହନୁମାନ, ସିଂହଦ୍ୱାର ଗୁମୁଟରେ ଥିବା ଫତେ ହନୁମାନ, ଉତ୍ତର ଦ୍ୱାର ଭିତରେ ଥିବା ତପସ୍ବୀ ହନୁମାନ, ଶ୍ରୀମନ୍ଦିର ବାହାରେ ଥିବା ଶିଉଳି ହନୁମାନ, ପଞ୍ଚମୁଖି ହନୁମାନ, ଶକ୍ତି ହନୁମାନ, ସିଦ୍ଧ ମହାବୀର, ଦରିଆ ମହାବୀର ପ୍ରଭୃତି ନବ ବସ୍ତ୍ର ପରିଧାନ କରି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି |
ଶ୍ରୀମନ୍ଦିର ପରମ୍ପରା….
ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇଥାଏ |ତା’ପରେ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯାଏ | ବିମାନରେ ଶ୍ରୀ ହନୁମାନଙ୍କୁ ଶ୍ରୀ ମନ୍ଦିର ପୁର୍ବ ଦ୍ୱାରରେ ଥିବାହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯାଏ |ଏହାପରେ ଜଗନ୍ନାଥ ବଲ୍ଳଭ ମଠ ଓ ଦରିଆ ମହାବୀରଙ୍କ ନିକଟକୁ ନିଆଯାଏ |
ମା ‘ତାରିଣୀଙ୍କ ଚଇତି ପର୍ବ..
ମହାବିଷୁବ ସଂକ୍ରାନ୍ତିରେ ମା ‘ ତାରିଣୀଙ୍କ ଚଇତି ପର୍ବ ପାଳିତ ହୁଏ | ବର୍ଷ ସାରା ମା’ ତାରିଣୀଙ୍କର ବିଭିନ୍ନ ପର୍ବ ପର୍ବାଣୀ ପାଳିତ ହେଉଥିଲେ ହେଁ ଚଇତି ପର୍ବ ଅନନ୍ୟ ଓ ପ୍ରମୁଖ ପର୍ବ ଅଟେ | ଓଡିଶାର ଅନ୍ୟ ଶକ୍ତି ପୀଠ ଗୁଡିକରେ ମଧ୍ୟ ଏହି ସଂକ୍ରାନ୍ତିରେ ବିଶେଷ ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯାଏ |
ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଶେଷକରି ବାଲେଶ୍ୱର ଓ ମୟୁରଭଞ୍ଜରେ ଚଡକ ଯାତ୍ରା, ଉଡ଼ା ଯାତ୍ରା, ଓ ହିଙ୍ଗୁଳା ଯାତ୍ରା ଭାବେ ପାଳନ କରାଯାଉଥିବା ବେଳେ ଅନ୍ୟ ଜିଲ୍ଲା ଗୁଡିକରେ ଝାମୁ ଯାତ୍ରା, ପାଟୁଆ ଯାତ୍ରା ଇତ୍ୟାଦି ପାଳିତ ହୁଏ | ଗଞ୍ଜାମରେ ଏହି ଦିନରେ ଦଣ୍ଡ ଯାତ୍ରା ପାଳିତ ହୁଏ |
ଉପସଂହାରରେ ଏତିକି କୁହାଯାଇପାରେ ଯେ ମହା ବିଷୁବ ସଂକ୍ରାନ୍ତି ଓଡିଶାର ବିଶିଷ୍ଟ ଗଣ ପର୍ବ | ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ଜନଜୀବନକୁ ଚଳଚଞ୍ଚଳ ରଖିବା ସହିତ ଆମୋଦ ପ୍ରଦାନ କରିବାରେ ଏହାର ସ୍ୱତନ୍ତ୍ରତା ରହିଛି |ବିଭିନ୍ନ ଅନୁଷ୍ଠାନ ବିଷୁବ ମିଳନ ଆୟୋଜନ କରି ସାହିତ୍ୟ, ସଂସ୍କୃତିର ଆଲୋଚନା କରି ଜାତୀୟ ଚେତନା ଜାଗ୍ରତ କରିଥାନ୍ତି |ଆସନ୍ତୁ, ଭାଇଚାରାର ଏ ପର୍ବକୁ ନିଷ୍ଠାର ସହ ପାଳନ କରିବା ଓ ସମାଜରେ ଶାନ୍ତି, ସ୍ଥିରତା ବଜାୟ ରଖିବା |

ବନ୍ଦେ ଉତ୍କଳ ଜନନୀ

ଶ୍ରୀକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ

ଦୂରଭାଷ : 9238304919

Leave a Reply

Your email address will not be published.