ମାତୃଭାଷା ପ୍ରତି ସମ୍ମାନ ହିଁ ସାହିତ୍ୟକୁ ରୁଦ୍ଧିମନ୍ତ କରିଥାଏ : ସୁମନ୍ତ
ସାମ୍ପ୍ରତିକ ସମାଜରେ ଘଟୁଥିବା ଘଟଣା ଓ ସମସ୍ୟା ଉପରେ ସେ ନିଜର ଲେଖନୀ ଚାଳନା କରନ୍ତି।ମାତ୍ର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ତାଙ୍କ କବିତା କଟକ ଆକାଶବାଣୀରେ ପ୍ରକାଶ ପାଇଥାଏ।ଯହିଁରୁ ସେ ଅଧିକ ଉତ୍ସାହିତ ହୋଇଥିଲେ ସାହିତ୍ୟ ରଚନା ପାଇଁ।ତେବେ ସେହି ଯୁବ ଲେଖକ ହେଉଛନ୍ତି ସୁମନ୍ତ ମହାରଣା।କେନ୍ଦୁଝର ଜିଲ୍ଲାରେ ଜନ୍ମିତ ସୁମନ୍ତ ଏକ ଶିକ୍ଷିତ ପରିବାରରୁ ନ ଆସିଲେ ମଧ୍ୟ ଘରର ସାନ ପୁଅ ହୋଇଥିବା ହେତୁ
ପିତାମାତା ପୁଅକୁ ପଢ଼ାଇବା ପାଇଁ ମନସ୍ଥ କଲେ।ମାତ୍ର ନିଜର ଆର୍ଥିକ ସମସ୍ୟା ଯୋଗୁଁ ଦ୍ୱାଦଶ ଯାଏ ପଢିବାରେ ସମର୍ଥ ହେଲେ ସୁମନ୍ତ।ତେବେ ଓଡ଼ିଆ ଏବଂ ହିନ୍ଦୀ ଭାଷା ସାହିତ୍ୟରେ ଗୋପବନ୍ଧୁ ଦାସ,ଫକୀରମୋହନ ସେନାପତି,କବିର ଦାସ,ସୁରଦାସଙ୍କୁ ନିଜର ଆଦର୍ଶ ମାନନ୍ତି।କବିତା,କ୍ଷୁଦ୍ରଗଳ୍ପରେ ସିଦ୍ଧହସ୍ତ ଅଟନ୍ତି ଏହି ଯୁବ ଲେଖକ ଜଣକ।
ପେଶାଗତ ଜୀବନରେ ସୁମନ୍ତ ଜଣେ ଫଟୋଗ୍ରାଫର ଅଟନ୍ତି।ସାହିତ୍ୟ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି।ଯାହାର ଫଳ ସ୍ୱରୂପ ନିଜର ବ୍ୟସ୍ତବହୁଳ ଜୀବନରୁ ଟିକେ ବିରତି ପାଇଲେ କାଗଜ କଲମ ଧରି ବସି ଯାଆନ୍ତି ସୁମନ୍ତ।ତେବେ ଖଣି ବହୁଳ ଜିଲ୍ଲା କେନ୍ଦୁଝରର ଆର୍ଥିକ,ଶିକ୍ଷାଗତ ଓ ନିଯୁକ୍ତିଗତ ସମସ୍ୟାକୁ ନେଇ ଖୁବ୍ କ୍ଷବ୍ଧ ଏବଂ ଦୁଃଖିତ ଏହି ଲେଖକ ଜଣକ।ତେଣୁ “କାନ୍ଦେ କେନ୍ଦୁଝର ମାଟି” ନାମକ ଏକ କବିତା ମାଧ୍ୟମରେ ନିଜ ଜିଲ୍ଲାର ସମସ୍ୟା ଉପରେ ନିଜ ମତକୁ ଜାହିର୍ କରିଛନ୍ତି ସୁମନ୍ତ।ବର୍ତ୍ତମାନ ସାହିତ୍ୟ ରଚନା କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ସୁମନ୍ତ ଏହି ଉପଦେଶ ଦିଅନ୍ତି ଯେ “ପୁରସ୍କାର ପଛରେ ନ ପଡି ସାହିତ୍ୟ ସାଧନା କରନ୍ତୁ।କଠିନ ପରିଶ୍ରମର ଫଳ ନିଶ୍ଚିନ୍ତ ମିଳିବ”।
ଅନ୍ୟପଟେ ବର୍ତ୍ତମାନର ଇଂରାଜୀ ଯୁଗରେ ଓଡ଼ିଆ ଭାଷା ପ୍ରତିଥିବା ଉଦାସୀନତା ମନୋଭାବ ଉପରେ ନିଜର ମତ ରଖି ସୁମନ୍ତ ଏହା କହିଛନ୍ତି ଯେ “ବର୍ତ୍ତମାନ ଲୋକମାନେ ଓଡ଼ିଆ ଅପେକ୍ଷା ଇଂରାଜୀ କୁ ପସନ୍ଦ କରୁଛନ୍ତି।ଫଳରେ ପିଲାମାନେ ଓଡ଼ିଆ ଭାଷା ଶିଖିପାରୁ ନାହାଁନ୍ତି।ତେଣୁ ଅଭିଭାବକ ମାନେ ଗୋଟିଏ ଶିଶୁକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଓଡ଼ିଆ ଭାଷା ଶିଖାଇବା ସହିତ ଶିଶୁଙ୍କ ମନରେ ନିଜ ମାତୃଭାଷା ପ୍ରତି ସମ୍ମାନ ଉପୁଜାଇବା ଆବଶ୍ୟକ।ଭବିଷ୍ୟରେ ଜଣେ ଗୀତିକାର ହେବାରେ ଲକ୍ଷ୍ୟ ରଖିଛନ୍ତି ସୁମନ୍ତ।