ସାଧାରଣ ମଣିଷର ସ୍ୱରକୁ ଲେଖନୀ ମାଧ୍ୟମରେ ପ୍ରତିଫଳିତ କରିବା ସାହିତ୍ୟର ମୂଳ ଧର୍ମ : ସୁସ୍ମିତା ମହାପାତ୍ର


ଛୋଟ ବେଳୁ ସ୍ୱତଃପ୍ରବୃତ୍ତ ଭାବେ ଲେଖନୀ ତାଙ୍କର ଆରମ୍ଭ ହୋଇଥିଲା | ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ “ଚିଠି” ନାମକ ଗଳ୍ପ ଲେଖି ସେ ଅନେକ ପ୍ରଶଂସା ସାଉଟିଥିଲେ । ଯେଉଁଥିରେ ଏକ ମା ଛେଉଣ୍ଡ ପିଲାଟି ନିଜ ସାବତ ମା’ର ଅନାଦରକୁ ଅନୁଭବ କରି ଆକାଶକୁ ଚିଠି ଲେଖୁଥିବାର କଥା ରହିଥିଲା | ପ୍ରାରମ୍ଭିକ ସମୟରୁ ଲେଖିବା ପାଇଁ ବଡ଼ ଭିଣୋଇଙ୍କ ପରାମର୍ଶ ଆଶୀର୍ବାଦ ସାଜିଥିଲା ଏହି ଲେଖିକାଙ୍କ ପାଇଁ। ସେହି ସାହିତ୍ୟିକା ଜଣକ ହେଉଛନ୍ତି ଶ୍ରୀମତୀ ସୁସ୍ମିତା ମହାପାତ୍ର । ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ଜନ୍ମିତା ସୁସ୍ମିତା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଆନ୍ତି । ସାଂସାରିକ ବାଧା ବନ୍ଧନ ଭିତରେ ମଧ୍ୟ ସ୍ୱାମୀ ଓ ଶଶୁରଙ୍କ ସହଯୋଗରେ ସେ ଆଗକୁ ବଢ଼ିବାରେ ଲାଗିଲେ । ଯାହାଫଳରେ ସେ ବିଜ୍ଞାନ ଶିକ୍ଷୟିତ୍ରୀ ରୂପେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ସାହିତ୍ୟର ଅନ୍ୟ ସବୁ ଦିଗରେ ଲେଖନୀ ଚାଳନା କରିପାଉଥିଲେ ମଧ୍ୟ ପ୍ରବନ୍ଧ ସାହିତ୍ୟରେ ନିପୁଣା ଅଟନ୍ତି ଏହି ସୁସାହିତ୍ୟିକା ଜଣକ । ତାଙ୍କ ମତରେ “ପ୍ରବନ୍ଧ ସାହିତ୍ୟ କେବଳ ସତ୍ୟତା ଉପରେ ଆଧାରିତ । ଏହି ସାହିତ୍ୟ ବାସ୍ତବତାରେ ଭରା ଫଳରେ ଜଣେ ଲେଖକ ପ୍ରବନ୍ଧ ଦ୍ୱାରା ଏକ ସାଧାରଣ ମଣିଷର ସ୍ୱରକୁ ନିଜ ରଚନା ମାଧ୍ୟମରେ ଶାଣିତ ମଧ୍ୟ କରିପାରିବ । ଯାହା କେବଳ ପ୍ରବନ୍ଧ ସାହିତ୍ୟରେ ସମ୍ଭବ”।
କେବଳ ପ୍ରବନ୍ଧ ନୁହେଁ ସମାନ୍ତରାଳ ଭାବେ ଭ୍ରମଣ କାହାଣୀ,ଶିଶୁ ସାହିତ୍ୟ ଓ  ଗଳ୍ପ ଉପରେ ମଧ୍ୟ ନିଜର ଲେଖନୀ ଚାଳନା କରନ୍ତି ଶ୍ରୀମତୀ ମହାପାତ୍ର।ଓଡ଼ିଆ ଭାଷା ସାହିତ୍ୟରେ ଫକୀର ମୋହନ ସେନାପତି,ଗୋଦାବରୀଶ ମିଶ୍ର ପ୍ରମୁଖଙ୍କୁ ନିଜର ଆଦର୍ଶ ମାନନ୍ତି ସୁସ୍ମିତା।
ଜଣେ ବିଜ୍ଞାନ ଛାତ୍ରୀ ହୋଇ ସୁଦ୍ଧା ସାହିତ୍ୟ ଓ ବିଜ୍ଞାନ ମଧ୍ୟରେ ସେ ଗଢିଛନ୍ତି ଲେଖନୀର ସେତୁ।ସେ କୁହନ୍ତି”ସମସ୍ତ ଶିକ୍ଷାର ଆଧାର ହେଉଛି ସାହିତ୍ୟ।ବିଜ୍ଞାନ ସତ୍ୟତା ଉପରେ ପରିବେଷ୍ଟିତ ମାତ୍ର ଲିପିବଦ୍ଧ ପାଇଁ ବିଜ୍ଞାନ ଆବଶ୍ୟକ କରେ ଭାଷା ଏବଂ ସେହି ଭାଷା ହେଉଛି ସାହିତ୍ୟ।”

ଏଯାବତ ସୁସ୍ମିତାଙ୍କ ୫ଗୋଟି ପୁସ୍ତକ ପ୍ରକାଶ ପାଇଅଛି।
ନିଜର ସାରସ୍ୱତ ସାଧନା ପାଇଁ ଅନେକ ସଫଳତା ସାଉଁଟିଛନ୍ତି ଶ୍ରୀମତୀ ମହାପାତ୍ର।

ଲେଖିକା ସୁସ୍ମିତା ମହାପାତ୍ରଙ୍କ କିଛି କୃତି ଓ ପୁରସ୍କାର।

ଉପନ୍ୟାସ-ପଦ୍ମବର୍ଣ୍ଣା,ଆଧ୍ୟାତ୍ମିକ ଗ୍ରନ୍ଥ-ପ୍ରାଣରୁ ପ୍ରଣବ, ଗଳ୍ପ-ଅନାବରଣ,ବିଜ୍ଞାନ ଭିତିକ କବିତା-ସୁବୋଧ୍ୟ ବିଜ୍ଞାନ ଓ ଜୀବ ଜଗତର ରହସ୍ୟ।

କଲମ୍ବୋ କନ୍ୟା ସମ୍ମାନ-ଶ୍ରୀଲଙ୍କା,ଯୁଗର ସଂଘମିତ୍ରା ସମ୍ମାନ-ଶ୍ରୀଲଙ୍କା,ବ୍ଲେସେଡ୍ ଜୁନୋ-ଥାଇଲାଣ୍ଡ,ଜାତୀୟ ବିଜ୍ଞାନ ସମ୍ମାନ-ଭାରତ ସରକାର,ଡ଼.ଏପିଜେ ଅବଦୁଲ୍ କଲାମ୍ ପ୍ରଫେସନାଲ୍ ଆଚିଭର୍ସ୍ ଆୱାର୍ଡ୍,ସାହିତ୍ୟ ଶ୍ରୀ ସମ୍ମାନ-ବାଲେଶ୍ଵର,ଓଡିଶା ନାରୀ ପ୍ରତିଭା ସମ୍ମାନ-ପୁରୀ,ଦଧିଚୀ ସମ୍ମାନ-ସମାଜ,ରାଜ୍ୟସ୍ତରୀୟ ସମ୍ପୂର୍ଣ୍ଣା ସୁପ୍ରାବନ୍ଧିକା ସମ୍ମାନ ଇତ୍ୟାଦି।

ବହୁମୁଖୀ ପ୍ରତିଭାର ଅଧିକରିଣୀ ହେଉଛନ୍ତି ସୁସ୍ମିତା।ଜଣେ ଓଡିଶୀ ନୃତ୍ୟାଙ୍ଗନା,ସମ୍ବାଦ ପାଠିକା,ଗାଇଡ୍ କ୍ୟାପଟେନ୍ ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ଏହି ଲେଖିକା ଜଣକ।ତେବେ ଭବିଷ୍ୟତରେ  ସାହିତ୍ୟ କ୍ଷେତ୍ରକୁ ଆସୁଥିବା ଯୁବପିଢିଙ୍କୁ ସୁସ୍ମିତା ଏହି ଉପଦେଶ ଦିଅନ୍ତି ଯେ ପୁରସ୍କାର ଏବଂ ପ୍ରସିଦ୍ଧି ପଛରେ ଯୁବ ସାହିତ୍ୟିକମାନେ ନ ପଡି ନିଜ ରଚନାରେ ତତ୍ୱ,ତଥ୍ୟ,ବାର୍ତା ଉପରେ ହୃଦୟଙ୍ଗମ କଠିନ ସାଧନା ଜାରି ରଖନ୍ତୁ।ସୁସ୍ମିତାଙ୍କ ମତରେ “ସାହିତ୍ୟ ଏକ ସମୁଦ୍ର।ଏଥିରେ ଯିଏ ଯେତେ ବୁଡିବ ସେ ସେତିକି ଶାନ୍ତି ପ୍ରାପ୍ତି କରିପାରିବ” । ତେଣୁ ଆଜୀବନ ସାହିତ୍ୟ ରୂପକ ସମୁଦ୍ରରେ ବୁଡି ରହି ନିଜ ରଚନା ଜରିଆରେ ବିଶ୍ୱକୁ ଦିଗଦର୍ଶନ ଦେବାକୁ ଚାହାନ୍ତି ସୁସ୍ମିତା ମହାପାତ୍ର।

Leave a Reply

Your email address will not be published. Required fields are marked *