ଜୟ ଜଗନ୍ନାଥ ସେବା ସଙ୍ଘ ପକ୍ଷରୁ ରାଜଧାନୀରେ ଜଳସେବା ଶିବିର
ଭୁବନେଶ୍ୱର : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସଙ୍ଘ ପକ୍ଷରୁ ରାମ ମନ୍ଦିର ଠାରେ ଜଳ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଅଛି | ପ୍ରବଳ ଗୁଳୁଗୁଳିରେ ପଥଚାରୀ ମାନଙ୍କ ସୁବିଧା ପାଇଁ ଅନୁଷ୍ଠାନ ପକ୍ଷରୁ ଦହି, ଅଦା, ପୋଦିନା, ଲଙ୍କା ଇତ୍ୟାଦି ମିଶ୍ରଣରେ ପ୍ରସ୍ତୁତ ସୁସ୍ୱାଦୁ ପାନୀୟ ବଣ୍ଟନ କରାଯାଇଥିଲା | ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଏହି ଜଳ ସେବା ଅପରାହ୍ନ ପର୍ଯ୍ୟନ୍ତ ଚାଲୁ ରହିଥିଲା | ଜଗତସିଂହପୁର ଜିଲ୍ଲାର ଅନ୍ୟତମ ସାମାଜିକ ଅନୁଷ୍ଠାନ ଦିଲ୍ଲୀପ ମେମୋରିଆଲ କ୍ଲବର ସୌଜନ୍ୟରେ ଗଢି ଉଠିବା ଏହି ସେବା ଅନୁଷ୍ଠାନ ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ପ୍ରତେକ ରବିବାର ଦିନ ବିଭିନ୍ନ ସ୍ଥାନରେ ଏଭଳି ଜଳ ସେବା କାର୍ଯ୍ୟ ଆୟୋଜନ କରି ଆସୁଛି | ଆଜି ଏହି କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ ସେବା ସଙ୍ଘ ପକ୍ଷରୁ ଅଭୟ ମାଝୀ, ନିରଞ୍ଜନ ପ୍ରଧାନ, ବାପୁ ସ୍ୱାଇଁ, ମୁନା ପ୍ରଧାନ, ରଞ୍ଜନ ପ୍ରଧାନ, ସ୍ୱାଧୀନ ପ୍ରଧାନ, ବାନାମ୍ବର ପ୍ରଧାନ, ଲିପୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ଜଳ ସେବା ପ୍ରଦାନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ବର୍ଗ ସମ୍ମିଳନୀର କର୍ମକର୍ତ୍ତା ଦୀନବନ୍ଧୁ ଷଡ଼ଙ୍ଗୀ, ବିଷ୍ଣୁ ମିଶ୍ର ଏବଂ ସାମାଜିକ କର୍ମୀ ସଞ୍ଜୟ ପରିଡା ପ୍ରମୁଖ ଉପସ୍ଥିତ ଥାଇ ଅନୁଷ୍ଠାନର ଏଭଳି ସେବା କାମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହାକୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ |




