ଲେଖକୀୟ ସତ୍ତା ରୁ ପାଠକୀୟ ଋଚି ପର୍ଯ୍ୟନ୍ତ ସାହିତ୍ୟର ଲମ୍ବା ଯାତ୍ରାର ପଥିକ – ଡ଼.ଶାନ୍ତନୁ କୁମାର ନାୟକ

ଓଡ଼ିଆ ଭାଷା ସାହିତ୍ୟରେ ସେ ଖୁବ୍ ତରୁଣ କିନ୍ତୁ ତାଙ୍କର ଲେଖନୀର ଚାତୁରୀ ଆଜି ପ୍ରଦାନ କରିଛି ଏହି ଯୁବ ଲେଖକଙ୍କୁ ଅନେକ ଖ୍ୟାତି।ସେହି ଯୁବ ସାହିତ୍ୟିକ ହେଉଛନ୍ତି ଏରୋନଟିକ୍ସ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଡ଼.ଶାନ୍ତନୁ କୁମାର ନାୟକ।
ବାଲେଶ୍ୱର ଜିଲ୍ଲାରେ ଜନ୍ମିତ ଲେଖକ ଶାନ୍ତନୁ ଖୁବ୍ ସ୍ୱଳ୍ପ ବୟସରେ ହାସଲ କରିଛନ୍ତି ଅନେକ ସଫଳତା।ଗ୍ରାମର ସେହି ପ୍ରାକୃତିକ ପରିବେଶ ଓ ସଂସ୍କୃତିମୟ ମାହୋଲରେ କଟିଥିଲା ତାଙ୍କ ପିଲାବେଳ।ତେବେ ଓଡ଼ିଆ ଭାଷା ସାହିତ୍ୟରେ ଶାନ୍ତନୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି।ଓଡ଼ିଆ ଭାଷା ସାହିତ୍ୟରେ ସୁରେନ୍ଦ୍ର ମହାନ୍ତି,ଅଖିଳ ମୋହନ ପଟ୍ଟନାୟକ,ରବି ପଟ୍ଟନାୟକ ତଥା ବର୍ତ୍ତମାନ ସମୟର ଯୁବ ସାହିତ୍ୟିକ ରଜନୀକାନ୍ତ ମହାନ୍ତି,ମହାଶ୍ୱେତା ସାହୁ ପ୍ରମୁଖଙ୍କୁ ନିଜର ଆଦର୍ଶ ମାନୁଥିବା ବେଳେ ସମାଲୋଚନାତ୍ମକ ପ୍ରବନ୍ଧ ଏବଂ କ୍ଷୁଦ୍ରଗଳ୍ପରେ ନିପୁଣ ଅଟନ୍ତି ଏହି ଯୁବ ସାରସ୍ୱତ ସାଧକ।ସେହି କୃତି ମଧ୍ୟରୁ ତାଙ୍କର “ଅବତୀର୍ଣ୍ଣ” ଅନ୍ୟତମ।ଏହି ଗଳ୍ପ ପୁସ୍ତକରେ ରହିଛି ସମାଜର ସ୍ୱାର୍ଥସର୍ବସ୍ୱ ମଣିଷ ଭିତରେ ଥିବା ଅସହାୟତା ତଥା ବ୍ୟକ୍ତି ମଣିଷର ବହୁଧା ବିଭକ୍ତ ଅନୁଭୂତି ଓ ଅସ୍ତିତ୍ୱ।
“ମହାଦେବ ପୂଜା” ନାମକ ଗଳ୍ପରୁ ନିଜର ବିଧିବଦ୍ଧ ସାହିତ୍ୟ ଜୀବନ ଆରମ୍ଭ କରିଥିବା ଅଧ୍ୟାପକ ଶାନ୍ତନୁ ଯଦିଓ ପିଲାଟିଦିନରୁ ପଞ୍ଚତନ୍ତ୍ର,ବିକ୍ରମବେତାଳ କାହାଣୀରୁ ଅନେକ ପ୍ରେରଣା ପାଉଥିଲେ କିନ୍ତୁ କାଦମ୍ବିନୀ ପତ୍ରିକା ସମ୍ମାନ ତାଙ୍କୁ ପ୍ରଦାନ କରିଥିଲା ଅନେକ ଉତ୍ସାହ ଆଗକୁ ବଢ଼ିବା ପାଇଁ।

ଯୁବ ସାହିତ୍ୟିକ ଶାନ୍ତନୁ କୁମାର ନାୟକଙ୍କ ପୁସ୍ତକ ଓ କୃତି ବିଷୟରେ କିଛି-

ପୁରସ୍କାର-
କଥା ନବପ୍ରତିଭା ପୁରସ୍କାର- ୨୦୧୭
କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର-୨୦୧୭
ହାଜୀ ଅସରଫ୍ ଅଲ୍ଲୀ ଉଦୟରାଗ ସମ୍ମାନ-୨୦୨୧
ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ,କଳିଙ୍ଗ ପୁସ୍ତକ ମେଳା-୨୦୨୧

ପୁସ୍ତକ-ଅବତୀର୍ଣ୍ଣ ଓ ସାହିତ୍ୟ ବିମର୍ଷ

ଶାନ୍ତନୁ କୁମାରଙ୍କ ପ୍ରତ୍ୟେକ ସାହିତ୍ୟ କୃତିର ପ୍ରଥମ ଅନୁଶୀଳନର ପର୍ବ ଆରମ୍ଭ ହୁଏ ତାଙ୍କ ପରିବାରରୁ।ମା,ଭଉଣୀ,ସହଧର୍ମିଣୀ ତଥା ଅଧ୍ୟାପିକା ଶାଶ୍ୱତୀ ସାଜିଥାନ୍ତି ତାଙ୍କର ପ୍ରଥମ ସାହିତ୍ୟ ଶ୍ରୋତା ଓ ବିଚାରକର୍ତ୍ତୀ।
ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରକୁ ଆସୁଥିବା ଯୁବ ସାହିତ୍ୟିକଙ୍କ ସହ ଲେଖକ ଶାନ୍ତନୁ ଏହି ଶପଥ କରନ୍ତି ଯେ “ଆମେ ଲେଖୁଥିବା ଲେଖକୀୟ ସତ୍ତା ଚଳଚଞ୍ଚଳ ହେଉ।ପୁରସ୍କାର,ସମ୍ମାନ, ଆଧିପତ୍ୟ ଠାରୁ ଦୁରେଇ ରହି ନିଜ ସାଧନାକୁ ଆମେ ଅତୁଟ ରଖିବା ସହିତ ସମୟ ଏବଂ ସାଧନାର ମହତ୍ତ୍ବକୁ  ବୁଝିବା।ତତ୍ ସହିତ ସାହିତ୍ୟର ମାନ ମଧ୍ୟ ରଖିବା।”
ଓଡ଼ିଆ ସାହିତ୍ୟକୁ ନେଇ ଅନେକ ଆଶା ଓ ଲକ୍ଷ୍ୟ ରଖିଛନ୍ତି ଏହି ଯୁବ ଅଧ୍ୟାପକ ଜଣଙ୍କ।

Leave a Reply

Your email address will not be published. Required fields are marked *