ମଧୁସୂଦନ ୱାକର୍ସ କ୍ଲବ ପକ୍ଷରୁ ମଧୁବାବୁଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ୱର : ପୋଖରୀପୁଟ ସ୍ଥିତ ମଧୁସୂଦନ ଦାସ ପାର୍କ ପରିସରରେ ଆଜି ମଧୁସୂଦନ ୱାକର୍ସ କ୍ଲବ ପକ୍ଷରୁ ମଧୁବାବୁଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ୱାକର୍ସ କ୍ଲବ ସଭାପତି ସୁଶାନ୍ତ କୁମାର ଦେହୁରୀଙ୍କ ନେତୃତ୍ୱରେ ଅନ୍ୟତମ ସକ୍ରିୟ ସଦସ୍ୟ ବାଲ୍ମୀକି ପାତ୍ର , ଲଳିତ ନାରାୟଣ ରାଉତ, ବିଭୁତି ଭୂଷଣ ସାହୁ, ସତ୍ୟବ୍ରତ ଦାସ, ଅନ୍ତର୍ଯ୍ୟାମୀ ନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭେଟେରାନ୍ସ କ୍ଲବ ଓଡ଼ିଶା ପକ୍ଷରୁ ଅବସରପ୍ରାପ୍ତ ନୌସୈନିକ ଭେଟେରାନ୍ ଦୀନବନ୍ଧୁ ଷଡ଼ଙ୍ଗୀ ଯୋଗ ଦେଇ ଓଡ଼ିଶାକୁ ଶିଳ୍ପ ଓ ବାଣିଜ୍ୟରେ ପ୍ରତିଷ୍ଠିତ କରାଇବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନର ସ୍ମୃତିଚାରଣ କରି ଆଜି ଦିନରେ ତାଙ୍କର ଏହି ପ୍ରୟାସକୁ ଲୋକଲୋଚନକୁ ଆଣିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହିଥିଲେ । ରତ୍ନଗର୍ଭା ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୁର ଥିଲା ବେଳେ ଆମର ପ୍ରୟାସ ଅଭାବରୁ ଲୋକମାନେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଖଟିବାକୁ ଯାଉଛନ୍ତି ବୋଲି କହିଲେ । ଓଡ଼ିଶାର ଲୌହ , ବିଦ୍ୟୁତ ଶକ୍ତି ଓ ମାନବ ସମ୍ବଳକୁ ଆଖି ଆଗରେ ରଖି ଏକ ଜାହାଜ ତିଆରି କାରଖାନା ପ୍ରତିଷ୍ଠା କରାଗଲେ ଏସବୁର ବିନିଯୋଗ ହୋଇପାରିବା ସହ ଓଡ଼ିଶାରୁ ଦାରିଦ୍ର୍ୟ ଦୂର ହେବା ସହ ଅନେକ ଶିକ୍ଷିତ ବେକାର ଯୁବକଯୁବତୀ କର୍ମ ନିଯୁକ୍ତି ପାଇ ପାରିବେ ବୋଲି ସେ କହିଲେ । ଆଗରୁ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ନୌବାଣିଜ୍ୟର ଇତିହାସ ରହିଛି ଏବଂ ଏକ ଜାହାଜ କାରଖାନା ପ୍ରତିଷ୍ଠା ହେଲେ ଓଡ଼ିଶା ତାର ହୃତ ଗୌରବ ଫେରି ପାଇବାରେ ସମର୍ଥ ହେବ ବୋଲି ସେ ନିଜର ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟତମ ସହଯୋଗୀ ଅନୁଷ୍ଠାନ ପତଞ୍ଜଳି ଯୋଗ ସମିତି ପକ୍ଷରୁ ଯୋଗ ଦେଇ ଶ୍ରୀମତି ମମତା ମହାନ୍ତି କହିଛନ୍ତି ଯେ ମଧୁବାବୁଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଆପ୍ରାଣ ପ୍ରଚେଷ୍ଟା ଯୋଗୁଁ ଆମେ ଓଡ଼ିଶାର ଭୂଗୋଳ ସହ ଭାଷା ଏବଂ ଇତିହାସ ବଞ୍ଚାଇ ରଖିପାରିଲୁ । ଅଥଚ ବର୍ତ୍ତମାନ ସମୟରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଓଡ଼ିଶାର ଏହି ବରପୁତ୍ର ମାନଙ୍କ ବିଷୟରେ ପିଲାଙ୍କୁ ପଢ଼ାଉ ନ ଥିବାରୁ ଭବିଷ୍ୟତ ପିଢ଼ି ଏମାନଙ୍କ ଅତୁଳନୀୟ ଅବଦାନ ଉପରେ କିପରି ଅବଗତ ହେବ ତାହା ଚିନ୍ତାଜନକ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରାତଃ ସ୍ମରଣୀୟ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସଦସ୍ୟ ମଧୁସୂଦନ ସ୍ୱାଇଁ, ସୁନୀଲ ବିଶ୍ୱାଳ, ଅରୂପ ପଟ୍ଟନାୟକ, ବିଷ୍ଣୁ ପ୍ରସାଦ ମିଶ୍ର, ହରିବନ୍ଧୁ ପ୍ରହରାଜ, ମନୋରଞ୍ଜନ ପାତ୍ର, ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ଦୁର୍ଯ୍ୟୋଧନ କାଠୁଆ, କବିତା ମହାନ୍ତି, ପ୍ରମିଳା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *