ମାହାଙ୍ଗା ଗଣହତ୍ୟା ଘଟଣା : ପୋଲିସକୁ ଚାଞ୍ଚଲ୍ୟକର ବୟାନ ଦେଲା ଅଭିଯୁକ୍ତ ଶିବ

ମାହାଙ୍ଗା: କୁଶପୁର ଗଣହତ୍ୟା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା । ଜମିବାଡ଼ି ବିବାଦକୁ ନେଇ ସାନଭାଇ ଶିବ ପ୍ରସାଦ ସାହୁ ନିଜ ବଡ଼ ଭାଇର ପୁରା ପରିବାରକୁ ହତ୍ୟା କରିଥିବା ସ୍ବୀକାର କରିଛି ।

ଏହି ଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏହାର ଉତ୍ତର ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି କଟକ ଗ୍ରାମାଞ୍ଚଳ ପୋଲିସ । ତଦନ୍ତ ସମୟରେ ମଙ୍ଗରବାର ରାତିରେ ବାଲିଚନ୍ଦ୍ରପୁର ଥାନାରେ ଅଟକ ଥିବା ଶିବ ସାହୁର ବୟାନ ରେକର୍ଡ଼ କରିଥିଲା ପୋଲିସ। ଏହି ବୟାନରେ ଶିବ ଖୋଲିଛି ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ଗୁମର ।

ପୋଲିସକୁ ଶିବ ସାହୁ ଦେଇଥିବା ବୟାନ ମୁତାବକ,” ୧୦-୧୫ ବର୍ଷ ହେଲା ସେମାନଙ୍କ ଉପରେ ମୋର ରାଗ ଥିଲା । ସେମାନେ ମୋତେ ବହୁତ ହଇରାଣ କରୁଥିଲେ । ସୋମବାର ରାତିରେ ଆମେ ସମସ୍ତେ ଖାଇ ପିଇ ଶୋଇଥିଲୁ । ରାତି ପ୍ରାୟ ଦୁଇଟା ବେଳକୁ ମୋର ନିଦ ଭାଙ୍ଗି ଗଲା । ମୁଁ ଘର ବାହାରକୁ ଯିବା ପାଇଁ ଚାହିଁବାରୁ ଗେଟରେ ତାଲା ପଡ଼ିଥିଲା। ତାଲା ଖୋଲିବା ପାଇଁ ମୁଁ ଭାଉଜଙ୍କୁ ଡାକିଥିଲି । କିନ୍ତୁ ଭାଉଜ ତାଲା ଖୋଲିବା ବଦଳରେ ମୋ ସହିତ ଯୁକ୍ତି ତର୍କ କଲେ । ମୁଁ ବିରୋଧ କରିବାରୁ ଭାଇ ଉଠି ଆସି ତାଙ୍କ ପୁଅକୁ କହିଥିଲେ କି କଟୁରୀଟା ଆଣେ ଆଜି ଏଇଟାକୁ ଶେଷ କରି ଦେବା । ପୁତୁରା କଟୁରୀ ଆଣି ମୋତେ ଚୋଟ ମାରିଥିଲା । ମୋର ଗୋଟିଏ ଆଙ୍ଗୁଟି କଟି ଗଲା । ତା ପରେ ସମସ୍ତ ଶୋଇବା ପାଇଁ ଚାଲିଗଲେ” ।

“ମୋ ରୁମକୁ ଯାଇ ସେଠି ପାଖାପାଖି ୧୦ ମିନିଟ କାଳ ମୁଁ ଚିନ୍ତା କଲି । ଶେଷରେ ସମସ୍ତଙ୍କୁ ମାରି ଦେବା ପାଇଁ ନିଷ୍ପତ୍ତି କରି ଯେଉଁ କଟୁରୀରେ ମୋତେ ଆକ୍ରମଣ କରିଥିଲେ ସେହି କଟୁରୀ ହାତରେ ଧରି ସେମାନେ ଶୋଇଥିବା ରୁମ ପାଖକୁ ଗଲି । କବାଟ ବାଡେଇବା ପରେ ଭାଉଜ କବାଟ ଖୋଲିଥିଲେ । ଆଉ ପ୍ରଥମେ ଭାଉଜଙ୍କୁ ହାଣିଲି ଆଉ ତା ପରେ ସେହି ଅନ୍ଧାର ଘର ଭିତରେ ମୋ କଟୁରୀ ଆଗରେ ଯିଏ ବି ପଡ଼ିଲା ସମସ୍ତଙ୍କୁ ହାଣି ଚାଲିଥିଲି” ।

ପୋଲିସଠାରୁ ମିଳିଥିବା ସୂଚନା ମୁତାବକ ଶିବ ଗୋଟିଏ ଘଣ୍ଟା ଧରି ଏହି ଭଳି ହଣାକଟା କରିଥିଲା । ତେବେ ସମସ୍ତ ମରିଛନ୍ତି ବା ନାହିଁ ତାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ମୃତକଙ୍କ ବଳା ଗଣ୍ଠି ଓ ଗୋଡ଼ର ଗୋଛିକୁ କାଟି ଥିଲା । ତା ପରେ ରକ୍ତ ଛିଟା ଲାଗିଥିବା ନିଜ ଲୁଗାପଟାକୁ ସେଠାରେ ଓହ୍ଲାଇବା ସହ କଟୁରୀକୁ ସେଠାରେ ରଖି ବାଥ ରୁମକୁ ଯାଇ ଗାଧୋଇଥିଲା । ସେତେବେଳେ ଭୋର ହୋଇଯାଇଥିବାରୁ ଘରର ବାହାର ପଟେ ତାଲା ପକେଇ ସାଇକେଲ ଧରି ସେଠାରୁ ପ୍ରଥମେ ଏକ ମେଡିସିନ ଷ୍ଟୋର ଓ ତା ପରେ ଏକ ଜଳିଖିଆ ଦୋକାନକୁ ଯାଇ ଜଳଖିଆ କରିବା ପରେ ନିଜ ମୋବାଇଲରେ ଅପରାଧର ସ୍ବକାରୋକ୍ତି କଥା ନିଜ ବୟାନରେ କହିଛି ଶିବ।

କିନ୍ତୁ ଶିବ ସାହୁର ସ୍ବୀକାରୋକ୍ତି ଓ ତାର ବୟାନରେ ସତ୍ୟତା ରହିଛି ବା ନାହିଁ ତାହା ଜାଣିବା ପାଇଁ ଅନୁସନ୍ଧାନ ଆରମ୍ଭ କରିଛି ପୋଲିସ । ଏହି ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି ବା ନାହିଁ ଓ ହତ୍ୟା ପୂର୍ବରୁ ମୃତକଙ୍କୁ ଖାଦ୍ୟରେ ଦ୍ରବ୍ୟ ଦିଆଯାଇଥିଲା ବା ନାହିଁ ତାହାର ମଧ୍ୟ ଯାଞ୍ଚ ହୋଉଛି । ଏହା ବ୍ୟତୀତ ଅଭିଯୁକ୍ତ ଶିବ ସାହୁର କଲ ଡିଟେଲ ଓ ପୋଷ୍ଟମଟମ ରିପୋର୍ଟ ସହ ଭିସରା ରିପୋର୍ଟ ମଧ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ଆଉ କିଛି ତଥ୍ୟ ପ୍ରଦାନ କରିବ ବୋଲି ଅନୁମାନ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *