ରାଜଧାନୀର ଲୋୟର ପି.ଏମ.ଜି ନିକଟ ବବୁଲୁ ବେହେରା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ; ଦୁଇ ଜଣ ଗିରଫ

ଭୁବନେଶ୍ୱର: ରାଜଧାନୀର ଲୋୟର ପି.ଏମ.ଜି ନିକଟ ବବୁଲୁ ବେହେରା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କମିସନରେଟ ପୋଲିସ । ବବୁଲୁକୁ ହତ୍ୟା କରିଥିବା ଦୁଇ ଜଣଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଞ୍ଜାମର ରାଜେଶ ମହାପାତ୍ର ଓରଫ ରାଜା ଓ ଢେଙ୍କାନାଳର ଅଜୟ ରାଉତ ଓରଫ ଗେଡୁ । ଉଭୟଙ୍କ ଠାରୁ ହତ୍ୟାର ବ୍ୟବହୃତ ଲୁହା ରଡ଼କୁ ପୋଲିସ ଜବତ କରିଛି।

ଅନୁସନ୍ଧାନ ପରେ ପୋଲିସ କହିଛି, ମୃତ ବବୁଲୁ ବେହେରା ଓ ତାଙ୍କ ପତ୍ନୀ ପୂଜା ବେହେରା ସେମାନଙ୍କ ପୁଅ ସହିତ ୪ ମାସ ହେବ ଇଣ୍ଡିଆନ୍ ପୋଷ୍ଟ ଏଟିଏମ୍ କାଉଣ୍ଟରର ବାରଣ୍ଡାରେ ରହି ଆସୁଥିଲେ । ଅଭିଯୁକ୍ତ ରାଜା ଓ ଗେଡୁ ଓ ମୃତକମାନେ ଦୀର୍ଘ ଦିନରୁ ପରସ୍ପରଙ୍କର ଜଣାଶୁଣା ଥିଲେ । ଗତ ୧୦.୦୪.୨୦୨୨ ଅପରାହ୍ନରେ ଅଭିଯୁକ୍ତ ରାଜା ଓ ମୃତକ ବବୁଲୁ ବେହେରା ଓ ତାଙ୍କ ପତ୍ନୀ ପୂଜା ବେହେରାଙ୍କ ମଧ୍ୟରେ ସେମାନେ ରହୁଥିବା ସ୍ଥାନ ନିକଟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ମୃତକ ବବୁଲୁ ବେହେରା ଓ ତାଙ୍କ ପତ୍ନୀ ଅସଭ୍ୟ ଭାଷାରେ ଦୁବ୍ୟବହାର କରିଥିଲେ ଓ ଅଭିଯୁକ୍ତମାନେ ସର୍ବଦା ସେମାନଙ୍କ ବ୍ୟକ୍ତିଗତ ଜୀବନରେ ବାଧା ଦେଉଥିବାରୁ ସେମାନଙ୍କୁ ଭୟଙ୍କର ପରିଣାମର ଧମକ ଦେଇଥିଲେ ।

“ରବିବାର ରାତ୍ରି ପ୍ରାୟ ୨ଟା ସମୟରେ ଉଭୟ ଅଭିଯୁକ୍ତ ଏକ ଲୁହା ରଡ ସଂଗ୍ରହ କରିଥିଲେ । ବବୁଲୁ ଓ ପୂଜା ପୁଅ ସହିତ ଶୋଇଥିବାର ଦେଖି, ପ୍ରଥମେ ବବୁଲୁକୁ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ହିଁ ବବୁଲୁଙ୍କର ମୃତ୍ୟୁ ଘଟିଥିଲା । ସ୍ୱାମୀକୁ ଆକ୍ରମଣ ବେଳେ ପୂଜା ଉଠିପଡ଼ିଥିଲେ । ସ୍ବାମୀଙ୍କୁ ଆକ୍ରମଣ କରୁଥିବାର ଦେଖି ଚିତ୍କାର କରିଥିଲେ । ତା’ପରେ ଅଭିଯୁକ୍ତ ରାଜା ପୂଜାଙ୍କୁ ମଧ୍ୟ ଆକ୍ରମଣ କରି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଯେତେବେଳେ ଉଭୟ ଦମ୍ପତି ଚୁପ୍ ହୋଇଗଲେ। ଅଭିଯୁକ୍ତମାନେ ଭାବିଲେ ଯେ ସେମାନେ ମରିସାରିଛନ୍ତି , ତେଣୁ ସେମାନେ ଅପରାଧର ଅସ୍ତ୍ରକୁ ଘଟଣାସ୍ଥଳ ସମ୍ମୁଖରେ ଥିବା ବୁଦା ଭିତରକୁ ଫିଙ୍ଗିଦେବା ପରେ ଉକ୍ତ ସ୍ଥାନ ଛାଡ଼ି ପଳାଇଥିଲେ । ଖାରବେଳ ନଗର ଥାନା ପୋଲିସ ଟିମ ମାମଲାର ତଦନ୍ତ କରିଥିଲେ ଓ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅପରାଧରେ ବ୍ୟାବହୃତ ଅସ୍ତ୍ରକୁ ମଧ୍ୟ ଜବତ ହୋଇଛି,” କହିଛନ୍ତି ଭୁବନେଶ୍ୱର ଡ଼ିସିପି ଉମା ଶଙ୍କର ଦାଶ୍ ।

ଘଟଣା ପରେ ଦୁଇ ଅଭିଯୁକ୍ତ ଚା ପିଇଥିଲେ । ପରେ ଟ୍ରେନ ଯୋଗେ ଚେନ୍ନାଇ ପଲାଇଯିବାକୁ ବସିଥିବା ବେଳେ ପୋଲିସ ଉଭୟଙ୍କୁ ଗିରଫ କରିଛି। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି, ଦୁଇ ଅଭିଯୁକ୍ତ ରାଜେଶ ଓ ଅଜୟ ରାଜଧାନୀରେ ଦିନ ମଜୁରିଆ ଭାବେ କାମ କରନ୍ତି । ଉଭୟ ରାସ୍ତା କଡ଼ରେ ରାତି ବିତାନ୍ତି।

ତଦନ୍ତ ବେଳେ ଜଣା ପଡିଛି ଅଜୟ ରାଉତ ୨୦୧୩ ମସିହାରେ କ୍ୟାପିଟାଲ ଥାନା ଅଧୀନରେ ଏକ ହତ୍ୟାକାଣ୍ଡ ରେ ଗିରଫ ହୋଇ ଜେଲ ଯାଇଥିଲା। ୧୩ ବର୍ଷ ବୟସରୁ ପରିବାର ଛାଡି ଅପରାଧ ଜଗତରେ ସକ୍ରିୟ ଥିଲା । ରାଜେଶ ମଧ୍ୟ ଜଣେ ପେଷାଦାର ଅପରାଧି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *