ଇସ୍ତଫା ଦେଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶଆରି; ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ହେଲେ ରମେଶ ବୈସ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଗତ ସିଂହ କୋଶୟାରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପରେ ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈସ୍‌ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ହେବେ ବୋଲି ଆଜି ରାଷ୍ଟ୍ରପତିଙ୍କ ସଚିବାଳୟ ଜାରି କରିଥିବା ବିବୃତିରୁ ଜଣାପଡ଼ିଛି।

ପଢ଼ାପଢ଼ି ଓ ଲେଖାଲେଖି କରିବା ଲାଗି ସମୟ ଦେବାକୁ ୮୧ ବର୍ଷିୟ କୋଶୟାରୀ ରାଜ୍ୟପାଳ ପଦବୀରୁ ଇସ୍ତଫା ଦେବାକୁ ଜାନୁଆରି ମାସରେ ଇଚ୍ଛା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ଟିପ୍ପଣୀ ଦେଇ ‌ନିକଟ ଅତୀତରେ କୋଶୟାରୀ ବିବାଦୀୟ ହୋଇପଡ଼ିଥିଲେ। ପୂର୍ବରୁ ମଧ୍ୟ ସେ ଏଭଳି କେତେଗୁଡ଼ିଏ ଟିପ୍ପଣୀ ଦେଇ ବିବାଦର ସୂତ୍ରପାତ କରିଥିଲେ।

ସେପଟେ, ଅଘାଡ଼ି’ ସରକାରରୁ ବିଚ୍ଛିନ୍ନ ହୋଇ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ‘ବିଜେପି’ ସହିତ ମିଶି ନୂଆ ସରକାର ଗଠନ କରିବାରୁ ମହାରାଷ୍ଟ୍ରର ରାଜ୍ୟପାଳ ପଦବୀ କାହାକୁ ମିଳିବ, ସେଥିପାଇଁ କଳ୍ପନାଜଳ୍ପନା ଚାଲିଥିଲା।

ସେହିପରି, ରାଷ୍ଟ୍ରପତି ମୁର୍ମୁ ଲଦାଖର ଉପରାଜ୍ୟପାଳ ରାଧାକୃଷ୍ଣନ୍‌ ମାଥୁରଙ୍କ ଇସ୍ତଫା ପତ୍ର ମଧ୍ୟ ଗ୍ରହଣ କରିଥିବା କଥା ଉକ୍ତ ବିବୃତିରେ ଉଲ୍ଲେଖ ଅଛି।

ଏହି କ୍ରମରେ, ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ନିଯୁକ୍ତି କରିବାରୁ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ/ଉପରାଜ୍ୟପାଳ ବଦଳିଛନ୍ତି।

ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ କୈବଲ୍ୟ ତ୍ରିବିକ୍ରମ ପରନାଏକ, ସିକିମର ରାଜ୍ୟପାଳ ଭାବେ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ସି. ପି. ରାଧାକୃଷ୍ଣନ୍‌, ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଶିବ ପ୍ରତାପ ଶୁକ୍ଳ, ଆସାମର ରାଜ୍ୟପାଳ ଭାବେ ଗୁଲାବ୍‌ଚାନ୍ଦ୍‌ କଟାରିୟା, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଅବସରପ୍ରାପ୍ତ ବିଚାରପତି ଏସ୍‌. ଅବ୍ଦୁଲ୍‌ ନାଜୀର୍‌ଙ୍କୁ ନିଯୁକ୍ତି ମିଳିଛି।

ଏହାଛଡ଼ା, ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ରାଜ୍ୟପାଳ, ଛତିଶଗଡ଼ର ରାଜ୍ୟପାଳ ସୁଶ୍ରୀ ଅନୁସୂୟା ୱିକିୟେଙ୍କୁ ମଣିପୁର ରାଜ୍ୟପାଳ, ମଣିପୁରର ରାଜ୍ୟପାଳ ଲା. ଗଣେଶନ୍‌ଙ୍କୁ ନାଗାଲାଣ୍ଡ୍‌ର ରାଜ୍ୟପାଳ, ବିହାରର ରାଜ୍ୟପାଳ ଫଗୁ ଚୌହାନ୍‌ଙ୍କୁ ମେଘାଳୟର ରାଜ୍ୟପାଳ, ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର୍‌ଙ୍କୁ ବିହାରର ରାଜ୍ୟପାଳ, ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈସଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଏବଂ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଅବସରପ୍ରାପ୍ତ ବ୍ରିଗେଡିୟର୍‌ ଡକ୍ଟର୍‌ ବି. ଡି. ମିଶ୍ରାଙ୍କୁ ଲଦାଖର ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *