କେନ୍ଦ୍ରୀୟ ଅନୁଦାନ କାଟ୍ ଖାଇବା ଆଳରେ ଚୁକ୍ତିଭିତ୍ତିକ ଆର.ବି.ଏସ୍.କେ. ଆୟୁଷ ଡାକ୍ତରଙ୍କ ନିଯୁକ୍ତିକୁ ସ୍ଥାୟୀ ନକଲେ ଆନ୍ଦୋଳନ ଜୋରଦାର ହେବ

ତୁରନ୍ତ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆର.ବି.ଏସ୍.କେ. ଆୟୁଷ ଡାକ୍ତରଙ୍କ ନିବେଦନ

ଭୁବନେଶ୍ୱର : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୨୦୨୨ ଅକ୍ଟୋବର ୧୫ ତାରିଖରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବଡ ଘୋଷଣା କରି କହିଲେ ଯେ ଓଡିଶାରୁ ସବୁଦିନ ପାଇଁ ଠିକା ବା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ସମ୍ପୂର୍ଣ ଭାବରେ ଉଛେଦ ହେଲା ଓ ଏଣିକି ଠିକା ବା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଓଡିଶା ମାଟିରେ ଇତିହାସ ହୋଇ ରହିଗଲା l ସେହି ଘୋଷଣା ଦ୍ୱାରା ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗରେ ଠିକା ବା ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଯୁବ କର୍ମଚାରୀ ଓ ଉଚ୍ଚଶିକ୍ଷିତ ଚାକିରି ଆଶାୟୀ ଯୁବବର୍ଗଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା । କିନ୍ତୁ ତା’ ପରଦିନ ଅର୍ଥାତ ୨୦୨୨ ଅକ୍ଟୋବର ୧୬ ତାରିଖରେ ଓଡ଼ିଶା ସରକାରଙ୍କ ଦ୍ୱାରା ଯେଉଁ ଆଦେଶନାମା ଜାରି ହେଲା, ସେଥିରେ କେବଳ ଚୁକ୍ତିଭିତ୍ତିକ ନିୟମ ୨୦୧୩ କୁ ପ୍ରତ୍ୟାହାର କରାଗଲା ବୋଲି ଉଲ୍ଲେଖ କରା ଯାଇଥିଲା ଏବଂ ତାହା ଦ୍ଵାରା ଓଡ଼ିଶା ସରକାରଙ୍କ ଅଧୀନସ୍ଥ କେବଳ ମାତ୍ର ୫୭ ହଜାର ଠିକା ବା ଚୁକ୍ତିଭିତ୍ତିକ କର୍ମଚାରୀ ଉପକୃତ ହେଲେ । କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ଏହିକି ଯେ ଏହି ନିୟମ ଉଚ୍ଛେଦ ପୂର୍ବରୁ ବା ପରେ ଚୁକ୍ତିଭିତ୍ତିରେ ନିଯୁକ୍ତି ପାଇଥିବା ଆର.ବି.ଏସ୍.କେ. ଆୟୁଷ ଡାକ୍ତରମାନେ ଦୀର୍ଘ ୦୯ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଫଳତାର ସହ ସେବା ଯୋଗାଇ ଆସୁଥିଲେ ବି ସେମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରାଗଲା ନାହିଁ ବା ବିଭାଗ ପକ୍ଷରୁ ଏଥିପାଇଁ ସାମାନ୍ୟତମ ଉଦ୍ୟମ କରାଗଲା ନାହିଁ l ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଓ ନିରନ୍ତର ସେବା ଯୋଗାଇ ଆସୁଥିବା ହତଭାଗ୍ୟ ଆର.ବି.ଏସ୍.କେ. ଆୟୁଷ ଡାକ୍ତରମାନଙ୍କ ପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏପରି ଦାୟିତ୍ୱହୀନ ଓ ଅପରିଣାମଦର୍ଶୀ ମାନସିକତା ଯୋଗୁଁ ଓଡ଼ିଶା ରାଜ୍ୟରେ କାମ କରୁଥିବା ୧୨୭୨ ଜଣ ଆର.ବି.ଏସ୍.କେ. ଆୟୁଷ ଡାକ୍ତରମାନଙ୍କ ମଧ୍ୟରେ ଘୋର ଅଶାନ୍ତି ଓ ହତାଶା ଦେଖା ଦେଇଛି l ପୁନଶ୍ଚ ୧୨୭୨ ଜଣ କର୍ତ୍ତବ୍ୟରତ ଆର.ବି.ଏସ୍.କେ. ଆୟୁଷ ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ମାସିକ ବେତନରେ ମଧ୍ୟ ଘୋର ତାରତମ୍ୟ ସୃଷ୍ଟି କରାଯାଇଛି l ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁଦାନରେ ନିଯୁକ୍ତିପ୍ରାପ୍ତ ଚୁକ୍ତିଭିତ୍ତିକ ଏମ୍.ବି.ବି.ଏସ୍ ଡାକ୍ତରମାନଙ୍କୁ ମାସିକ ୬୧,୨୬୧ ଟଙ୍କା ବେତନ ପ୍ରଦାନ କରାଯାଉଥିବା ବେଳେ ଆର.ବି.ଏସ୍.କେ. ଆୟୁଷ ଡାକ୍ତରମାନଙ୍କୁ ମାତ୍ର ୨୪,୧୭୧ ଟଙ୍କା ଦରମା ଦେଇ ଏକ ଅସମ୍ମାନଜନକ ସ୍ଥିତି ତଥା ନାହିଁ ନଥିବା ଆର୍ଥିକ ଦୁରାବସ୍ଥା ମଧ୍ୟକୁ ଠେଲି ଦିଆଯାଇଛି l ସ୍ଥାୟୀ ନିଯୁକ୍ତିକରଣ ଓ ଅନ୍ୟାନ୍ୟ ଦାବି ତଥା ଆଲୋଚନା ନିମନ୍ତେ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ରାଜ୍ୟ ଆର.ବି.ଏସ୍.କେ. ଆୟୁଷ ଡାକ୍ତର ସଂଘ, ଓଡ଼ିଶା ତରଫରୁ ବାରମ୍ବାର ନିବେଦନ କରାଯାଉଥିଲେ ମଧ୍ୟ ଉଦେଶ୍ୟମୂଳକ ଭାବେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସେମାନଙ୍କୁ ସେଥିରୁ ବଞ୍ଚିତ କରି ଏକ ଅଗଣତାନ୍ତ୍ରିକ ତଥା ଅବହେଳା ମନୋଭାବ ପ୍ରଦର୍ଶନ କରି ଆସୁଛନ୍ତି l

ଆଜି ଭୁବନେଶ୍ଵର ୟୁନିଟ-୯ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ରାଜ୍ୟ ଆର.ବି.ଏସ୍.କେ. ଆୟୁଷ ଡାକ୍ତର ସଂଘ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସଂଘର ସଭାପତି ଶ୍ରୀ ପ୍ରଭାତ ମହାନ୍ତି କହିଲେ ଯେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରୁ ଚୁକ୍ତିଭିତ୍ତିକ ବା ଠିକା ନିଯୁକ୍ତି ଭଳି କୁତ୍ସିତ ବ୍ୟବସ୍ଥାର ଉଚ୍ଛେଦ ଘୋଷଣା କଲାପରେ ଯେଉଁ ବିଭାଗମାନେ କେନ୍ଦ୍ରୀୟ ଯୋଜନା, କେନ୍ଦ୍ରୀୟ ସହାୟତା ଆଳରେ ହଜାର ହଜାର କର୍ମଚାରୀଙ୍କୁ ନ୍ୟାୟ ଦେବାରେ ଅମାନବିକତା ଓ ପକ୍ଷପାତ ଆଚରଣ କରୁଛନ୍ତି, ତାହାର ଦୃଢ଼ ପ୍ରତିବାଦ କରାଯିବ l କେତେଦିନ ପର୍ଯ୍ୟନ୍ତ ସ୍ୱଳ୍ପ ହାତଟେକା ପାରିଶ୍ରମିକରେ ଡାକ୍ତରୀ ଭଳି ପବିତ୍ର ବୃତ୍ତିକୁ ନେଇ ସେମାନେ ପରିବାର ଚଳାଇବେ l ଭବିଷ୍ୟତରେ ନିଯୁକ୍ତି ସ୍ଥାୟୀକରଣ ଆଶାରେ ରାଜ୍ୟ ସରକାରଙ୍କ ତତ୍କାଳୀନ ଆର୍ଥିକ ଦୁର୍ଗତିକୁ ବିଚାର କରି ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଆପଣେଇ ନେବା କଣ ସେମାନଙ୍କ ପାଇଁ ଅପରାଧ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି l ୨୦୧୩ ମସିହା ଏପ୍ରିଲ ମାସରେ ପ୍ରକାଶିତ ବିଭାଗୀୟ ବିଜ୍ଞପ୍ତିରେ ଦରମା ବୃଦ୍ଧି ଓ ନିଯୁକ୍ତି ସ୍ଥାୟୀ କାରଣ ସମ୍ପର୍କରେ ସ୍ପଷ୍ଟ ନିର୍ଦେଶନାମା ରହିଥିଲେ ବି ତାହା ନକରାଇ ଦେବା ପାଇଁ ଘୋର ଷଡ଼ଯନ୍ତ୍ର କରାଯାଇଛି l ବିଭାଗର ଏଭଳି ଆଚରଣ ଦ୍ୱାରା ରାଜ୍ୟବାସୀଙ୍କୁ ସୂଚନା ଦେବାକୁ ଉଦ୍ୟମ କରାଯାଉଛି, ଯେପରି କେନ୍ଦ୍ରୀୟ ଅନୁଦାନରେ ଓ କେନ୍ଦ୍ର ସରକାରଙ୍କ ଦୟା ଯୋଗୁଁ ଓଡିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପରିଚାଳିତ ହେଉଛି l ତାହା ହେଲେ ଆମେ ସମସ୍ତେ ରାଜ୍ୟକୁ ସେବା ଯୋଗାଉଥିବା କେନ୍ଦ୍ରୀୟ କର୍ମଚାରୀ, କେନ୍ଦ୍ର ସରକାର ଆମକୁ ସ୍ଥାୟୀ କରିବେ ବା କେନ୍ଦ୍ର ଅନୁଦାନ ବନ୍ଦ କରିଦେଲେ ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡିବ କି ? ରାଜ୍ୟର ଅମଲାତନ୍ତ୍ର ଅତି ଚତୁରତାର ସହ ଯେଉଁ କୁତ୍ସିତ ଅଭିପ୍ରାୟ ରଖି ଆର.ବି.ଏସ୍.କେ. ଆୟୁଷ ଡାକ୍ତରଙ୍କ ସହ ପ୍ରତାରଣା କରି ସେମାନଙ୍କର ସ୍ଥାୟୀ ସରକାରୀ କର୍ମଚାରୀ ହେବାର ସାମ୍ବିଧାନିକ ଅଧିକାରକୁ ଉଚ୍ଛେଦ କରୁଛନ୍ତି, ତାହା ସଙ୍ଘ କଦାପି ବରଦାସ୍ତ କରିବ ନାହିଁ l ସ୍ୱାସ୍ଥ୍ୟ ବିଭାଗର ରାଜ୍ୟ ଆର.ବି.ଏସ୍.କେ. ଆୟୁଷ ଡାକ୍ତରସଂଘ, ଓଡ଼ିଶା ପ୍ରତି ବାଛବିଚାର, ନିଯୁକ୍ତି ସ୍ଥାୟୀକରଣରେ ଟାଳଟୁଳ ନୀତି ଓ ଆର୍ଥିକ ତାରତମ୍ୟ ତଥା ପାତର ଅନ୍ତର ମନୋଭାବ ବିରୋଧରେ ସଂଘ ପକ୍ଷରୁ ଚଳିତ ୨୦୨୩ ଫେବୃଆରୀ ୧୧ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆର.ବି.ଏସ୍.କେ. ଆୟୁଷ ଡାକ୍ତରମାନେ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ କରିବେ, ଏହାପରେ ବି ଯଦି ରାଜ୍ୟ ସରକାର ସେମାନଙ୍କ ନିଯୁକ୍ତି ସ୍ଥାୟୀକରଣ କରିବା ସମ୍ବନ୍ଧରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଓଡ଼ିଶା ରାଜ୍ୟର ସମସ୍ତ ଆର.ବି.ଏସ୍.କେ. ଆୟୁଷ ଡାକ୍ତର ସାମୂହିକ ଛୁଟିନେଇ ରାଜଧାନୀ ରାଜ ରାସ୍ତାରେ ଚଳିତ ଫେବୃଆରୀ ମାସ ୨୦ ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିକ୍ଷୋଭ ସମାବେଶ କରିବେ । ଏହାଦ୍ବାରା ଓଡିଶାର ଜନସାଧାରଣ ଓ ଶିଶୁ ତଥା ଅନ୍ୟାନ୍ୟ ରୋଗୀମାନଙ୍କର ଯେକୌଣସି ସ୍ୱାସ୍ଥ୍ୟ ଜନିତ ଜରୁରୀକାଳୀନ ସ୍ଥିତି ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ l

ଆଜିର ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଶ୍ରୀ ପ୍ରଭାତ ମହାନ୍ତିଙ୍କ ସମେତ ବରିଷ୍ଠ ଉପଦେଷ୍ଟା ଡ଼ା ବିଶ୍ୱରଂଜନ ପ୍ରଧାନ, ଡ଼ା ବିଜୟ ସାମଲ ଓ ଡ଼ା ସୁଦୀପ୍ତ ସାହୁ, ସାଧାରଣ ସମ୍ପାଦକ ଡ଼ା ରବୀନ୍ଦ୍ର ସେଠି, ଉପସଭାପତି ଡ଼ା ଲିଙ୍ଗରାଜ ଦାଶ, ଡ଼ା ସ୍ଵାଗତିକା ଦାଶ, ସହ-ସମ୍ପାଦିକା ଡ଼ା ଜୟଶ୍ରୀ ଶ୍ରୀଚନ୍ଦନ, କୋଷାଧ୍ୟକ୍ଷ ଡ଼ା ଶୁଭେନ୍ଦୁ ଦାଶ ଓ ଡ଼ା ରାକେଶ କୁମାର ଜେନା ପ୍ରମୁଖ ନେତୃମଣ୍ଡଳୀ ତଥା ସମସ୍ତ ଜିଲ୍ଲା ସଂଘର ପଦାଧିକାରୀମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *