ଉତ୍ତର ପ୍ରଦେଶର ଫିରୋଜାବାଦରେ ଭୟଙ୍କର ସଡ଼କ ଦୁର୍ଘଟଣା; ୬ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଫିରୋଜାବାଦରେ ଘଟିଛି ବଡ଼ ଦୁର୍ଘଟଣା । ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ସହ ଟ୍ରକ୍‌ର ଧକ୍କା ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କ ଆହତଙ୍କୁ ସୈଫାଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି ।

ବସ୍‌ଟି ଲୁଧିଆନା ଓ ରାଏବରେଲୀରୁ ୫୦ ଜଣ ଲୋକଙ୍କୁ ନେଇ ଯାଉଥିଲା । ତେବେ ଏହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ ଅତିକ୍ରମ କରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଭୋର ପ୍ରାୟ ୪.୩୦ରେ ଦୁର୍ଘଟଣା ଘଟିଛି । ପୁଲିସ୍‌ କହିଛି ଯେ ଏହି ଡିଏମସି ବସ୍‌ଟି ପଛ ପଟୁ ଟ୍ରକ୍‌କୁ ଧକ୍କା ଦେଇଛି । ସମ୍ଭବତଃ ଗାଡ଼ିର ଡ୍ରାଇଭର ଶୋଇପଡ଼ିବାରୁ ଭାରସାମ୍ୟ ହରାଇ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟମାନଙ୍କୁ ଉଦ୍ଧାରକାରୀ ଟିମ ହସ୍ପିଟାଲ ନେଇଥିଲା । ଏବେ ଉଭୟ ବସ୍‌ ଓ ଟ୍ରକକୁ ଜବତ କରି ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *