ଗୋପାଳପୁର ବିଧାୟକ ଡ଼.ପ୍ରଦୀପ ପାଣିଗ୍ରାହୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ନେଇ ଗଞ୍ଜାମ ରାଜନୀତି ଚଳଚଞ୍ଚଳ

ବ୍ରହ୍ମପୁର; ତିନି ବର୍ଷ ପରେ ପୁଣି ମଇଦାନରେ ବିଧାୟକ । ନିଜ ନିର୍ବାଚନ ମଣ୍ଡଳୀରୁ ଦୀର୍ଘ ଦିନ ଧରି ଦୂରେଇ ଯାଇଥିବା ବେଳେ ଏବେ ବଳ ଗୋଟାଇବାରେ ଲାଗିଛନ୍ତି । ଲୋକଙ୍କ ସହ ମିଶିବା ଓ ସେମାନଙ୍କର ସମସ୍ୟାର ସମାଧାନ କରିବା ନେଇ ପୁଳା ପୁଳା ପ୍ରତିଶୃତି ମଧ୍ୟ ଦେଉଛନ୍ତି । ସେ ହେଉଛନ୍ତି ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ । ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଅର୍ଥ ହେରଫେର ଅଭିଯୋଗରେ ଜେଲ ଯାଇ ଦୀର୍ଘ ଦିନ ଧରି ନିଜ ନିର୍ବାଚନ ମଣ୍ଡଳୀରୁ ଦୂରେଇ ରହିଥିଲେ ପ୍ରଦୀପ । ବର୍ତ୍ତମାନ ପୁଣି ସେ ଆକ୍ଟିଭ ହୋଇଛନ୍ତି । ଆଉ ନିଜ ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ ଜନସମ୍ପର୍କ ପଦଯାତ୍ରା କରିବା ସହିତ ସଭା କରି ନିଜ ପାଓ୍ବାରକୁ ଦେଖାଉଛନ୍ତି । ସେପଟେ ଏଭଳି ପଦଯାତ୍ରା, ସଭା ସମିତିର କିଛି ପ୍ରଭାବ ପଡ଼ିବ ନାହିଁ । ନିଜର ସ୍ୱାର୍ଥ ପାଇଁ ସେ ଏଭଳି କରୁଥିବା ଲୋକେ ଜାଣିସାରିଲେଣି ବୋଲି କହିଛନ୍ତି ଜିଲ୍ଲା ବିଜେଡ଼ି ସଭାପତି ।

ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ଅଭଯୋଗରେ ଜେଲ ଯାଇ ଫେରିଛନ୍ତି ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ । ଦୀର୍ଘ ତିନି ବର୍ଷ ଧରି ନିଜ ନିର୍ବାଚନ ମଣ୍ଡଳୀରୁ ଦୂରେଇ ରହିବା ପରେ ଏବେ ମଇଦାନକୁ ଓହ୍ଲାଇଛନ୍ତି ପ୍ରଦୀପ । ଗତ କିଛି ଦିନ ହେଲା ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ଗାଁକୁ ବୁଲି ଲୋକ ସମର୍ଥନ ଯୋଡ଼ିବାରେ ଲାଗିଛନ୍ତି । ଶନିବାର ହୁଗୁଳାପଟା ପଞ୍ଚାୟତରେ ପହଞ୍ଚିବା ପରେ ଗାଁରେ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ଗ୍ରାମବାସୀ । ଏହାପରେ ଗାଁରେ ପଦଯାତ୍ରା କରି ଘରକୁ ଘର ବୁଲି ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିବା ପରେ ଗାଁ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ପରେ ଆୟୋଜିତ ସଭାରେ ନିଜ ଉଦବୋଧନ ଦେଇଥିଲେ । ଏହାସହିତ ଗାଁର ସମସ୍ୟାର ସମାଧାନ ନେଇ ପ୍ରତିଶୃତି ମଧ୍ୟ ଦେଇଥିଲେ । ଏହାପରେ ରବିବାର ରାଳବ ଓ ରଙ୍ଗିପୁରରେ ପହଞ୍ଚିଥିଲେ ବିଧାୟକ ପ୍ରଦୀପ । ହଳଦିଆପଦାର ମୁଖ୍ୟ ରାସ୍ତାରେ ଜନସମ୍ପର୍କ ପଦଯାତ୍ରାରେ ବାହାରି ଗାଁକୁ ପ୍ରବେଶ କରିଥିଲେ । ବିଧାୟକଙ୍କ ସହ ବହୁ ସମର୍ଥକ ଓ ଗ୍ରାମବାସୀ ମାନେ ଏକ ବିରାଟ ଶୋଭଯାତ୍ରାରେ ଗାଁ ମଧ୍ୟକୁ ଆସିଥିଲେ । ଗାଁର ସାହି ସାହି ବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ । ଏହାପରେ ଗାଁରେ ଗ୍ରାମବାସୀଙ୍କ ପକ୍ଷରୁ ହୋଇଥିବା ସଭାରେ ଯୋଗ ଦେଇଥିଲେ । ଏହି ସମୟରେ ମଧ୍ୟ ଅନେକ ଗ୍ରାମବାସୀ ନିଜର ସମସ୍ୟାକୁ ନେଇ ବିଧାୟକଙ୍କୁ ଜଣାଇଥିଲେ । ଗାଁର ରାସ୍ତା ଓ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ସେଠାରେ ହିଁ ୧୩ ଲକ୍ଷ ଟଙ୍କା ବିଧାୟକ ପାଣ୍ଠିରୁ ଅନୁମୋଦ କରିଥିଲେ ପ୍ରଦୀପ ।

‘‘ଗତ ତିନି ବର୍ଷ ହେଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିନାହିଁ । କୋଟି କୋଟି ଟଙ୍କା ବିଭିନ୍ନ କାର୍ଯ୍ୟ ନିମନ୍ତେ ମଞ୍ଜୁର କରାଯାଇଛି କିନ୍ତୁ କାମ ଆରମ୍ଭ ହୋଇପାରିନାହିଁ । ମୁଁ ନଥିବା ସମୟରେ ଯେଉଁମାନେ ଗୋପାଳପୁରର ବିକାଶ ମୋ ଦାୟିତ୍ୱ ବୋଲି କହି ବୁଲୁଥିଲେ ସେମାନଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ନାହିଁ । ସେମାନେ ଗାଁର ଉନ୍ନତି ନିମନ୍ତେ କାମ କରିବା ପରିବର୍ତ୍ତେ ହୀନ ରାଜନୀତି କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ସହଯୋଗ ମିଳିବା କଥା ତାହା ଜିଲ୍ଲାର ନେତା ମାନେ କରିପାରୁନାହାନ୍ତି । ତେଣୁ ନିଜର ଅହଂ ଭାବକୁ ଦୂରରେ ରଖି ଲୋକଙ୍କ ପାଇଁ କାମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି,‘‘ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗାଁ ଗାଁରେ ପଦଯାତ୍ରା ସମୟରେ ଗ୍ରାମବାସୀ ମାନେ ନିଜର ସମସ୍ୟାକୁ ଜଣାଉଛନ୍ତି । ବିଶେଷ କରି ରାସ୍ତା, ନାଳ ନର୍ଦ୍ଧମା ଠାରୁ ଆରମ୍ଭ କରି ମୌଳିକ ସମସ୍ୟାର ସମାଧାନ ପାଇଁ ଲୋକେ ବିଧାୟକଙ୍କୁ ଜଣାଉଛନ୍ତି ।

‘‘ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଏଭଳି ଜନସମ୍ପର୍କ ପଦଯାତ୍ରା, ସଭା ସମିତିର କିଛି ପ୍ରଭାବ ପଡ଼ିବ ନାହିଁ । ସେ ପୂର୍ବରୁ ଅସଦ୍‌ ଉପାୟରେ ଟଙ୍କା ରୋଜଗାର କରି ଲୋକଙ୍କ ସହ ବିଶ୍ବାସଘାତକ କରିଛନ୍ତି । ଏବେ ପୁଣି ଥରେ ଲୋକଙ୍କ ବିଶ୍ବାସ ଜିତିବା ପାଇଁ ଏଭଳି ନାଟକ କରୁଛନ୍ତି ତେଣୁ ଏଥିରେ ଲୋକେ ଆଉ ଭ୍ରମିତ ହେବେ ନାହିଁ । ବିଧାୟକ ନ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଗୋପବନ୍ଧୁ ଦାସ ଗୋପାଳପୁର ଦାୟିତ୍ୱ ନେଇଥିଲେ । ଦାୟିତ୍ୱ ନେବା ସହିତ ଲୋକଙ୍କ ସହ ସୁଖଦୁଃଖରେ ଭାଗିଦାର ହୋଇଥିଲେ । ଇତିମଧ୍ୟରେ ଗୋପବନ୍ଧୁଙ୍କ ନେତୃତ୍ୱରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଅନେକ କାମ ମଧ୍ୟ ହୋଇଛି । ଯାହାଫଳରେ ଗୋପବନ୍ଧୁ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି ବୋଲି କହିଛନ୍ତି,‘‘ ଜିଲ୍ଲା ବିଜେଡ଼ି ସଭାପତି ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।

୨୦୨୪ ନିର୍ବାଚନ ପାଇଁ ଏବେଠାରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀରେ ରହିଥିବା ନିଜର ପୂର୍ବ ପରିଚୟ ପୁଣି ଫେରାଇବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ସେପଟେ ଲୋକେ କେତେ ଗ୍ରହଣ କରୁଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାହା ଆଗାମୀ ଦିନରେ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *