ମଦର ପକ୍ଷରୁ ‘ଶିକ୍ଷାଗତ ଉତ୍କର୍ଷତା ନିମନ୍ତେ ମାନସିକ ସ୍ୱାସ୍ଥ୍ୟ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର : ସାରା ବିଶ୍ବ ପାଳୁଛି ଆତ୍ମହତ୍ୟା ନିରୋଧ ଦିବସ। ଓଡ଼ିଶାରେ ମଧ୍ୟ ବିଗତ କିଛି ଦିନ ମାନଙ୍କରେ ବଢୁଥିବା ଆତ୍ମହତ୍ୟା ରୋକିବାକୁ ଓ ସଚେତନତା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ଏହି କ୍ରମରେ ସାମାଜିକ ଅନୁଷ୍ଠାନ ମଦର ପକ୍ଷରୁ ଯୁବ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଥିବା ଅବସାଦ ଜନିତ ଅଶାନ୍ତି ଓ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ନିମନ୍ତେ ଏକ ଆଲୋଚନାଚକ୍ର ଆୟୋଜିତ କରାଯାଇଅଛି | ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ପଟିଆ ସ୍ଥିତ କଲେଜ ଅଫ ଇଂଜିନିୟରିଂ, ଭୁବନେଶ୍ୱର ଠାରେ ଆୟୋଜିତ କରାଯାଇଥିବା ଏହି ‘ଶିକ୍ଷାଗତ ଉତ୍କଷତା ପାଇଁ ମାନସିକ ସ୍ୱାସ୍ଥ୍ୟ’ ଶୀର୍ଷକ ଆଲୋଚନାଚକ୍ରରେ ବହୁ ବିଶେଷଜ୍ଞ ଯୋଗଦେଇ ନିଜର ମତାମତ ରଖିଥିଲେ | କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀମତୀ ଲେଖା ଦାସ କହିଥିଲେ କି, ଆଜିର ଛାତ୍ରଛାତ୍ରୀଙ୍କ ପାଇଁ ମାନସିକ ସୁସ୍ଥତା ଏକ ଆହ୍ୱାନ ଭାବେ ଉଭା ହୋଇଛି | ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ସାମନା କରୁଥିବା ସମସ୍ୟା, ଅସୁବିଧା ଓ ମାନସିକ ଦୁଶ୍ଚିନ୍ତା ଇତ୍ୟାଦି ସେମାନଙ୍କ ପାଠପଢ଼ିବାର ଦକ୍ଷତାକୁ ବହୁ ପରିମାଣରେ କମାଇ ଦେଉଛି | ମାନସିକ ସୁସ୍ଥତାରେ ଆଗ୍ରହ ପ୍ରକାଶ କରି ଏହାକୁ ଆପଣେଇବାରେ ଯେଉଁ ଇଛାଶକ୍ତି ଦରକାର ତାହା ଆଜିର ଛାତ୍ରଛାତ୍ରୀମାନେ ଶିଖିବା ଅତ୍ୟନ୍ତ ଜରୁରୀ | ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତା ହିଁ ଜଣଙ୍କୁ ଜୀବନ ଜୀବିକାର ଶୀର୍ଷକୁ ନେବାରେ ବେଶ ସହାୟତା ହୋଇଥାଏ ବୋଲି ଶ୍ରୀମତୀ ଦାସ କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାମାଜିକ କର୍ମୀ ଡ଼ ମମତା ଦାଶ କହିଥିଲେ କି, ପିଲାମାନେ ନିଜ ମନ ଭିତରର ଅସହାୟତାକୁ ନିଜ ଲୋକଙ୍କ ଆଗରେ ପରିପ୍ରକାଶ କରିବା ଦରକାର | ଏଥିପାଇଁ ହୀନମନ୍ୟତା କୁ ପଛରେ ରଖି ସାମ୍ନାକୁ ଆସି ଅସୁବିଧା ବିଷୟରେ ଆଲୋଚନା କରିବା ଦରକାର ଏବଂ ସହଯୋଗ ମାଗିବା ଦରକାର | ଯେଉଁମାନେ ନିଜ ଆଖପାଖରେ ଏଭଳି ପିଲାଙ୍କୁ ଦେଖୁଛନ୍ତି ଯେଉଁମାନେ ଅବସାଦରେ ଥିବା ଭଳି ଲାଗୁଛନ୍ତି ତୁରନ୍ତ ସେମାନଙ୍କ ସହ କଥା ହୁଅନ୍ତୁ | ଆବଶ୍ୟକ ସ୍ଥଳେ ଆନୁଷ୍ଠାନିକ ସାହାଯ୍ୟ ମଧ୍ୟ ନିଅନ୍ତୁ | କାର୍ଯ୍ୟକ୍ରମରେ କଲେଜ ଅଫ ଇଂଜିନିୟରିଂ, ଭୁବନେଶ୍ୱରର ଅଧ୍ୟକ୍ଷ ଡ଼ ଦେବୀପ୍ରସାଦ ମହାପାତ୍ର ଉପସ୍ଥିତ ଥାଇ ମତାମତ ରଖିଥିଲେ | ମିଲନ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମଦର ଅନୁଷ୍ଠାନ ପକ୍ଷରୁ ପ୍ରଶାନ୍ତ ରାଉତରାୟ, ମଣ୍ଟୁ ମଲ୍ଲିକ, ରବୀନ୍ଦ୍ର ସାହୁ ଏବଂ କଲେଜ ଅଫ ଇଂଜିନିୟରିଂ, ଭୁବନେଶ୍ୱରର ଜନସମ୍ପର୍କ ଅଧିକାରୀ ମେଘା ଘୋଷ ପ୍ରମୁଖ ଉପସ୍ଥିତ ଥାଇ ସହଯୋଗ କରିଥିଲେ | କାର୍ଯ୍ୟକ୍ରମରେ କଲେଜ ଅଫ ଇଂଜିନିୟରିଂ, ଭୁବନେଶ୍ୱରର ଶିକ୍ଷକ, କର୍ମଚାରୀ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *