ମୁଣ୍ଡଳୀ ଟୋଲଗେଟ୍‌ କର୍ମଚାରୀଙ୍କ ଆକ୍ରମଣରେ ଛତିଶଗଡ଼ର ୧୦ ପର୍ଯ୍ୟଟକ ଗୁରୁତର

ଆଠଗଡ଼ : ଟୋଲ ଫିକୁ ନେଇ ଆଜି ଆଠଗଡ଼ ଥାନା ଅନ୍ତର୍ଗତ ମୁଣ୍ଡଳୀ ଚେକ୍‌ଗେଟ୍‌ରେ କର୍ମଚାରୀମାନେ ଛତିଶଗଡ଼ର ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ୧୦ରୁ ଅଧିକ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣରେ ଆହତ ହୋଇଥିବା ପୁରୁଷ, ମହିଳା ଓ ଛୋଟ ପିଲାଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଟୋଲ୍‌ ଫି ୫୦ ଟଙ୍କା ବଦଳରେ ୫୦୦ ଟଙ୍କା ଦାବି କରାଯିବାକୁ ନେଇ ଯୁକ୍ତିତର୍କ ପରେ ଟୋଲ୍‌ଗେଟ୍‌ କର୍ମଚାରୀମାନେ ଆକ୍ରମଣ କରିଥିଲେ ବୋଲି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ପୁରୀ ଶ୍ରୀମନ୍ଦର ଦର୍ଶନ ସାରି ଆଜି ଅପରାହ୍ଣରେ ଛତିଶଗଡ଼ର ୭୦ରୁ ଅଧିକ ପର୍ଯ୍ୟଟକ ଦୁଇଟି ବସ୍‌ରେ ସମ୍ବଲପୁର ଫେରୁଥିଲେ। ମୁଣ୍ଡଳୀ ଚେକ୍‌ ଗେଟ୍‌ରେ ଗାଡ଼ି ପହଞ୍ଚିବା ପରେ ଟୋଲ୍‌ ଫି ବାବଦକୁ ୫୦୦ ଟଙ୍କା ଲେଖାଏ ଦେବା ଲାଗି କର୍ମଚାରୀମାନେ କହିଥିଲେ। ଏହାକୁ ନେଇ ଡ୍ରାଇଭର୍‌ ଓ ଟୋଲ୍‌ ଗେଟ୍‌ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କର୍ମଚାରୀମାନେ ଉଭୟ ବସ୍‌ରେ ଥିବା ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ଖବର ପାଇ ଆଠଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୧୦ରୁ ଅଧିକ ଗୁରୁତର ଆହତଙ୍କୁ ଉଦ୍ଧାର କରି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲା। ଡାକ୍ତରଖାନାରେ ଛତିଶଗଡ଼ ଶକ୍ତି ଜିଲ୍ଲା ମାଳଦା ଗ୍ରାମର ବୁଦ୍ଧିରାମ କାଶ୍ୟପ, ଯମୁନା କାଶ୍ୟପ, ଶଶିବିଜୟ କାଶ୍ୟପ, ଶ୍ରୀକୁମାର କାଶ୍ୟପ ପ୍ରମୁଖ ଚିକିତ୍ସିତ ହେଉଛନ୍ତି। ଯମୁନାଙ୍କ ଡାହାଣ ହାତରେ ଗୁରୁତର ଆଘାତ ଲାଗିଥିଲା ବେଳେ ଶଶିବିଜୟଙ୍କ ମୁହଁ ଓ ଗୋଡ଼ ଏବଂ ବୁଦ୍ଧିରାମଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ଏ ସଂପର୍କରେ ଆଠଗଡ଼ ଏସ୍‌ଡିପିଓ ବିଜୟ କୁମାର ବିଶିଙ୍କୁ ପଚାରିବାରୁ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିବା ଟୋଲ୍‌ଗେଟ୍‌ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ମୁଣ୍ଡଳୀ ଟୋଲ୍‌ ଗେଟ୍‌ରେ ଅନ୍ୟ ରାଜ୍ୟର ଛୋଟ ପିଲା ଓ ମହିଳାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣାକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି। ଏହି ଘଟଣାରେ ପୁଲିସ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *