ଲଣ୍ଡନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ୨୫୦କୋଟି ଟଙ୍କା ଦେଲେ ଓଡ଼ିଆ ବ୍ୟବସାୟୀ : ଜାଣନ୍ତୁ ସେ କିଏ

ବ୍ରିଟେନର ରାଜଧାନୀ ଲଣ୍ଡନରେ ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ଓଡ଼ିଆ ବ୍ୟବସାୟୀ ବିଶ୍ୱନାଥ ପଟ୍ଟନାୟକ ୨୫ମିଲିୟନ ଡଲାର(ପ୍ରାୟ ୨୫୦କୋଟି ଟଙ୍କା) ଟଙ୍କା ଦାନ ଦେଇଛନ୍ତି । ଲଣ୍ଡନସ୍ଥିତ ଶ୍ରୀଜଗନ୍ନାଥ ସୋସାଇଟି ଏହି ଦାନ ଟଙ୍କାରେ ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଗତ ରବିବାର ଅକ୍ଷୟ ତୃତୀୟାରେ ଲଣ୍ଡନରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତୀଙ୍କ ଉପସ୍ଥିତିରେ ଏହି ସୋସାଇଟି ଦ୍ୱାରା ଶ୍ରୀଜଗନ୍ନାଥ ସମ୍ମିଳନୀର ଆୟୋଜନ ହୋଇଥିଲା । ଏହି ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ୨୫୦କୋଟି ଟଙ୍କା ଦାନ ଦେଇଥିବା ସମ୍ପର୍କରେ ଘୋଷଣା ହୋଇଥିଲା ।

ସୂଚନା ଅନୁସାରେ, ଅକ୍ଷୟ ତୃତୀୟାରେ ଆୟୋଜିତ ଶ୍ରୀଜଗନ୍ନାଥ ସମ୍ମିଳନୀରେ ଲଣ୍ଡନସ୍ଥିତ ଫିନେଷ୍ଟ ଗ୍ରୁପ୍ ଅଫ କମ୍ପାନୀର ପ୍ରତିଷ୍ଠାତା ବିଶ୍ୱନାଥ ପଟ୍ଟନାୟକ ବ୍ରିଟେନରେ ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ଏହି ମନ୍ଦିର ନିର୍ମାଣ ପାଇଁ ଲଣ୍ଡନରେ ପ୍ରାୟ ୧୫ଏକର ଜମି ଅଧିଗ୍ରହଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏଥିପାଇଁ ୭୦କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସେହିପରି ଫିନନେଷ୍ଟ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅରୁଣ କର କହିଥିଲେ ଯେ, ତାଙ୍କ କମ୍ପାନୀର ଅଧ୍ୟକ୍ଷ ଲଣ୍ଡନରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ୨୫୦କୋଟି ଟଙ୍କା ଦାନ ବ୍ରିଟେନସ୍ଥିତ ଶ୍ରୀଜଗନ୍ନାଥ ସୋସାଇଟିକୁ କରିଛନ୍ତି । ଶ୍ରୀ କର ମଧ୍ୟ ଏହି ମନ୍ଦିର ନିର୍ମାଣ ପାଇଁ ମୋଟା ଅଙ୍କର ଦାନ କରିଛନ୍ତି । ୨୦୨୪ ମସିହା ସୁଦ୍ଧା ମନ୍ଦିରର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହେବ । ଆଜକୁ ୩ବର୍ଷ ପୂର୍ବେ ବ୍ରିନେଟରେ ରହୁଥିବା ଶ୍ରୀଜଗନ୍ନାଥପ୍ରେମୀଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ସୋସାଇଟି ଗଠନ କରାଯାଇଥିଲା ।

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପ୍ରଥମଥର ନିମନ୍ତେ ଏତେ ଟଙ୍କାର ଦାନ କରିବାରେ ଶ୍ରୀ ପଟ୍ଟନାୟକ ଆଗରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *