ଓଡ଼ିଶା ଲଳିତ କଳା ଏକାଡ଼େମୀର ରାଜ୍ୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ “ଚିତ୍ର ସମ୍ଭାର” ଶୀର୍ଷକ ରାଜ୍ୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ, ଆଞ୍ଚଳିକ ଆର୍ଟ ଗ୍ୟାଲେରୀ, ସଂସ୍କୃତି ଭବନ, ବାଲେଶ୍ଵରଠାରେ ଓଡିଶାର ଗର୍ବ ଗୌରବ ଫକୀର ମୋହନ ସେନାପତିଙ୍କ ୧୮୧ତମ ଜନ୍ମ ଜୟନ୍ତୀ ଓ ମକର ସଂକ୍ରାନ୍ତି ଅବସରରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହିତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନଙ୍କ ଦ୍ଵାରା ଅଙ୍କିତ ସୁନ୍ଦର ସୁନ୍ଦର ଚିତ୍ରର ପ୍ରସଂଶା କରିଥିଲେ । ପ୍ରଦର୍ଶନୀରେ ଓଡ଼ିଶାର ୪୧ ଜଣ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ଦ୍ଵାରା ଅଙ୍କିତ ଚିତ୍ରକଳା ସ୍ଥାନ ପାଇଛି । ଫକୀର ମୋହନଙ୍କ ଲେଖା ପରି ଚିତ୍ରଗୁଡିକ ମୁଖ୍ୟତଃ ନାରୀର ବହୁ ଦିଗକୁ ଦର୍ଶାଉଛି। ସୁଦୃଶ୍ୟ ଘଟଣାବଳୀ, ଆଦିବାସୀ କଳା ଓ ସଂସ୍କୃତି, ସ୍ବାଧୀନତା ସଂଗ୍ରାମୀ, ପୁରାଣ କଥା, ମା ଓ ଶିଶୁ, ଆଧୁନିକ ଶୈଳୀରେ ଆଙ୍କିତ ବିଭିନ୍ନ ଭାବନାକୁ ଶିଳ୍ପୀମାନେ ନିଜର ସୃଜନଶୀଳ ଢଙ୍ଗରେ ଅଙ୍କନ କରିଥିଲେ ଯାହା ମର୍ମଷ୍ପର୍ଶୀ ହୋଇଥିଲା । ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ ଅତିଥିଙ୍କୁ ସ୍ଵାଗତ କରିବା ସହିତ ପ୍ରଦର୍ଶନୀର ଆଭିମୂଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।,ଜିଲ୍ଲା କ୍ରୀଡ଼ା ଅଧିକାରୀ ପୁର୍ଣ୍ଣ ଚନ୍ଦ୍ର ଜେନା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଦର୍ଶନୀ ଅବସରରେ ବାଲେଶ୍ଵର, ଚିତ୍ରଶିଳ୍ପୀ କେସୁ ଦାସ ଅରୁଣ ଜେନା,ପ୍ରତାପ ସିଂ,ନିତ୍ୟାନନ୍ଦ ସାହୁ,ବିଶ୍ବଜିତ ପ୍ରମାଣିକ, ଆନ୍ତର୍ଯ୍ୟାମି ସାହୁ,କବିତା ଦତ୍ତ,ସୌମିଆଶ୍ରୀ ଦାସ , କ୍ରିଷ୍ଣା ଦେବଗୋସ୍ବମୀ,ଦେବାଶିଷ ପତି ପ୍ରମୁଖ ବହୁ ବରିଷ୍ଠ ଓ ଯୁବ ଶିଳ୍ପୀମାନେ ଉପସ୍ଥିତ ଥିଲେ । ପ୍ରଦର୍ଶନୀକୁ ଏକାଡ଼େମୀର ମରୁତ ରାଉତ ପରିଚାଳନା କରିଥିଲେ । ଏହି ପ୍ରଦର୍ଶନୀ ଜାନୁଆରୀ ୩୧ ତାରିଖ ସକାଳ ୧୧ ଘଟିକା ରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *