କଟକ ଅରିଲୋରେ ଅତ୍ୟାଧୁନିକ ଓମଫେଡ୍ ଡାଏରୀ ପ୍ଲାଣ୍ଟ ଲୋକାର୍ପଣ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି, ୨୬୩ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ନିର୍ମାଣ ହୋଇଛି

କଟକ ଅରିଲୋରେ ଲୋକାର୍ପଣ ହୋଇଛି ଅତ୍ୟାଧୁନିକ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଡାଏରୀ ପ୍ଲାଣ୍ଟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏଠାରୁ ଦୈନିକ ୫ ଲକ୍ଷ ଲିଟର କ୍ଷୀରର ପ୍ରକ୍ରିୟାକରଣ କରାଯାଇପାରିବ । ଏହାଦ୍ୱାରା ରାଜ୍ୟର ୬ ଲକ୍ଷ ଦୁଗ୍ଧଚାଷୀ ଉପକୃତ ହୋଇପାରିବେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ସିଧାସଳଖ ଶ୍ରୀ ଶ୍ରୀ ୟୁନିଭରସିଟି ପଡ଼ିଆରେ ଅବତରଣ କରିଥିଲେ। ଏହାପରେ ସେଠାରୁ କାର୍‌ ଯୋଗେ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟକୁ ଯାଇଥିଲେ। ତାଙ୍କ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ , ବିଭାଗୀୟ ସଚିବ ପ୍ଲାଣ୍ଟରେ ପହଞ୍ଚି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

୨୬୩ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ନିର୍ମାଣ ହୋଇଛି ଏହି ପ୍ଲାଣ୍ଟ । ଦୈନିକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏହି ମେଗା ଅତ୍ୟାଧୁନିକ ଓମଫେଡ୍ ପ୍ଲାଣ୍ଟ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ଲାଣ୍ଟ ଜରିଆରେ ରାଜ୍ୟରେ ଦୈନିକ ଦୁଗ୍ଧ ସଂଗ୍ରହ କ୍ଷମତା ୫ ଲକ୍ଷ ଲିଟରରୁ ୧୦ ଲକ୍ଷ ଲିଟରକୁ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ଏହି ପ୍ଲାଣ୍ଟ ଦ୍ୱାରା ରାଜ୍ୟର ଗୋପାଳକ ଓ ଦୁଗ୍ଧଚାଷୀମାନେ କ୍ଷୀରର ଉପଯୁକ୍ତ ବିକ୍ରି ମୂଲ୍ୟ ପାଇବା ସହ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଦୁଗ୍ଧଜାତ ସାମଗ୍ରୀ ଯୋଗାଇ ଦିଆଯାଇପାରିବ। ମୁଖ୍ୟତଃ ଏହି ଗୁଣ୍ଡ ଦୁଗ୍ଧ, ଉଚ୍ଚମାନର ଦହି, ଲହୁଣି, ଲସି, ଘିଅ ଓ ପନିର ଆଦି ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ କରାଯାଇ ପାରିବ ।

Leave a Reply

Your email address will not be published. Required fields are marked *