ଫ୍ରାନ୍ସ ଓ ବ୍ରିଟେନରେ ଦିନକରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ପ୍ୟାରିସ: ଓମିକ୍ରନ ପ୍ରକରଣକୁ ନେଇ ଦିନକୁ ଦିନ ପରିସ୍ଥିତି ଗମ୍ଭୀର ହେବାକୁ ଲାଗିଥିବାବେଳେ ଫ୍ରାନ୍ସ ଓ ବ୍ରିଟେନରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷରୁ ଅଧିକ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ ମହାମାରୀ ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନରେ ଦେଶରେ ଏହା ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ବୋଲି କୁହାଯାଉଛି । ରବିବାର ଫ୍ରାନ୍ସରେ ୧,୨୨,୫୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାହା ପୂର୍ବରୁ ଶୁକ୍ରବାର ୯୪,୧୦୦ ଏବଂ ଶନିବାର ଦିନ ୫୮,୫୦୦ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଦେଶରେ ସଂପ୍ରତି ୧୬ ହଜାରରୁ ଅଧିକ ଲୋକଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୩୩୦୦ ଜଣ ଆଇସିୟୁରେ ଅଛନ୍ତି । ୭୬.୫% ଲୋକଙ୍କୁ ସମ୍ପୂର୍ଣ୍ଣ ଭାବରେ କୋଭିଡ ଟିକା ଦିଆଯାଇସାରିଛି ।
ବ୍ରିଟେନରେ ମଧ୍ୟ ଦିନକ ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷରୁ ଅଧିକ ହୋଇଛି । ଦେଶରେ ରବିବାର ଦିନ ୧,୨୨,୧୮୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବ୍ରିଟେନରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୮୯୧,୨୯୨କୁ ବୃଦ୍ଧିପାଇଛି । ଦିନକ ମଧ୍ୟରେ ଦେଶରେ ୧୩୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ମଧ୍ୟ ଜଣାଯାଇଛି । ବ୍ରିଟେନରେ ୨୩,୭୧୯ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଦିନକ ମଧ୍ୟରେ ଏହି ପ୍ରକରଣରେ ଆକ୍ରାନ୍ତ ସର୍ବାଧିକ ସଂଖ୍ୟା । ଏଥିସହିତ ବ୍ରିଟେନରେ ଓମିକ୍ରନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪,୬୨୫ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *