ବାଲିକୁଦା – ଏରସମା ଆସନରେ ନୂଆ ଚେହେରା ପ୍ରବୋଧ ସାମନ୍ତରା

ଭୁବନେଶ୍ୱର : ଆସନ୍ତା ନିର୍ବାଚନରେ ବାଲିକୁଦା – ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନୂଆ ଚେହେରା ଭାବରେ ଯୁବ ଶିଳ୍ପୋଦ୍ୟୋଗୀ ପ୍ରବୋଧ ସାମନ୍ତରାଙ୍କର ନାମ ବ୍ୟାପକ ଭାବେ ଚର୍ଚ୍ଚା ହେଉଥିବା ଜଣାଯାଇଛି। ବାଲିକୁଦା ବ୍ଳକର ଗରାମ ଗ୍ରାମର ମୂଳ ବାସୀନ୍ଦା ଶ୍ରୀ ସାମନ୍ତରା ସର୍ବସାଧାରଣରେ ବୁନୁ ଭାବରେ ବେଶ୍ ଲୋକପ୍ରିୟ। ଜଣେ ସକ୍ରୀୟ ସମାଜସେବୀ, ସଚ୍ଚୋଟ ବ୍ୟକ୍ତି, ପରୋପକାରୀ ମଣିଷ, ଭଦ୍ର ରାଜନେତା, ଦରଦୀ ମାନବ ଏବଂ ନିଷ୍ଠାପର କର୍ମୀ ଭାବରେ ଶ୍ରୀ ସାମନ୍ତରା ଭୋଟଦାତାମାନଙ୍କ ମଧ୍ୟରେ ଖୁବ ଆଦୃତ ହେବାରେ ଲାଗିଛନ୍ତି। ବୁନୁଙ୍କର ପିତା ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ସାମନ୍ତରା ବାଲିକୁଦା ବ୍ଳକର ଏ.ବି.ଡ଼ି.ଓ ଥିବା ବେଳେ ଏହି ଅଞ୍ଚଳରେ ବହୁ ଜନପ୍ରିୟ କାମ କରି ବେଶ ସୁନାମ ଅର୍ଜନ କରିଥିଲେ। ଲୋକଙ୍କ ଅଫିସର ଭାବେ ପରିଚିତ ଥିବା ପୂର୍ଣ୍ଣଚନ୍ଦ୍ରଙ୍କର ପୈତୃକ ଜମିଦାରୀ ଥିବାରୁ ସେ ଜନତାଙ୍କର ଜମିଦାର ଭାବେ ମଧ୍ୟ ପରିଗଣିତ ହେଉଥିଲେ। ସାମନ୍ତରା ପରିବାରର ପ୍ରଚେଷ୍ଟା କ୍ରମେ ଗରାମ ଗ୍ରାମରେ ହାଇସ୍କୁଲ, ୟୁପି ସ୍କୁଲ ଏବଂ ଦକ୍ଷିଣେଶ୍ୱରୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ହୋଇପାରିଛି। ପିତାଙ୍କର ଅଜସ୍ର ଲୋକପ୍ରିୟତା ଏବଂ ଅସୀମ ସାମାଜିକ ପ୍ରତିଷ୍ଠାକୁ ଆଧାର କରି ପ୍ରବୋଧ ରାଜନୀତିରେ ତାଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ସତେଜ ବ୍ୟକ୍ତିତ୍ଵର ଅଧିକାରୀ ଶ୍ରୀ ସାମନ୍ତରା ଯୁବ, ମହିଳା, ପେଶାଦାରି ଓ ଗରିବ ଗୁରୁବା ସମ୍ପ୍ରଦାୟର ଭୋଟଦାତା ମାନଙ୍କର ଶୁଭେଚ୍ଛା, ସମବେଦନା ଓ ସମର୍ଥନ ଲାଭ କରୁଥିବା ଦେଖାଯାଉଛି। ଉପରୋକ୍ତ ଅନୁକୂଳ ବାତାବରଣ ଯୋଗୁଁ ରାଜନୈତିକ ସମୀକ୍ଷକ ମାନଙ୍କର ପ୍ରାରମ୍ଭିକ ଆକଳନରୁ ଯାହା ଜଣାଯାଉଛି, ପ୍ରଥମ ପ୍ରୟାସରେ ହିଁ ବୁନୁ ଯଦି ନିର୍ବାଚନରେ ବାଜି ମାରିବାରେ ସଫଳକାମ ହୋଇଯାଆନ୍ତି, ତେବେ ତାହା କିଛି ଅସମ୍ଭବ କଥା ହେବନାହିଁ।

ବାଲିକୁଦା – ଏରସମା ଆସନର ସମସ୍ୟାବଳୀ ବିଷୟରେ ପଚରା ଗଲାରୁ ପ୍ରବୋଧ କୁହନ୍ତି ଯେ ଏଠାରେ ବେକାରୀ ସମସ୍ୟା ସବୁଠୁ ଅଧିକ ଉତ୍କଟ, ସମଗ୍ର ନିର୍ବାଚନ ମଣ୍ଡଳୀରେ ଗୋଟିଏ ବି କାରଖାନା ନାହିଁ ଏବଂ ଜଳସେଚନର ଘୋର ଅଭାବ ଯୋଗୁଁ ଚାଷୀ ମାନେ ହନ୍ତସନ୍ତ ହେଉଛନ୍ତି। ସର୍ବୋପରି ଏଠାରେ ଏକ ମେଡିକାଲର ବହୁତ ଆବଶ୍ୟକତା ରହିଥିବା ଶ୍ରୀ ସାମନ୍ତରା ଦର୍ଶାଇଛନ୍ତି। ସେ ଜନ ପ୍ରତିନିଧି ହେଲେ ଏହି ସବୁ ପ୍ରସଙ୍ଗ ପ୍ରତି ପ୍ରାଧାନ୍ୟ ଦେବେ ବୋଲି ବୁନୁ ଉଲ୍ଲେଖ କରିଛନ୍ତି। ରାଜ୍ୟର ଶାସକ ବିଜୁ ଜନତା ଦଳ ଏବଂ ଏହାର ସୁପ୍ରିମୋ ଯଶସ୍ଵୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଶୀର୍ବାଦ ଦ୍ଵାରା ବାଲିକୁଦା- ଏରସମା ବାସୀଙ୍କର ଦୀର୍ଘ ଦିନର ବେଦନା ଦୂର ହେବା ସହିତ ସେମାନଙ୍କର ସର୍ବାଙ୍ଗୀନ କଲ୍ୟାଣ ସମ୍ଭବପର ହୋଇପାରିବା ନେଇ ବୁନୁ ଦୃଢ଼ ନିଶ୍ଚତ ଥିବାରୁ ସେ ବିଜେଡ଼ି ରୁ ଟିକେଟ ପାଇଁ ଦରଖାସ୍ତ କରିଥିବା ସୁଚାଇଛନ୍ତି।

ସଂଯୁକ୍ତ ପରିବାରରେ ବସବାସ କରୁଥିବା ପ୍ରବୋଧ ଙ୍କର ବାର ଭାଇ ଓ ତିନି ଭଉଣୀ ଅଛନ୍ତି। ନିଜ ପରିବାରର ଜଣେ ସଦସ୍ୟ ଜନ ସେବକ ବନନ୍ତୁ ବୋଲି ସମସ୍ତ ପରିବାର ବର୍ଗ ଙ୍କର ଦୀର୍ଘ ଦିନରୁ ଏକ ସ୍ବପ୍ନ ରହିଆସିଛି। ବୁନୁ ମଧ୍ୟ ରାତି ଦିନ ୨୪ ଘଣ୍ଟା ଲୋକଙ୍କର ଦୁଃଖ ଦୁର୍ଦ୍ଦଶାର ସମାଧାନ ଓ ସେମାନଙ୍କୁ ସେବା ପ୍ରଦାନ କରିବାରେ ଲାଗିଛନ୍ତି। ନିର୍ବାଚନୀ ବିଶେଷଜ୍ଞ ମାନଙ୍କର ପୂର୍ବାନୁମାନ ଅନୁଯାୟୀ ବାଲିକୁଦା -ଏରସମା ଆସନରୁ ବିଜେଡି ପ୍ରାର୍ଥୀ ଭାବରେ ପ୍ରବୋଧ ସାମନ୍ତରା ଅନାୟସରେ ରାଜ୍ୟ ବିଧାନ ସଭାରେ ନିଜର ପ୍ରବେଶର ପଥକୁ ସ୍ଵତଃସିଦ୍ଧ କରିବାରେ ସକ୍ଷମ ହେବା ନିଶ୍ଚିତ ମନେହେଉଛି।

Leave a Reply

Your email address will not be published. Required fields are marked *