ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ପରବର୍ତ୍ତୀ ବୈଠକ ଭାରତରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ବିଧିବଦ୍ଧ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ମିଳନୀର ଉଦଯାପନୀ ମହୋତ୍ସବରେ ମୋଦି ଏହାକୁ ଗ୍ରହଣ କରିବା ସହ କହିଛନ୍ତି ଯେ ଭାରତ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଥିବାରୁ ଏହା ସମସ୍ତ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ।
ଆମେ ଜି-୨୦ ସମ୍ମିଳନୀ ଭାରତର ବିଭିନ୍ନ ରାଜ୍ୟ ଓ ସହରରେ ଆୟୋଜନ କରିବୁ। ଆମେ ସମସ୍ତେ ଏକାଠି ଜି-୨୦କୁ ବିଶ୍ୱ ପରିବର୍ତ୍ତନର ଗୋଟିଏ ପ୍ଲାଟଫର୍ମ ଭାବେ ଗଢ଼ି ତୋଳିବାକୁ ଚେଷ୍ଟା କରିବା ବୋଲି ମୋଦି କହିଛନ୍ତି।
ଏହାପୂର୍ବରୁ ଜି-୨୦ ଶିଖର ସମ୍ମିଳନୀ ପାଇଁ ମୋଦି ଭାରତରେ ଏହାର ଲୋଗ ଓ ୱେବସାଇଟ ଲଞ୍ଚ କରିଥିଲେ। ଭାରତ ବର୍ଷକ ପାଇଁ ଜି-୨୦ର ଅଧ୍ୟକ୍ଷ ପଦରେ ରହିବ। ଏହି ଅବଧି ୨୦୨୨ ଡିସେମ୍ବର ୧ରୁ ଆରମ୍ଭ ହେବ।
ଏହାପୂର୍ବରୁ ଆସନ୍ତା ଜି-୨୦ ଶିଖର ସମ୍ମିଳନୀର ଥିମ ‘ବିକାଶ ପାଇଁ ତଥ୍ୟ’ ରହିବ ବୋଲି ମୋଦି ସମସ୍ତଙ୍କୁ ସୂଚନା ଦେଇଛନ୍ତି। ମୋଦି କହିଥିଲେ, ଡିଜାଲ ବିପ୍ଳବ ଆମ ଯୁଗର ସବୁଠାରୁ ବଡ଼ ପରିବର୍ତ୍ତନ। ଉପଯୁକ୍ତ ଡିଜିଟାଲ ଟେକ୍ନୋଲଜି ଦୀର୍ଘ ଦଶନ୍ଧି ଧରି ଦାରତ୍ର୍ୟ ଦୂରିକରଣରେ ପ୍ରମୁଖ ଭୂମିକା ପୂରା ବିଶ୍ୱରେ ସାଜିଛି।

Leave a Reply

Your email address will not be published. Required fields are marked *