କେନ୍ଦ୍ରର ୟୁଜିସି ବିଲ୍ ଓ ରାଜ୍ୟର ଉଚ୍ଚଶିକ୍ଷାରେ ବର୍ଦ୍ଧିତ ଜାତି ଆଧାରିତ କୋଟା ବିରୁଦ୍ଧରେ ସାଧାରଣ ବର୍ଗ ପକ୍ଷରୁ ବିକ୍ଷୋଭ ।

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଜି ସାଧାରଣ ବର୍ଗର ଲୋକଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ UGC ବିଲ୍ ଓ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ବର୍ଦ୍ଧିତ ଜାତି ଆଧାରିତ ସଂରକ୍ଷଣ ପ୍ରତ୍ୟାହାର ଦାବିରେ ଏକ ବିକ୍ଷୋଭ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ ଶତାଧିକ ସଚେତନ ନାଗରିକଙ୍କ ସମେତ ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନର ପ୍ରତିନିଧିମାନେ ସମ୍ମିଳିତ ହୋଇଥିଲେ।

ଆନ୍ଦୋଳନରେ ଯୋଗଦେଇ ରାଜଧାନୀ ନାଗରିକ ମଞ୍ଚର ସଦସ୍ୟା ଟାଇଫୁନ୍ ଦାସ କହିଛନ୍ତି ଯେ, ଆଜିର ପରିସ୍ଥିତିରେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ଶିକ୍ଷା, ଚାକିରି ଓ ନିଯୁକ୍ତି କ୍ଷେତ୍ରରେ ଅନିଶ୍ଚିତତା ଓ ବିଷମତାର ସମ୍ମୁଖୀନ ହେଉଛନ୍ତି। ପିଲାଙ୍କ ଭବିଷ୍ୟତ ଚିନ୍ତାରେ ଅଭିଭାବକମାନେ ଅବସାଦଗ୍ରସ୍ତ । ବସୁନ୍ଧରା ପରିବାରର ରାଜ୍ୟ ସଂଯୋଜକ ସୁଶାନ୍ତ କୁମାର ମିଶ୍ର ନିଜ ମନ୍ତବ୍ୟରେ କହିଥିଲେ ଯେ, “ସାମାଜିକ ନ୍ୟାୟ ନାମରେ ଗଠିତ ନୀତିଗୁଡ଼ିକ ବାସ୍ତବରେ ସମାଜରେ ବିଷମତାକୁ ବଢ଼ାଇ ସମାଜିକ ସଦ୍ଭାବନାକୁ ନଷ୍ଟ କରୁଛି ଏବଂ ସାଧାରଣ ବର୍ଗର ଯୁବପିଢ଼ୀଙ୍କ ଭବିଷ୍ୟତକୁ ଅନ୍ଧାର କରି ଦେଉଛି ।”

ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ପକ୍ଷରୁ କେନ୍ଦ୍ରୀୟ ପ୍ରକୋଷ୍ଠ ଉପାଧ୍ୟକ୍ଷ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ କାର୍ଯ୍ଯକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଡାକ୍ତରୀ, ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଭଳି ଉଚ୍ଚଶିକ୍ଷାରେ ବର୍ଦ୍ଧିତ ଜାତିକୋଟା ପ୍ରୟୋଗ କରାଯିବା ଦ୍ୱାରା ଯୋଗ୍ୟତା ଓ ପ୍ରତିଭାର ଅବମୂଲ୍ୟାୟନ ହେଉଛି ଏବଂ ଦେଶ ରସାତଳଗାମୀ ହେଉଛି । ସେ କହିଥିଲେ ଯେ, ଏହା ଦ୍ୱାରା ବୃତ୍ତିଗତ କ୍ଷେତ୍ରରେ ପାରଦର୍ଶିତା କ୍ଷୀଣ ହୋଇ ସମାଜରେ ସରକାରୀ ବ୍ୟବସ୍ଥା ପ୍ରତି ବିତୃଷ୍ଣା ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶା ଉତ୍ଥାନ ମହାସଭାର ସଭାପତି ସୁରେଶ କୁମାର ମିଶ୍ର କହିଛନ୍ତି ଯେ, ରାଜ୍ୟର ଛାତ୍ରଛାତ୍ରୀମାନେ ନିଟ୍ ଓ ଇଞ୍ଜିନିୟରିଂ ଆଦି ପରୀକ୍ଷା ପାଇଁ କଠିନ ପ୍ରସ୍ତୁତି ନେଉଥିବା ବେଳେ, ଏପରି ନୀତିଗତ ପରିବର୍ତ୍ତନ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ମନୋବଳକୁ ଦୁର୍ବଳ କରୁଛି। ଏହା ଅଭିଭାବକମାନଙ୍କ ମଧ୍ୟରେ ମଧ୍ୟ ଗଭୀର ଚିନ୍ତା ସୃଷ୍ଟି କରିଛି। ଏହା ଉପରେ ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ଆହୁରି ଦୁର୍ଭାଗ୍ୟଜନକ । ବୋଝ ଉପରେ ନଳିତା ବିଡ଼ା ସଦୃଶ ଏ କଷ୍ଟ ପିଲାଙ୍କ ପାଇଁ ଅସହନୀୟ । ସରକାର ତୁରନ୍ତ ଏ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି । ସ୍ନେହୀ ସମାଜର ଅମରେନ୍ଦ୍ର ପ୍ରସାଦ ସାହୁ କହିଛନ୍ତି ଯେ, ଓଡ଼ିଶାରେ ସାହୁ ସମାଜ ଏକ ସୁରକ୍ଷିତ ଆଗୁଆ ବର୍ଗ ହୋଇଥିଲା ବେଳେ ଆମକୁ ପଛୁଆ ବର୍ଗରେ ସାମିଲ୍ କରି ଜବରଦସ୍ତ ଆମ ମଥାରେ କଳଙ୍କ ଲଗା ଯାଇଛି । ଏହା ଆମ ଅସ୍ମିତାକୁ ଆଘାତ ଦେଇ ଚାଲିଛି । କେବଳ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କୁ ସହାୟତା କରିବା ସହ ସାହୁ ସମ୍ପ୍ରଦାୟକୁ ସାଧାରଣ ବର୍ଗରେ ସାମିଲ୍ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ସାଧାରଣ ବର୍ଗ ପ୍ରତି ସରକାରଙ୍କ ବୈମାତୃକ ଭାବ ସମ୍ବିଧାନରେ ଥିବା ସମାନତାର ମୂଳ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ଆମେ ସମସ୍ତେ ସନାତନୀ ହିନ୍ଦୁ ଭାବରେ ଗର୍ବିତ ଅନୁଭବ କରୁଥିବା ବେଳେ ସରକାରଙ୍କ ନୀତି ନିୟମ ଆମକୁ ସମାଜରେ ଲଜ୍ଜିତ କରାଉଛି ବୋଲି ସେ କହିଥିଲେ । ସରକାର ଏହି ହିନ୍ଦୁ ବିଭାଜନକାରୀ ବିଲ୍ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସେ ଦାବି ରଖିଥିଲେ।

ଏହି ଅବସରରେ ଅନୁସୂଚିତ ବର୍ଗର ପ୍ରତିନିଧି ଭାବରେ ଶ୍ରୀମତୀ ନମିତା ମାଧି ଯୋଗଦେଇ ସମାଜରେ ଏକତା ଓ ସମନ୍ୱୟର ବାତାବରଣ ସପକ୍ଷରେ ମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, “ଆମେ ସମସ୍ତେ ଗୋଟିଏ ସଂସ୍କୃତିର ଅଂଶ, ତେଣୁ ଭେଦଭାବ ବଢ଼ାଇବା ପରିବର୍ତ୍ତେ ସରକାର ସମାଧାନମୂଳକ ପଦକ୍ଷେପ ନେବା ଆବଶ୍ୟକ। ଗୋଟିଏ ଭାରତ ମାତାର କୋଟି କୋଟି ସନ୍ତାନ ଏ ବିଶାଳ ସନାତନ ହିନ୍ଦୁ ସଂସ୍କୃତିର ଉତ୍ତରାଧିକାରୀ ଭାବରେ ଗର୍ବିତ ଅନୁଭବ କରୁଥିବା ବେଳେ ସରକାର ଆମ ଭିତରେ ଜାତିଆଣ ଭେଦଭାବ ତୀବ୍ର କଲାଭଳି ଆଇନ୍ ପ୍ରଣୟନ କରିବା ଦୁର୍ଭାଗ୍ୟଜନକ ।” ତୁରନ୍ତ ଏ ବିଭାଜନକାରୀ ଆଇନ୍ ପ୍ରତ୍ୟାହାର କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଥିଲେ ।
ବିକ୍ଷୋଭରେ ଯୋଗଦେଇଥିବା ସମସ୍ତେ ଏକ ସ୍ୱରରେ ସରକାରଙ୍କୁ ଦାବି ରଖିଛନ୍ତି ଯେ, ଉଚ୍ଚଶିକ୍ଷାରେ ବର୍ଦ୍ଧିତ ଜାତିକୋଟା ଓ UGC ବିଲ୍ ଭଳି ବିଭାଜନକାରୀ ପଦକ୍ଷେପକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ସମସ୍ତଙ୍କ ପାଇଁ ସମାନ ଅବସର ସୁନିଶ୍ଚିତ କରାଯାଉ। କାର୍ଯ୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶିବାଶିଷ ମହାପାତ୍ର, ଲକ୍ଷ୍ମଣ ଚୌଧୁରୀ, ଗଜାନନ ତ୍ରିପାଠୀ, ସୌଦାମିନୀ ସାମନ୍ତରାୟ, ଅନୁପମ ନନ୍ଦ, ତରୁଣ କୁମାର ନନ୍ଦ, ଉଜ୍ଜଳ ପଣ୍ଡା, ପ୍ରସନ୍ନ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *