ରେଳ ବଜେଟରେ ଓଡିଶାକୁ ମିଳିଲା ସର୍ବାଧିକ ଅନୁଦାନ ; ୨୦୨୨-୨୩ ଆର୍ଥିକ ବର୍ଷରେ ମିଳିଲା ୯ ହଜାର ୭୩୪ କୋଟି ଟଙ୍କାର ଅନୁଦାନ

ରେଳ ବଜେଟରେ ଓଡିଶାକୁ ସର୍ବାଧିକ ଅନୁଦାନ ମିଳିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଓଡିଶା ପାଇଁ ୯ ହଜାର ୭୩୪ କୋଟି ଟଙ୍କାର ଅନୁଦାନ ମିଳିଛି । ରାଜ୍ୟରେ ୧୨ଟି ପ୍ରସ୍ତାବିତ ନୂଆ ରେଳପଥ ପ୍ରକଳ୍ପ ପାଇଁ ୧ ହଜାର ୮୦୬ କୋଟି ୧୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ସେହିପରି ରେଳପଥର ଦୋହରୀକରଣ ବାବଦକୁ ୩ହଜାର ୬୪୩ କୋଟି ଟଙ୍କା ମିଳିଛି । ଟ୍ରାଫିକ ବ୍ୟବସ୍ଥା ପାଇଁ ୩୪ କୋଟି ୮୩ ଲକ୍ଷ ଓ ଲେଭଲ କ୍ରସିଂ ବାବଦକୁ ଦିଆଯାଇଛି ୨୧ କୋଟି ୪୧ ଲକ୍ଷ ଟଙ୍କା । ରେଳପଥର ମରାମତି ପାଇଁ ୪୫୬ କୋଟି ୧୪ ଲକ୍ଷ ଟଙ୍କା ଓ ପୋଲ ପାଇଁ ୩୮ କୋଟି ୫୭ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ରେଳପଥ ବିଦ୍ୟୁତିକରଣ ପାଇଁ ୫୧ କୋଟି ୯୫ ଲକ୍ଷ ଟଙ୍କା ।

ଅନ୍ୟାନ୍ୟ ବିଦ୍ୟୁତିକରଣ କାମ ଓ ଟିଆରଡି ବାବଦକୁ ଦିଆଯାଇଛି ୬୫୬ କୋଟି ୩୬ ଲକ୍ଷ ଟଙ୍କାର ଅନୁଦାନ । ସେହିପରି ଲିଜ ଚାର୍ଜ ପାଇଁ ୮୯୩ କୋଟି ୯୦ ଲକ୍ଷ ଟଙ୍କା ଏବଂ ଯାତ୍ରୀଙ୍କୁ ଆନୁସଙ୍ଗିକ ସୁବିଧା ଯୋଗାଇବା ପାଇଁ ୩୦୪ କୋଟି ୧୭ ଲକ୍ଷ ଟଙ୍କା ମଂଜୁର ହୋଇଛି । ସେହିପରି ଓଡିଶାରେ ରେଳବାଇ ଭିତିଭୂମୀର ବିକାଶ ପାଇଁ ୧ ହଜାର ୨୮୭ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଏହାଛଡା ସୁରକ୍ଷା ସଂପର୍କିତ କାମ ପାଇଁ ୩୧ କୋଟି ୪ ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ଏହିପରି ମୋଟ ୯ ହଜାର ୭୩୪ କୋଟି ଟଙ୍କାର ଅନୁଦାନ ଓଡିଶାକୁ ଦେଇଛନ୍ତି କେନ୍ଦ୍ର ସରକାର ।

ଏବେ ଆସନ୍ତୁ ଜାଣିବା ଓଡିଶାରେ ନୂଆ ରେଳପଥ ପାଇଁ କେତେ ଟଙ୍କା ଅନୁଦାନ ଦିଆଯାଇଛି । କାମ ଚାଲିଥିବା ଖୋର୍ଦ୍ଧାରୋଡ-ବଲାଙ୍ଗିର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଦୀର୍ଘଦିନ ହେଲା ଏହି ପ୍ରକଳ୍ପ କାମ ସରୁନଥିବାରୁ ଏଥର ଅଧିକ ଅନୁଦାନ ଦେବାକୁ ଦାବି ହୋଇଥିଲା । ତାଳଚେର-ବିମଳାଗଡ ପ୍ରକଳ୍ପ ପାଇଁ ୨୫୦କୋଟି ଟଙ୍କାର ଅନୁଦାନ ମିଳିଛି । ଟିଟିଲାଗଡ-ସମ୍ବଲପୁର-ବିଜୟନଗରମ ତୃତୀୟ ଲାଇନ ବାବଦକୁ ଅନୁଦାନ ଦିଆଯାଇଛି ୯୬୧ କୋଟି ଟଙ୍କା । ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ୩୫୧ କୋଟିର ଅନୁଦାନ ମିଳିଛି ।

ସେହିଭଳି ପୁରୀ-ତାଳଚେର ପାଇଁ ୧୦୨ କୋଟି, ସମ୍ବଲପୁର-ଟିଟିଲାଗଡ ପାଇଁ ୯୯ କୋଟିର ଅନୁଦାନ ମିଳିଛି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ପାଇଁ ୧୬୪ କୋଟି ଟଙ୍କା ମିଳିଛି । ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି, ତାଳଚେର-ବିମଳାଗଡ ପାଇଁ ୨୫୦ କୋଟି ଓ ଜୟପୁର-ମାଲକାନଗିରି ପାଇଁ ୧୩ କୋଟି ଟଙ୍କାର ଅନୁଦାନ ମଂଜୁର ହୋଇଛି । ସେହିଭଳି ହରିଦାସପୁର-ପାରାଦ୍ୱୀପ ପାଇଁ ୮୫ କୋଟି ଓ ବହୁ ପ୍ରତୀକ୍ଷିତ ଅନୁଗୁଳ-ସୁକିନ୍ଦାରୋଡ ପାଇଁ ୪୭୫ କୋଟି ଅନୁଦାନ ମିଳିଛି ।

Leave a Reply

Your email address will not be published. Required fields are marked *