କେରଳର ମାଲାପୁରମ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଅଟୋକୁ ପିଟିଲା ବସ୍‌, ୫ ଜଣଙ୍କ ମୃତ୍ୟୁ

କେରଳ ମାଲାପୁରମ୍‌ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଯାଇଛି ୫ ଜୀବନ । ସାବରୀମାଳା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍‌ ଏକ ଅଟୋକୁ ପିଟିବାରୁ ଏହି ଦୁର୍ଘଟଣା ଘଟିଛି। ଅଟୋରେ ଥିବା ୫ ଜଣଙ୍କର ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣାଯାଇଛି।

ଗତକାଲି ସନ୍ଧ୍ୟାରେ କର୍ଣ୍ଣାଟକରୁ ଶ୍ରଦ୍ଧାଳୁଙ୍କୁ ଧରି ଏକ ବସ୍‌ କେରଳର ସାବରୀମାଳା ଅଭିମୁଖେ ଯାଉଥିଲା। ମାତ୍ର ବସ୍‌ଟି ମାଲାପୁରମ୍‌ ନିକଟରେ ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ସାମନା ପଟୁ ଏକ ଅଟୋକୁ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣାର ଅଟୋଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଟୋ ଡ୍ରାଇଭର, ୨ ଶିଶୁଙ୍କ ସମେତ ୫ ଜଣ ଥିଲେ। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କୋଝିକୋଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୁଲିସ୍‌ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗାଡ଼ି ଦୁଇଟିକୁ ଜବତ କରିଛି। ଏଥିସହ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *