ୟୁକ୍ରେନ୍‌ ଉପରେ ମିସାଇଲ ମାଡ଼ କଲା ରୁଷ; ୧୧ ଜଣଙ୍କ ମୃତ୍ୟୁ

କିଭ୍‌: ଥମୁନି ରୁଷ-ୟୁକ୍ରେନ୍‌ ଯୁଦ୍ଧ । ପୁଣି ୟୁକ୍ରେନ ଉପରେ ରୁଷିଆ ଘନଘନ ଆକ୍ରମଣ କରିଛି । ଫଳରେ ଆକ୍ରମଣ ଯୋଗୁଁ ୧୧ଜଣଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍‌ ଉପରେ କ୍ଷେପଣାସ୍ତ୍ର ସହ ଡ୍ରୋନ୍‌ରେ ଆକ୍ରମଣ କରିଛି ରୁଷ । ଏହି ଆକ୍ରମଣରେ ୟୁକ୍ରେନର ୩୫ରୁ ଅଧିକ କୋଠା ଭୁଶୁଡ଼ିପଡ଼ିଛି । ଦିଆଯାଇଥିବା ସୂଚନା ଅନୁସାରେ ଜର୍ମାନୀ ଏବଂ ଆମେରିକା ୟୁକ୍ରେନକୁ ଦଶହଜାର ଟ୍ୟାଙ୍କ ପଠାଇବେ ବୋଲି ଘୋଷଣା କରିଥିଲେ । ଏହି ଘୋଷଣା ହେବର ଗୋଟିଏ ଦିନ ପରେ ରୁଷ ୟୁକ୍ରେନ୍‌ ଉପରେ ଏହି ବଡ଼ ଆକ୍ରମଣ କରିଛି ।

ରୁଷର ଏହି ଆକ୍ରମଣରେ ୟୁକ୍ରେନର ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରୁଷର ୨୪ଟି ଡ୍ରୋନ୍‌ ସହ ୪୭ଟି ମିସାଇଲ ମାଡ଼ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଘଟଣାକୁ ନେଇ ୟୁକ୍ରେନର ଜରୁରୀକାଳୀନ ସେବା ମୁଖପାତ୍ର ଓଲେକ୍ସଚାନ୍ଦ ଖୋରୁଞ୍ଜି ପ୍ରତିକ୍ରିୟା ରଖିଛନ୍ତି । ସେ ତାଙ୍କ ବିବୃତ୍ତିରେ ୟୁକ୍ରେନରେ ଅଧିକ ଘର ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ୧୧ ଜଣଙ୍କ ମୃତ୍ୟୁ ହୋଇଛି । ତାହା ସହ ଘଟଣାସ୍ଥଳରେ ୧୦୦ରୁ ଅଧିକ ଉଦ୍ଧାରକାରୀ ନିୟୋଜିତ ରହିଥିବା ସୂଚନା ଦେଇଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ଆମେରିକା କଡ଼ା ନିନ୍ଦା କରିଛି । ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ରୁଷର ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଥିବା ବେଳେ ଆହତ ଓ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଯାଇଛି । ଆମେରିକା ବୈଦେଶିକ ବିଭାଗ ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି ଘଟଣାକୁ ମୁଁ କଡ଼ା ନିନ୍ଦା କରୁଛି । ଆମେରିକା ପକ୍ଷରୁ ୟୁକ୍ରେନରେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକ ପରିବାରଙ୍କୁ ସମବେଦନା ଜଣାଉଛି ।

Leave a Reply

Your email address will not be published. Required fields are marked *