ମନିଲଣ୍ଡରିଂ ମାମଲାରେ ଆଜି ଇଡିରେ ହାଜର ହେବେ ସଞ୍ଜୟ ରାଓତ

ମୁମ୍ବାଇ: ମନିଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ ଶିବସେନା ନେତା ସଞ୍ଜୟ ରାଓତ। ଏ କଥା ସେ ନିଜେ ପ୍ରକାଶ କରିଛନ୍ତି । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଇଡି ପକ୍ଷରୁ ନୋଟିସ୍ ହୋଇଥିବା ବେଳେ ସେ ଆଜି ଦିନ ୧୨ଟାରେ ହାଜର ହେବେ । ଆଜି ହାଜର ନେଇ ସଞ୍ଜୟ ଟ୍ୱିଟ୍ କରିଛନ୍ତି । ତେବେ ଦଳୀୟ କର୍ମୀମାନେ ଯାଞ୍ଚ ଏଜେନ୍ସି ଅଫିସ ସମ୍ମୁଖରେ ଏକାଠି ନହେବାକୁ ସେ ନିବେଦନ କରିଛନ୍ତି । ଶିବସେନା ପକ୍ଷରୁ ରାଜ୍ୟସଭା ଏମପି ଥିବା ସଞ୍ଜୟ ରାଓତ ମଙ୍ଗଳାବାର ଇଡିରେ ହାଜାର ହେବାର ଥିଲା। କିନ୍ତୁ ତାଙ୍କ ଓକିଲ ଏ ସମ୍ପର୍କରେ କାଗଜପତ୍ର ଦାଖଲ ପାଇଁ ୨ ସପ୍ତାହ ସମୟ ମାଗିଥିଲେ। କିନ୍ତୁ ଏହି ଆବେଦନ ଯାଞ୍ଚ ଏଜେନ୍ସି ଖାରଜ କରିଥିଲା।

ହଜାରେ କୋଟି ଟଙ୍କାର ପୁରୁଣା ‘ପତ୍ର ଚାୱଲ ଜମି ଦୁର୍ନୀତି’ ମାମଲାରେ ଗତ ସୋମବାର ଇଡି ତାଙ୍କୁ ସମନ କରିଥିଲା। ଏହି ମାମଲାରେ ପୂର୍ବରୁ ଇଡି ରାଉତ ଓ ତାଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ମାଲିକାନାରେ ଥିବା ୯ କୋଟିର ସମ୍ପତ୍ତି ଜବତ କରିଛି। ଏଥିରେ ସଞ୍ଜୟଙ୍କ ପତ୍ନୀ ବର୍ଷାଙ୍କ ନାମରେ ଥିବା ୨ କୋଟିର ସମ୍ପତ୍ତି ମଧ୍ୟ ରହିଛି। ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ହଟଚମଟ ମଧ୍ୟରେ ସଞ୍ଜୟଙ୍କୁ ଇଡି ସମନ କରିବା ନେଇ ଚର୍ଚ୍ଚା ହୋଇଥିଲା। ସଞ୍ଜୟଙ୍କ ପାଟି ଚୁପ୍‌ ପାଇଁ ବିଜେପିର ଏହା ଏକ ଷଡ଼ଯନ୍ତ୍ର ବୋଲି ଶିବସେନା ଓ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇ ଥିଲା ।

ସଞ୍ଜୟ କହିଛନ୍ତି ଯେ ଇଡି ତାଙ୍କୁ ଗିରଫ କଲେ ବି ସେ ଭୟ କରନ୍ତି ନାହିଁ। ତାଙ୍କୁ ମାରିଦେଲେ ମଧ୍ୟ ସେ ପାଟି ବନ୍ଦ କରିବେ ନାହିଁ । ଗତ ଶୁକ୍ରବାର ଶିବସେନା ନେତା ତଥା ପୂର୍ବତନ ମନ୍ତ୍ରୀ ଅର୍ଜୁନ ଖୋଟକରଙ୍କ ସମ୍ପତ୍ତି ଜବତ କରିଛି ଇଡି। ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଦ୍ବାରା ‘ସହକାରୀ ସକର କାରଖାନା’ ସମବାୟ ଚିନିକଳକୁ ବେଆଇନ ଭାବେ ନିଲାମ କରିବା ଅଭିଯୋଗ ଉପରେ ଇଡି ଏହି ପଦକ୍ଷେପ ଗ୍ରହଣ କରିଛି। ତାଙ୍କ ବିରୋଧରେ ବେଆଇନ ଅର୍ଥକାରବାର ଅଭିଯୋଗ ରହିଛି।

Leave a Reply

Your email address will not be published. Required fields are marked *