ଆଜି ସପ୍ତପୁରୀ ଅମାବାସ୍ୟା; ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ : ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା, କୁଶୋତ୍ପାଟିନୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା” ଭାବରେ ପାଳନ କରାଯାଏ । ଓଡ଼ିଶାରେ ପାଳନ କରାଯାଏ ବାର ମାସରେ ତେର ପର୍ବ ଏବଂ ଏହା ବ୍ୟତୀତ ଥାଏ ଅନେକ ଗୁଡିଏ ନୀତିକାନ୍ତି । ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ । ଏସବୁ ପାର୍ବଣ ଦିନ ମାନଙ୍କରେ ଶ୍ରୀମନ୍ଦିରରେ ହୋଇଥାଏ ସ୍ୱତନ୍ତ୍ର ନୀତି ନିୟମ ।

ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କ ଦ୍ୱାରା ଏକ ବଡ଼ “ସପ୍ତପୁରୀ” (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ “ସପ୍ତପୁରୀ ତାଡ଼” ମଧ୍ୟ କୁହାଯାଇଥାଏ । ଏହି ଦିନ ଶ୍ରୀ ନୀଳମାଧବଙ୍କ ପାଖରେ ମଧ୍ୟ ଲାଗିଥାଏ ସାତପୁରୀ ପିଠାର ଭୋଗ ।

ସପ୍ତପୁରୀ ଅମାବାସ୍ୟା ପୂର୍ବଦିନ ଅଠରନଳା ନିକଟରେ ଅବସ୍ଥିତ ଭଗବତୀ ମାଆ ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ ଶ୍ରୀମନ୍ଦିରରେ ପହଁଚି ଚତୁଃପାର୍ଶ୍ୱ ବୁଲି ତାଡ ଗୁଡିକ ରୋଷ ବେହେରଣରେ ରଖାଯାଇଥିଲା । ଗତକାଲି ସଂନ୍ଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷୀଣକାଳି ମନ୍ଦିରକୁ ଯାଇଥିଲେ ।

ଆଜି ସପ୍ତପୁରୀ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ତିନି ବାଡ଼ରେ ବେଶ ହୋଇଥାନ୍ତି । ତଢ଼ାଉ ୬ ମୂର୍ତ୍ତି ଲାଗି ହେବା ପରେ ଗୋପାଳ ବଲ୍ଲଭ ସମ୍ପନ୍ନ ହୋଇଥାଏ । ଏହାପୂର୍ବରୁ ରୋଷ ଘରେ ସପ୍ତପୁରୀ ପ୍ରସ୍ତୁତ ହୋଇଥାଏ ଭୋଗ ଉପରେ ଶଙ୍ଖ ଚକ୍ର ହଳ ମୂସଳ ଦଡକୀ ପିଠା ଉପରେ ପ୍ରସ୍ତୁତ ହୋଇଥାଏ । ତତ୍ପରେ ପାଣି ପଡ଼ି ଟେରା ବନ୍ଧା ହୋଇ ସକାଳ ଧୂପ ସହ ସାତ ପୁରି ଭୋଗ ତାଟ ମଧ୍ୟ ରୋଷରୁ ଘଣ୍ଟ , ଛତ୍ର , କାହାଳୀ ସହ ତଳିଛ , ପ୍ରଧାନୀ ପଟୁଆରରେ ଛାମୁକୁ ଆସିଥାଏ । ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପଣ୍ଡା ଷୋଡ଼ଶ ଉପଚାରରେ ମଣୋହି କରାଇଥାନ୍ତି । ଭିତରେ ଆଳତୀ ବଢ଼ିବା ପରେ ପଣ୍ଡା , ପତି ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରିଥାନ୍ତି । ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ପୂଜାନୀତି ସହ ଆଜି ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗରରେ ବିଜେ କରିବେ ।

Leave a Reply

Your email address will not be published. Required fields are marked *