ଆନନ୍ଦ ଏବଂ ଆକଟର ଛାଞ୍ଚରେ ସମାଜକୁ ଶିକ୍ଷା ଦିଏ ବ୍ୟଙ୍ଗ ସାହିତ୍ୟ – ଡ.ଗିରିଶ ରଞ୍ଜନ ସାହୁ

ଯେତେବେଳେ ସମାଜ ତାର ନୀତି ବ୍ୟବସ୍ଥାରୁ ଟିକେ ପଥଭ୍ରଷ୍ଟ ହୁଏ ଠିକ୍ ସେ ସମୟରେ ତାଙ୍କ ସାହିତ୍ୟ ମାଧ୍ୟମରେ ସମାଜକୁ କରନ୍ତି ସଚେତନ। ଯେଉଁ ସଚେତନତାରେ ଥାଏ ଟିକେ ବ୍ୟଙ୍ଗ ଓ ଆକଟର ସ୍ଵର। ତେବେ ସେହି ଯୁବ ବ୍ୟଙ୍ଗ ସାହିତ୍ୟିକ ଜଣଙ୍କ ହେଉଛନ୍ତି ଡ.ଗିରିଶ ରଞ୍ଜନ ସାହୁ।

ନୟାଗଡ଼ ଜିଲ୍ଲାରେ ଜନ୍ମିତ ଲେଖକ ଗିରିଶଙ୍କ ସାହିତ୍ୟ ଚିରାଚରିତ ଲେଖାଠାରୁ ଟିକେ ନିଆରା। କାରଣ ତାଙ୍କର ବ୍ୟଙ୍ଗ ସାହିତ୍ୟ ବହନ କରେ ସାମାଜିକ ବାର୍ତ୍ତା। ଯାହା ପାଠକଙ୍କ ଆଗରେ ମଜା ଏବଂ ଆନନ୍ଦ ସହିତ ସମାଜର ସମସ୍ତ ଘଟଣାକୁ ଏକ ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପନ କରିଥାଏ। ବ୍ୟଙ୍ଗକବି ଗିରିଶ ରଞ୍ଜନ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ହାସଲ କରିଥିବା ବେଳେ ବର୍ତ୍ତମାନ ଖୋର୍ଦ୍ଧା ଆଇନ୍ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ରୂପେ କାର୍ଯ୍ୟରତ ଅଛନ୍ତି। ସ୍କୁଲ ସମୟରୁ ଲେଖା ପ୍ରତି ରୁଚି ରଖୁଥିବା ଏହି ବ୍ୟଙ୍ଗ କବି ଜଣଙ୍କ ବିଜ୍ଞାନ ଶିକ୍ଷକ ସରୋଜ ମିଶ୍ରଙ୍କ ବ୍ୟଙ୍ଗ ଲେଖା ପ୍ରେରଣା ଯୋଗାଇଥିଲା ତାଙ୍କ
କିଛି ଲେଖିବା ପାଇଁ।
ଓଡିଆ ଭାଷା ସାହିତ୍ୟରେ ମାୟାଧର ମାନସିଂହ,କବି ଯଦୁମଣି, ସଚ୍ଚିଦାନନ୍ଦ ରାଉତରାୟ ଏବଂ ବର୍ତ୍ତମାନ ସମୟର କବି ଜ୍ଞାନହୋତା,ରମାକାନ୍ତ ମିଶ୍ରଙ୍କ ଲେଖାରେ ଖୁବ୍ ଅନୁପ୍ରାଣିତ ଏହି ଯୁବ ଲେଖକ ଜଣଙ୍କ।

“ବ୍ୟଙ୍ଗ କବିତାର ମୁଖ୍ୟ ଉଦ୍ଦେଶ୍ୟ ସମାଜରେ ଘଟୁଥିବା
କୁସଂସ୍କାର ଓ ଦୁର୍ନୀତି ଭଳି କରାଳକୁ ନିରାକରଣ କରିବା। ଯାହାକୁ ସର୍ବସାଧାରଣରେ ପର୍ଦାଫାସ୍ କରି ଏକ ଅନୁକୂଳ ପରିବେଶ ସୃଷ୍ଟି କରେ” ବୋଲି ମତ ଦିଅନ୍ତି ପ୍ରାଧ୍ୟାପକ ଗିରିଶ ରଞ୍ଜନ। ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟକୁ ପ୍ରବେଶ କରୁଥିବା ନବାଗତଙ୍କୁ ସେ ଏହି ଉପଦେଶ ଦିଅନ୍ତି ଯେ “ଲେଖିବା ପାଇଁ ଅନୁଭବର ଆବଶ୍ୟକତା ରହିଛି। କବିର ଦୃଷ୍ଟିଭଙ୍ଗୀ ସଭିଙ୍କ ଠୁ ଟିକେ ଅଲଗା। ଯଦି ନିଜର ଅଙ୍ଗେନିଭା ଅନୁଭୂତିକୁ ସାଉଁଟି ତାକୁ ଲେଖି ପାରିବ ତେବେ ସେହି ଲେଖାଟି ବଳିଷ୍ଠ ଓ ସର୍ବାଗ୍ରେ ଗ୍ରହଣୀୟ ମଧ୍ୟ ହେବ”।

ଡ. ଗିରିଶ ରଞ୍ଜନ ସାହୁଙ୍କ କୃତି ଓ ପୁରସ୍କାର ବିଷୟରେ କିଛି –

ବ୍ୟଙ୍ଗ ବିପ୍ଳବ, ବ୍ୟଙ୍ଗ ବାରୁଦ
ଯାହା ଦେଖେ ତାହା ଲେଖେ
 (ପ୍ରକାଶ ଅପକ୍ଷାରେ)

ପେନ୍ ଇନ୍ ବୁକ୍ସ ଯୁବ ପୁରସ୍କାର
ଦୂରଦର୍ଶୀ ଯୁବ ପୁରସ୍କାର
କଳିଙ୍ଗ ପୁସ୍ତକ ମେଳା ସାରସ୍ଵତ ସମ୍ମାନ, ଉତ୍କଳ ସମ୍ମିଳନୀ ସାହିତ୍ୟ ସମ୍ମାନ ଇତ୍ୟାଦି ଅନେକ।

ଏସବୁ ମଧ୍ୟରେ ଏହି ସାହିତ୍ୟିକଙ୍କ ମନରେ ବ୍ୟଙ୍ଗ ସାହିତ୍ୟର ଭବିଷ୍ୟକୁ ନେଇ ଟିକେ ଦୁଃଖ ରହିଛି। କବି ଗିରିଶଙ୍କ ଉକ୍ତିରେ “ବ୍ୟଙ୍ଗ କବିତା ଲେଖିବା ସମସ୍ତଙ୍କ ହାତରେ ନୁହେଁ। ଠିକ୍ ସେହିପରି ଅନ୍ୟ ସାହିତ୍ୟ ପରି ବ୍ୟଙ୍ଗ ସାହିତ୍ୟକୁ ସରକାରୀ ସ୍ତରରେ ମାନ୍ୟତା କି ଅନୁମୋଦନ ମିଳିନାହିଁ। ଯାହାକୁ ନେଇ ସେ ଖୁବ୍ ଦୁଃଖିତ। ଏହି ବିଭାଗକୁ ଯଥାମାନ୍ୟତା ମିଳିବା ଆବଶ୍ୟକ। କେବଳ ସେତିକି ନୁହେଁ ବର୍ତ୍ତମାନ ଏହା ବଜାରଭିତ୍ତିକ ସାହିତ୍ୟ ରୂପେ ମଧ୍ୟ ପରିଚିତ ହୋଇଗଲାଣି। ତେଣୁ ଏହି ମାନସିକତାକୁ ପରିବର୍ତ୍ତନ କରିବାକୁ ହେବ। ପ୍ରଥମେ କବି ନିଜର ମନୋଭାବକୁ ବଦଳାନ୍ତୁ ଏବଂ ବ୍ୟଙ୍ଗ ସାହିତ୍ୟର ବିକାଶ ପାଇଁ ସମସ୍ତେ ମିଳିମିଶି ଆଗେଇ ଆସନ୍ତୁ” ବୋଲି ମତ ରଖିଛନ୍ତି ଡ. ଗିରିଶ ରଞ୍ଜନ ସାହୁ ।

Leave a Reply

Your email address will not be published. Required fields are marked *