କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ନିଲମ୍ବିତ ବରିଷ୍ଠ କଂଗ୍ରେସ ନେତା କିଶୋର ଉପାଧ୍ୟାୟ

ଡେରାଡୁନ: ନିର୍ବାଚନ ପୂର୍ବରୁ ଜଣଙ୍କ ପରେ ଜଣେ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି। ଏହିକ୍ରମରେ ଉତ୍ତରାଖଣ୍ଡ କଂଗ୍ରେସରୁ ନିଲମ୍ବିତ ହୋଇଥିବା କିଶୋର ଉପାଧ୍ୟାୟ ଆଜି ବିଜେପିରେ ମିଶିଛନ୍ତି। ସେ ଏକଦା ଉତ୍ତରାଖଣ୍ଡ କଂଗ୍ରେସର ଅଧ୍ୟକ୍ଷ ଭାବେ କାମ କରୁଥିଲେ। କିନ୍ତୁ ଏବେ ସେ ବିଜେପିରେ ମିଶି ଉତ୍ତରାଖଣ୍ଡର ବିକାଶର ଗତିକୁ ଆଗକୁ ନେବେ ବୋଲି କହିଛନ୍ତି।

ଦଳ ବିରୋଧୀ କାମ ପାଇଁ ବୁଧବାର ଶ୍ରୀ ଉପାଧ୍ୟାୟଙ୍କୁ କଂଗ୍ରେସ ନିଜର ପ୍ରାଥମିକ ସଦସ୍ୟ ପଦରୁ ୬ ବର୍ଷ ପାଇଁ ନିଲମ୍ବନ କରିଥିଲା। ଏହାର ଦିନକ ପରେ ସେ ବିଜେପିରେ ମିଶିଛନ୍ତି। ବିଜେପିରେ ମିଶିବା ପରେ ସେ କଂଗ୍ରେସକୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ଉତ୍ତରାଖଣ୍ଡକୁ ବିକାଶ ଦିଗରେ ନେବା ପାଇଁ ମୁଁ ବିଜେପିରେ ମିଶିଛି। କ’ଣ ପାଇଁ ଏପରି ଏକ ପରିସ୍ଥିତି ସୃଷ୍ଟି ହେଲା, ସେକଥା ସାମ୍ବାଦିକମାନେ କଂଗ୍ରେସକୁ ପଚାରନ୍ତୁ।”
ଶ୍ରୀ ଉପାଧ୍ୟାୟ ଉତ୍ତରାଖଣ୍ଡ କଂଗ୍ରେସ ସଂଯୋଜକ କମିଟିର ଅଧ୍ୟକ୍ଷ, ରାଜ୍ୟ କଂଗ୍ରେସ କୋର କମିଟି ସଦସ୍ୟ ଓ ଉତ୍ତରାଖଣ୍ଡ କଂଗ୍ରେସ ପ୍ରଦେଶ ନିର୍ବାଚନ କମିଟିର ସଦସ୍ୟ ଭାବେ କାମ କରିଛନ୍ତି। ୨୦୧୪ରୁ ୨୦୧୭ ଯାଏ ସେ ଉତ୍ତରାଖଣ୍ଡ କଂଗ୍ରେସର ମୁଖ୍ୟ ମଧ୍ୟ ଥିଲେ। ୨୦୦୨ରୁ ୨୦୦୭ ଯାଏ ଶ୍ରୀ ଉପାଧ୍ୟାୟ କଂଗ୍ରେସର ତେହରି ବିଧାୟକ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି।

Leave a Reply

Your email address will not be published. Required fields are marked *