ଉତ୍ତର ପ୍ରଦେଶର ମୁଜାଫରନଗର ୫୮ ନମ୍ବର ଜାତୀୟ ରାଜପଥରେ କାର୍‌-ଟ୍ରକ୍‌ ଧକ୍କା: ୬ ଜଣଙ୍କ ମୃତ୍ୟୁ

ମୁଜାଫରନଗର: ଗତ ପାହାନ୍ତାରେ ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ଦେଇ ଯାଇଥିବା ଦିଲ୍ଲୀ-ଡେରାଡୁନ୍‌ ରାଜପଥରେ ଗୋଟାଏ କାର୍‌ ଓ ଗୋଟାଏ ଟ୍ରକ୍‌ ମଧ୍ୟରେ ଧକ୍କା ଲାଗିବାରୁ ଅନ୍ୟୂନ ୬ଜଣଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ମୃତ ବ୍ୟକ୍ତିମାନେ ଥିଲେ ପରସ୍ପରର ସାଙ୍ଗ। ସେମାନେ ଦିଲ୍ଲୀରୁ ଉତ୍ତରାଖଣ୍ଡର ହରିଦ୍ବାର ଅଭିମୁଖେ ଯାଉଥିଲେ। ସୋମବାର ରାତି ପ୍ରାୟ ୪ଟା ବେଳେ ଛପର ଥାନା ଅଞ୍ଚଳର ରାମପୁର ଜଙ୍କ୍‌ସନ୍‌ ନିକଟ ୫୮ ନମ୍ବର ଜାତୀୟ ରାଜପଥରେ ସେମାନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ମୃତ ସାଙ୍ଗମାନେ ହେଉଛନ୍ତି, ଦିଲ୍ଲୀ ଶାହଦରା ନିବାସୀ ଶିବମ୍‌ ତ୍ୟାଗି, ପରଶ ଶର୍ମା, କୁନାଳ ଶର୍ମା, ଧୀରଜ, ବିଶାଳ ଓ ଆଉ ଜଣେ ଅଜ୍ଞାତ ବ୍ୟକ୍ତି।

ଜଣେ ସରକାରୀ ଅଧିକାରୀ କହିଛନ୍ତି, ଦିଲ୍ଲୀରୁ ଉତ୍ତରାଖଣ୍ଡର ହରିଦ୍ବାର ଯାଉଥିବା ଗୋଟାଏ କାର୍‌ ବାଟରେ ଗୋଟାଏ ଟ୍ରକ୍‌ ସହିତ ଧକ୍କା ଖାଇବାରୁ ୬ଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ରାଜପଥରେ ଟ୍ରକ୍‌ ପଛ ପଟେ ଉକ୍ତ କାର୍‌ ଧକ୍କା ଖାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାର୍‌ ଆରୋହୀମାନଙ୍କର ମୃତ୍ୟୁ ଘଟିଲା।

ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ପାଇ ତୁରନ୍ତ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି‌ଥିଲେ। ଧକ୍କା ଯୋଗୁଁ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଟ୍ରକ୍‌ ତଳେ ଲାଖିଯାଇଥିବା କାର୍‌କୁ ଗୋଟାଏ କ୍ରେନ୍‌ ସହାୟତାରେ ବାହାର କରାଯାଇ ସେଥିରୁ ଶବଗୁଡ଼ିକୁ ଉଦ୍ଧାର କରାଯାଇଥିଲା। ମରିଯାଇଥିଲେ ବି ସେ ଯାତ୍ରୀମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଔପଚାରିକ ଭାବେ ଘୋଷଣା କରିଥ‌ିଲେ। ସେମାନଙ୍କ ଶବଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ରଖାଯାଇଛି।

ପୁଲିସ କହିଛି, ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ କାର୍‌ଟି ଟ୍ରକ୍‌ ପଛରେ ଧକ୍କା ଖାଇଥିଲା। କାରଣ ଦୁର୍ଘଟଣାସ୍ଥଳରେ ଗୋଟାଏ ବୁଲାଣି ଅଛି। ଦ୍ରୁତ ଗତିରେ ଚାଲୁଥିବା ଯୋଗୁଁ ଚାଳକ କାର୍‌ ଉପରୁ ନିୟନ୍ତ୍ରଣ ହରାଇ ଥାଇ ପାରନ୍ତି। ଶାହଦରାରେ ଥିବା ସେମାନଙ୍କ ପରିବାରବର୍ଗଙ୍କୁ ଘଟଣା ସଂକ୍ରାନ୍ତରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *